ପେଟରେ ଥିଲା ଟ୍ୟୁମର, ଗର୍ଭବତୀ କହି ଚିକିତ୍ସା କରୁଥିଲେ ଡାକ୍ତର

0

ଚେନ୍ନଇ : ତାମିଲନାଡୁର ଏକ ସରକାରୀ ଡାକ୍ତରଖାନାରେ ପେଟରେ ଟ୍ୟୁମରର ଚିକିତ୍ସା ଗର୍ଭାବସ୍ଥା ରୂପରେ କରାଯିବା ପରେ ପୀଡ଼ିତା ମହିଳା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୫ ଲକ୍ଷ ଟଙ୍କା ଜୋରିମାନା ଦାବିରେ ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଚାରପତି ଟି. ରାଜାଙ୍କ ନିକଟକୁ ଶୁକ୍ରବାର ଏହି ମୋକଦ୍ଦମା ଆସିଥିଲା। ସେ ସରକାରୀ ଅଧିବକ୍ତାଙ୍କୁ ମହିଳାଙ୍କ ଚିକିତ୍ସା ରିପୋର୍ଟ ଉପରେ କିଛି ସ୍ପଷ୍ଟୀକରଣ ମାଗିଛନ୍ତି। ଦୁଇ ସପ୍ତାହ ପରେ ମାମଲାର ଆସନ୍ତା ଶୁଣାଣି ହେବ।
ଅଭିଯୋଗ ଅନୁସାରେ ମହିଳା ଜଣକ ପେଟରେ କଷ୍ଟ ଏବଂ ଋତୁସ୍ରାବରେ ଅନିୟମିତତା ଅନୁଭବ କରିବା ପରେ ୨୦୧୬ରେ ଡାକ୍ତରଖାନା ଯାଇଥିଲେ। ସେତେବେଳେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଓ ନଭେମ୍ବରରେ ପ୍ରସବ ହେବ ବୋଲି କହିଥିଲେ। ନଭେମ୍ବରରେ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରସବ ବେଦନା ନ ହେବାରୁ ମହିଳା ଜଣକ ପୁନଃ ଡାକ୍ତରଖାନା ଯାଇଥିଲେ। ସେତେବେଳେ ଡାକ୍ତର ସ୍କାନ କରିବା ପରେ ତାଙ୍କୁ କହିଥିଲେ ଯେ ପିଲା ଠିକ୍‍ ଅଛି ଓ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ନଭେମ୍ବର ୨୧ରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଘରୋଇ ଡାଇଗ୍ନୋସିସ୍‍ରେ ସ୍କାନିଂ କରାଯିବା ପରେ ସେ ଗର୍ଭବତୀ ନଥିବା ଏବଂ ତାଙ୍କ ପେଟରେ ଏକ ଟ୍ୟୁମର ବଢୁଥିବା ଜଣାପଡିଥିଲା। ତେବେ ସେ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଗର୍ଭବତୀ ଥିବା କହିଥିଲେ ଓ ଗର୍ଭାବସ୍ଥାର ଔଷଧ ଲେଖିଦେଇଥିଲେ। ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିବା ସହ ଅର୍ଥ ହାନି ପରେ ମହିଳା ଜଣକ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply