ସମାଜ ସଂସ୍କାରକ ତୁଳସୀ ମୁଣ୍ଡା-ଶିଶୁ ଶ୍ରମିକରୁ ପଦ୍ମଶ୍ରୀ

0

ଶିକ୍ଷା ଗ୍ରହଣ ପାଇଁ ଦୃଢ଼ ଇଚ୍ଛା ଥିଲା। ମାତ୍ର ପରିସ୍ଥିତିର ଚାପରେ ପଡି ସେ ବନିଯାଇଥିଲେ ଶିଶୁ ଶ୍ରମିକ। ୧୨ ବର୍ଷ ବୟସରେ ଖଣି ଖାଦାନରେ ନିଜ ଭଉଣୀ ସହ କାମ କରିବାକୁ ଯାଇଥିଲେ। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ବଳରେ ପରବର୍ତ୍ତୀ ସମୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। କେବଳ ପରିଚୟ ଗଢ଼ି ନ ଥିଲେ, ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ସମଗ୍ର ନାରୀ ଜାତି ପାଇଁ ଆଦର୍ଶ ପାଲଟି ଯାଇଥିଲେ। ଶ୍ରମିକ ଭାବେ ନିଜ ଜୀବନକୁ ବୁଝିବା ଆରମ୍ଭ କରିଥିବା ସେହି ଶିଶୁ ପରେ ସମାଜ ସଂସ୍କାରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ନିଜର ସେବା ମନୋବୃତ୍ତି ଏବଂ କାର୍ଯ୍ୟଧାରା ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି, ଯାହାଙ୍କ ପାଇଁ ଓଡ଼ିଶା ଆଜି ଗର୍ବ ଅନୁଭବ କରୁଛି। ଏହି ନାରୀନେତ୍ରୀ ଜଣକ ହେଉଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା।

ତୁଳସୀଙ୍କ ଘର କେନ୍ଦୁଝର ଜିଲାର କଇଁଶି ଗ୍ରାମରେ। ସେ ୧୯୪୭ ଜୁଲାଇ ୧୫ରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ କେନ୍ଦୁଝର ରାଜ୍ୟର ଏକ ପଛୁଆ ଜିଲା ଭାବେ ପରିଗଣିତ ହେଉଥିଲା। ଶିଶୁ ଅବସ୍ଥାରେ ସେ ପାଠ ପଢ଼ିବାକୁ ଚାହିଁଥିଲେ। କିନ୍ତୁ ସେତେବେଳେ ଗାଁରେ କେହି ଝିଅମାନଙ୍କୁ ପାଠ ପଢ଼ାଇବାକୁ ଇଚ୍ଛା କରୁ ନ ଥିଲେ। ଶିଶୁ ଶ୍ରମିକ, ଦରିଦ୍ରତା ଭଳି ସାମାଜିକ ସମସ୍ୟାଗୁଡ଼ିକ ତାଙ୍କ ସ୍କୁଲ ଯିବାରେ ବାଧା ସୃଷ୍ଟି କରିଥିଲା। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେ ତାଙ୍କ ଭଉଣୀ ସହ ନିକଟ ସେରେଣ୍ଡା ଗାଁକୁ ଯାଇ ଖଣିରେ କାମ କରୁଥିଲେ। କିନ୍ତୁ କାମରୁ ଯେତେବେଳେ କିଛି ସମୟ ପାଇଁ ଫୁରସତ୍‌ ମିଳୁଥିଲା, ସେତେବେଳେ ସେ ବହି ଧରି ନିଜେ ପଢ଼ୁଥିଲେ।

୧୯୬୧ରେ ସେ ରମାଦେବୀ ଚୌଧୁରୀ, ନିର୍ମଳା ଦେଶପାଣ୍ଡେ ଏବଂ ମାଳତୀ ଚୌଧୁରୀଙ୍କ ଭଳି ସାମାଜିକ ସଂସ୍କାରକଙ୍କ ସଂସ୍ପର୍ଶରେ ଆସିଥିଲେ, ଯେଉଁମାନେ ମହିଳାଙ୍କୁ ଶିକ୍ଷିତ କରାଇବା ପାଇଁ ଉଦ୍ୟମ ଚଳାଇଥିଲେ। କିନ୍ତୁ ଭୂଦାନ ଆନ୍ଦୋଳନ ସମୟରେ ଯେତେବେଳେ ବିନୋବା ଭାବେ ଓଡ଼ିଶା ଗସ୍ତରେ ଆସିଥିଲେ ସେତେବେଳେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା।  ଗରିବଙ୍କୁ ସହାୟତା କରିବା ଦିଗରେ ବିନୋବାଙ୍କ ଆଦର୍ଶ ଏବଂ ଦୂରଦୃଷ୍ଟିରେ ସେ ଅନୁପ୍ରାଣିତ ହେବା ସହ ନିଜ ଜୀବନର ଗତିପଥ ବଦଳାଇବାକୁ ଚେଷ୍ଟା କରିଥିଲେ। ୧୯୬୪ରେ ​‌ସେ ସେରେଣ୍ଡା ଗାଁକୁ ଆସି ଶିଶୁକନ୍ୟା ଏବଂ ମହିଳାମାନଙ୍କୁ ଶିକ୍ଷାଦାନ କରିବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଥିଲେ। ନିଜ ଘରର ଏକ ଛୋଟିଆ ବାରଣ୍ଡାରେ ବସି ପିଲାଙ୍କୁ ପଢ଼ାଉଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ, ନାରୀ ଶିକ୍ଷା, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ​ ସେ ନିଜ ଅଭିଯାନ ଜାରି ରଖିଥିଲେ। ସାମାଜିକ ସଂସ୍କାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଲାଗି କେନ୍ଦ୍ର ସରକାର ୨୦୦୧ରେ ତୁଳସୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ବର୍ତ୍ତମାନ ତୁଳସୀ ଏକ  ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏହାର ନାଁ ରହିଛି ଆଦିବାସୀ ବିକାଶ ସମିତି ସ୍କୁଲ। ଏଠାରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ୫୦୦ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଛି। ବିଗତ ୫୦ ବର୍ଷ ଭିତରେ ସେ ୨୦ ହଜାର ପିଲାଙ୍କୁ ଶିକ୍ଷାଦାନ କରିଥିବା ବେଳେ ନିଜ ଅଞ୍ଚଳରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାର ଉନ୍ନତି ଲାଗି ୧୭ଟି ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସରକାରଙ୍କୁ ସହଯୋଗ କରିଛନ୍ତି।

ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୧ରେ ତୁଳସୀଙ୍କୁ ଓଡ଼ିଶା ଲିଭିଂ ଲିଜେଣ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ତାଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଛି, ଯାହାର ନାଁ ରହିଛି ‘ତୁଳସୀ ଅପା’।

ଆଲେଖ୍ୟ -ନିରାକାର ସାହୁ

Leave A Reply