କୁସ୍ତି : ତୁର୍କୀରେ ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ଓ ପିଙ୍କି

0

ଇସ୍ତାନବୁଲ (ତୁର୍କୀ) : ତୁର୍କୀର ୟାସାର ଡୋଗୁ ସହରରେ ଚାଲିଥିବା ଆନ୍ତର୍ଜାତିକ କୁସ୍ତି ଚମ୍ପିଆନ୍‍ସିପ୍‍ରେ ଦୁଇ ଭାରତୀୟ ବଜରଙ୍ଗ ପୁନିଆ ଓ ପିଙ୍କି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହି ଚମ୍ପିଆନ୍‍ସିପ୍‍ରେ ଭାରତୀୟଙ୍କୁ ମୋଟ ୧୦ଟି ପଦକ ମିଳିଥିବା ବେଳେ ଏଥିରୁ ୭ଟି ପଦକ ମହିଳାମାନେ ଜିତିଛନ୍ତି।
ମହିଳା ୫୫ କେଜି ବିଭାଗରେ ଭାରତର ପିଙ୍କି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫାଇନାଲରେ ପିଙ୍କି ୬-୩ ପଏଣ୍ଟରେ ୟୁକ୍ରେନ୍‍ର ଓଲ୍‍ଗା ସ୍ନାଇଡରଙ୍କୁ ପରାସ୍ତ କରିଛନ୍ତି। ତେବେ ଭାରତର ଶ୍ରେଷ୍ଠ ପଦକ ଆଶା ତଥା ଅଲିମ୍ପିକ୍‍ ବ୍ରୋଞ୍ଜ୍‍ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ ଦେଶକୁ ନିରାଶ କରିଛନ୍ତି। ୬୨ କେଜି ବିଭାଗର ପଦକ ରାଉଣ୍ଡରେ ସାକ୍ଷୀ ପ୍ରବେଶ କରି ପାରିନଥିଲେ। ରାଜ୍ୟଗୋଷ୍ଠ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ବଜରଙ୍ଗ ପୁନିଆ ୭୦ କେଜି ଫ୍ରିଷ୍ଟାଇଲ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ବଜରଙ୍ଗଙ୍କ ପ୍ରତିପକ୍ଷ ପହିଲମାନ ୟୁକ୍ରେନ୍‍ର ଆନ୍ଦ୍ରେଇ କ୍ୟାତୋକୋୱସ୍କି ଆହତହୋଇ ଫାଇନାଲରୁ ଓହରି ଯାଇଥିଲେ। ପୁରୁଷ ୬୧ କେଜି ଫାଇନାଲରେ ଭାରତର ସନ୍ଦୀପ ତୋମର ରୌପ୍ୟପଦକ ଜିତିଛନ୍ତି। ଫାଇନାଲରେ ସନ୍ଦୀପଙ୍କୁ ଇରାନ୍‍ର ମହମ୍ମଦ ବାଘେର ୟାଖେସି ୮-୨ ପଏଣ୍ଟରେ ପରାସ୍ତ କରିଥିଲେ। ପୁରୁଷ ବିଭାଗରେ ଶନିବାର ଭାରତର ଭିକି ୫୭ କେଜି ବିଭାଗରେ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଅନ୍ୟ ଭାରତୀୟ ପୁରୁଷ ପହିଲମାନ ଅମିତ, ଜିତେନ୍ଦ୍ର, ପୱନ, ଦୀପକ ଓ ଯଶକୱର ସିଂହ ପଦକ ରାଉଣ୍ଡରେ ପହଞ୍ଚି ପାରିନଥିଲେ। ମହିଳା ୫୩ କେଜି ବିଭାଗରେ ଭାରତର ସୀମାଙ୍କୁ ୟୁକ୍ରେନ୍‍ର ଖ୍ରିଷ୍ଟିନା ବେରେଜା ୧-୨ ପଏଣ୍ଟରେ ପରାସ୍ତ କରିବାରୁ ସୀମା ରୌପ୍ୟପଦକରେ ସନ୍ତୁଷ୍ଟ ରହିଥିଲେ। ଅନ୍ୟ ଭାରତୀୟ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟିନୀ ପୂଜା ଧଣ୍ଡାଙ୍କୁ ୟୁକ୍ରେନ୍‍ର ଇର୍‍ନ୍ୟା ଖାରିଭ୍‍ ୧୧-୦ ପଏଣ୍ଟରେ ପରାସ୍ତ କରିବାରୁ ପୂଜାଙ୍କୁ ରୌପ୍ୟପଦକ ମିଳିଛି। ୬୨ କେଜି ବିଭାଗରେ ସରିତାଙ୍କୁ ବ୍ରୋଞ୍ଜ୍‍ ପଦକ ମିଳିଛି। ପୂର୍ବରୁ ଭାରତର ରଜନୀ ରୌପ୍ୟ, ସଂଗୀତା ଫୋଗତ (୫୯ କେଜି) ଓ ଗୀତା (୬୫ କେଜି) ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ; ଆସନ୍ତା ଏସୀୟ କ୍ରୀଡ଼ା ପାଇଁ ପୂଜା, ପିଙ୍କି, ସାକ୍ଷୀ ଓ କିରଣ ଭାରତୀୟ ମହିଳା କୁସ୍ତି ଦଳରେ ରହିଛନ୍ତି।

Leave A Reply