ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ନିର୍ଦେଶକୁ ବେଖାତିର: ଏମକେସିଜିରେ ୪ ଦିନ ଚକ୍କର କାଟି ଘରକୁ ଫେରିଲେ କର୍କଟ ଆକ୍ରାନ୍ତ ନିଃସହାୟ ମହିଳା

ବ୍ରହ୍ମପୁର: କାମ ଦେଲାନି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଅଭିଯୋଗ ପ୍ରକୋଷ୍ଠର ନିର୍ଦେଶ । ଏପରିକି ଜିଲାପାଳଙ୍କ ପ୍ରଚେଷ୍ଟା ମଧ୍ୟ ସଫଳ ହେଲାନି । ୪ ଦିନ ଧରି ଏମକେସିଜି ମେଡିକାଲରେ ଚକ୍କର କାଟିବା ପରେ ଚିକିତ୍ସା ନପାଇ ଘରକୁ ଫେରିଗଲେ କର୍କଟ ଆକ୍ରାନ୍ତ ଅସହାୟ ମହିଳା ଟୁନି ନାଇକ ।

ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଭୈରପୁର ଗ୍ରାମର ମହିଳା ଟୁନି ନାଇକ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । କରୋନା ଯୋଗୁ ଘରକୁ ଫେରିଆସିଥିଲେ । ଏହା ଭିତରେ କୌଣସି କାରଣରୁ ତାଙ୍କ ସ୍ବାମୀ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ଫେରାର ହୋଇଯାଇଥିଲେ । ସେତେବେଳକୁ ଟୁନି ୭ ମାସର ଗର୍ଭବତୀ ଥିଲେ । ଆଉ ଗର୍ଭବତୀ ଥିବା ସମୟରେ ତାଙ୍କ ଠାରେ ଗଳଗଣ୍ଡ ରୋଗ ବାହାରିଥିଲା । ବେକରେ ବଡ଼ ଘା’ ହେବା ସହ ଦିନକୁ ଦିନ ବଢିବାରେ ଲାଗିଲା । ବାପଘରେ ଥାଇ ରୋଗରେ ପୀଡ଼ିତ ଥିଲେ ମଧ୍ୟ ଆଜକୁ ୩ ମାସ ତଳେ ଟୁନି ଏକ ଶିଶୁକୁ ଜନ୍ମ ଦେଇଥିଲେ । ଟୁନିଙ୍କ ବାପା ଆଜକୁ ୩ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ଥି। ଏପଟେ ବାପଘରେ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କର ଚିକିତ୍ସା ମଧ୍ୟ ହୋଇପାରିନଥିଲା । ଦୁଃଖଦୁର୍ଦଶାରେ ଦିନ କାଟୁଥିବା ଅସହାୟ ଟୁନିଙ୍କ ଅବସ୍ଥାକୁ ନେଇ ଗତମାସ ୨୪ ତାରିଖରେ ‘ରୋଗାକ୍ରାନ୍ତ ମହିଳାଙ୍କ ଉପରେ ଦୁଃଖର ପାହାଡ’ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା । ଖବର ପଢି ପାତ୍ରପୁର ଅଞ୍ଚଳର ଜଣେ ସ୍ବେଚ୍ଛାସେବୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଟୁନିଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସେହିଦିନ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମଧ୍ୟମ ଅଭିଯୋଗ ପ୍ରକୋଷ୍ଠରୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଚିଠି କରାଯାଇ ଟୁନିଙ୍କ ଅବସ୍ଥା ବୁଝିବାକୁ ନିର୍ଦେଶ ହୋଇଥିଲା ।

ସେହିକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପାତ୍ରପୁର ବିଡିଓଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଥିଲେ । ଏହା ପରେ ପାତ୍ରପୁର ବିଡିଓ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଟୁନିଙ୍କ ବାପା ଘରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ଓ ଭତ୍ତା ପାଉଛନ୍ତି କି ନାହିଁ ଯାଞ୍ଚ କରିଥିଲେ । ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁତର ଟୁନିଙ୍କୁ ଉଦ୍ଧାର କରି ଡିସେମ୍ବର ୩ ତାରିଖରେ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ସିଟି ହସପିଟାଲ ଓ ପରେ ଏମକେସିଜି ମେଡିକାଲକୁ ଅଣାଯାଇଥିଲା ।

ପ୍ରଥମିକ ଚିକିତ୍ସା ପରେ ଟୁନିଙ୍କ ଠାରେ କର୍କଟ ରୋଗ ଠାବ ହେବା ସହ ସେ ଘରକୁ ଫେରିଥିଲେ । ପୁଣିଥରେ ଚିକିତ୍ସା ପାଇଁ ୮ ତାରିଖରେ ଟୁନିଙ୍କୁ ପୁଣି ଏମକେସିଜିକୁ ଅଣାଯାଇଥିଲା । ହେଲେ ଯେଉଁ ସରକାରୀ କର୍ମଚାରୀମାନେ ଆମ୍ବୁଲାନ୍ସରେ ତାଙ୍କୁ ଆଣିଥିଲେ ସେମାନେ ତାଙ୍କୁ ଏମକେସିଜିରେ ହିଁ ଛାଡିଦେଇ ଚାଲି ଯାଇଥିଲେ । ଏମକେସିଜିରେ ଡାକ୍ତରଙ୍କୁ ଦଖାଇବା ପରେ ତାଙ୍କୁ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା । ଟୁନି ଏମକେସିଜି ବିଷୟରେ କିଛି ଜାଣିନଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ନିକଟରେ କେହି ସରକାରୀ କର୍ମଚାରୀ ନଥିଲେ । ଫଳରେ ଟୁନି ସନ୍ଧ୍ୟା ଯାଏଁ ଏମକେସିଜି ବାରଣ୍ଡାରେ ବସି ରହିଥିଲେ । ଏହି ଖବର ଏମକେସିଜି ଅଧୀକ୍ଷକଙ୍କ ନଜରକୁ ଅଣାଯିବା ପରେ ଟୁନିଙ୍କୁ କାଜୁଆଲିଟିର ଉପର ମହଲାରେ ରାତି କାଟିବାକୁ ଏକ ଶଯ୍ୟା ଯୋଗାଇ ଦିଆଯାଇଥିଲା । ତା ପର ଦିନ ସକାଳୁ ଟୁନି କ’ଣ କରିବେ କେଉଁଠିକି ଯିବେ ତାହା ଜାଣି ପାରିନଥିଲେ । ରିପୋର୍ଟ ନେଇ ଡାକ୍ତରଙ୍କୁ ଦେଖାଇବା ବେଳେ ସେହି ଡାକ୍ତର ମଧ୍ୟ ନଥିଲେ ।  ୪ ଦିନ ଧରି ଟୁନି ଏମକେସିଜିରେ ଚକ୍କର କାଟୁଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିଲା ନାହିଁ ।

ଏପରିକି ତାଙ୍କୁ କୌଣସି ବିଭାଗରେ ଆଡମିସନ କରାଯାଇନଥିଲା କି ଶଯ୍ୟା କିମ୍ବା ଖାଦ୍ୟ ମଧ୍ୟ ଦିଆଯାଇନଥିଲା । ଘରେ ୩ ମାସର ଶିଶୁକୁ ଛାଡି ଆସିଥିବାରୁ ବାଧ୍ୟ ହୋଇ ଘରକୁ ଚାଲି ଆସିଛନ୍ତି ବୋଲି ଟୁନି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏମକେସିଜିରେ ସେ ଯେପରି ହଇରାଣ ହୋଇଛନ୍ତି ଆଉ ସେଠାକୁ ଚିକିତ୍ସା ପାଇଁ ଯିବେନି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦେଶ ଥାଇ ମଧ୍ୟ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଅସହାୟ ଟୁନିଙ୍କ ଦୁଃଖ ଏବେ ଆଉ କିଏ ବୁଝିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥିଲେ। ତେବେ ଏମକେସିଜିର ଅଧିକ୍ଷକ ପ୍ରଫେସର ସନ୍ତୋଷକୁମାର ମିଶ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ବ୍ଲକ କିମ୍ବା ଜିଲା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା କହିବା ସହ ଯଦି ଟୁନିଙ୍କ ଅପରେସନ ଆବଶ୍୍ୟକ ପଡିଲେ ତାଙ୍କୁ କଟକ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Comments are closed.