ଦେବୋତ୍ଥାନ ଏକାଦଶୀ ଓ ତୁଳସୀ ବିବାହର ମହତ୍ତ୍ୱ , ମିଳିଥାଏ ଅନେକ ଶୁଭଫଳ

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ ହୁଅନ୍ତି, ସେବେଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦେବ ଜାଗରଣ କିମ୍ବା ଉତ୍ଥାନ ହୋଇଥିବାରୁ ଏହାକୁ ଦେବୋତ୍ଥାନ ଏକାଦଶୀ କୁହାଯାଏ। ଆଜି ହେଉଛି ପବିତ୍ର ଦେବୋତ୍ଥାନ ଏକାଦଶୀ। ଏହି ଦିନ ଉପବାସ କରିବା ସହ ତୁଳସୀ ବିବାହର ବିଶେଷ ମହତ୍ତ୍ୱ ରହିଛି।
ଜାଣନ୍ତୁ ତୁଳସୀ ବିବାହ ଓ ଏହାର ମହତ୍ତ୍ୱ-
ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହ ଦେବୀ ବୃନ୍ଦାବତୀ (ତୁଳସୀ)ଙ୍କ ବିବାହ ହୋଇଥାଏ। ତୁଳସୀ ଦଳ ପ୍ରଭୁଙ୍କ ଅର୍ପଣ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ତୁଳସୀ ପୂଜାର ଶ୍ରେଷ୍ଠ ସମୟ ଓ ବିଧି –
ସନ୍ଧ୍ୟା ୭:୫୦ ରୁ ୯:୨୦।
ତୁଳସୀ ଚଉରାକୁ ଭଲ ଭାବେ ବିଭିନ୍ନ ସାମଗ୍ରୀ ଓ ଫୁଲରେ ସଜାଇ ଦିଅନ୍ତୁ।
ତୁଳସୀ ଚଉରାର ଚାରି ପାଖରେ ଆଖୁ ରଖି ମଣ୍ଡପ ଭଳି ପ୍ରସ୍ତୁତ କରନ୍ତୁ।
ତୁଳସୀଙ୍କ ଉପରେ ଲାଲ ରଙ୍ଗର ଓଢଣୀ ରଖନ୍ତୁ। ଲାଲ ଚୂଡ଼ି ଓ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ପୂଜାର ସମସ୍ତ ବିଧି କରନ୍ତୁ।
ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତି ସିଂହାସନ ସହ ତୁଳସୀଙ୍କ ଚାରିପାଖରେ ପରିକ୍ରମା କରନ୍ତୁ। ଆଳତୀ କରି ସମସ୍ତ ପୂଜା ବିଧି ପାଳନ କରନ୍ତୁ।
ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ –
ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ପ୍ରଭୁ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ଆସନରେ ବସାଇ ଚନ୍ଦନ ଅର୍ପଣ କରନ୍ତୁ।

ଏହାପରେ ପ୍ରଭୁଙ୍କ ସମ୍ମୁଖରେ ତୁଳସୀଙ୍କୁ ରଖି ପୂଜା କରନ୍ତୁ। ପୂଜା ପରେ ଆଳତୀ କରି ଶୀଘ୍ର ବିବାହ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

 

Comments are closed.