୧୦୦ ଟଙ୍କା ପାର କଲା ଡାଲି ଦର

ନୂଆଦିଲ୍ଲୀ : ଡାଲି ଦରରେ ପୁଣିଥରେ ବୃଦ୍ଧି ପରିଲକ୍ଷିତ ହୋଇଛି। ନିର୍ବାଚନ ଫଳ ପ୍ରକାଶ ପୂର୍ବରୁ ଖୁଚୁରା ବଜାରରେ ଡାଲି ଦର ୨୦୦୯ର ସ୍ତରରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଡାଲି ଦାମ ଏମିତି ବଢିଲେ ଖୁବଶୀଘ୍ର ଲୋକଙ୍କ ଖାଇବା ଥାଳିରୁ ଡାଲି ଗାଏବ ହୋଇଯିବ।
ଦେଶରେ ହରଡ ଡାଲିର ସବୁଠୁ ଅଧିକ ଚାହିଦା ଥିବାବେଳେ ଖୁଚୁରା ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ୧୦୨ ଟଙ୍କାରେ ପହଞ୍ଚିଛି। ଡାଲି ଉତ୍ପାଦନ ହ୍ରାସ ଯୋଗୁଁ ବଜାରରେ ଦର ବଢି ଚାଲିଛି ବୋଲି କୁହାଯାଉଛି। ସୂଚନା ଅନୁସାରେ ପୂର୍ବ ବର୍ଷ ତୁଳନାରେ ହରଡ ଡାଲି ଉତ୍ପାଦନ ୩୦ରୁ ୩୫% ଓ ବିରି ଡାଲି ଉତ୍ପାଦନ ୧୫ରୁ ୨୦% ହ୍ରାସ ପାଇଛି। ପାଇକାରୀ ବଜାରରେ ହରଡ ଡାଲି ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୫୭୦୦ରୁ ୫୮୦୦ ଟଙ୍କା ଓ ବିରି ଡାଲି ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୪୫୦୦ ଟଙ୍କା ରହିଛି। ଗତ ୨ ମାସ ମଧ୍ୟରେ ପାଇକାରୀ ବଜାରରେ ଡାଲି କ୍ୟୁଣ୍ଟାଲ ୮୦୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଖୁଚୁରା ବଜାରରେ ହରଡ ଡାଲି କିଲୋ ପ୍ରତି ୮୫ରୁ ୯୦ ଟଙ୍କା, ଆର୍ଥିକ ରାଜଧାନୀ ମୁମ୍ବଇର କେତେକ ଖୁଚୁରା ବଜାରରେ ଡାଲି କିଲୋ ପ୍ରତି ୯୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭାରତ ବ୍ୟତୀତ ଆଫ୍ରିକାର କେତେକ ଦେଶ ଏବଂ ମିଆଁମାରରେ ହରଡ ଡାଲି ଦରରେ ବୃଦ୍ଧି ଘଟିଛି।

Comments are closed.