ଜାମ୍ମୁ କାଶ୍ମୀରର ସବୁଠାରୁ ସମ୍ମାନଜନକ KAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆତଙ୍କବାଦୀଙ୍କ ପୁଅ, ସେନା କଲା ସମ୍ମାନିତ

ଶ୍ରୀନଗର : ଜାମ୍ମୁ କାଶ୍ମରୀ ଦୋଡା ଜିଲାର ଏକ ଦୁର୍ଗମ ଅଞ୍ଚଳ ଗୁଣ୍ଡନାରୁ ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି । ଜାମ୍ମୁ କାଶ୍ମୀର ଆତଙ୍କବାଦର ଗଡ଼ ଥିବା ଗୁଣ୍ଡନା ଅଞ୍ଚଳର ଏକ ଆତଙ୍କବାଦୀଙ୍କ ପୁଅ ଜାମ୍ମୁ କାଶ୍ମୀରର ସବୁଠାରୁ ସମ୍ମାନଜନକ KAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଦୋଡା ଜିଲାର ଏକ ଦୁର୍ଗମ ଅଞ୍ଚଳ ଗୁଣ୍ଡନାରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀ ନିହତ ହେବା ପରେ ପୁଅ ଗାଜୀ ଅବଦୁଲ୍ଲା ଶ୍ରୀନଗରର ଏକ ଅନାଥ ଆଶ୍ରମରେ ପାଳିତ ହୋଇଥିଲେ । ପ୍ରତିକୂଳ ପରିସ୍ଥିତିର ସମସ୍ତ ଆହ୍ବାନର ସମ୍ମୁଖୀନ ହୋଇ ଏହି  ଅଭାଗାପୁତ୍ର ନିଜ ଭାଗ୍ୟ ଲେଖିବା ପାଇଁ କଠିନ ପରିଶ୍ରମ କରିଥିଲେ । ଯାହାର ଫଳ ସେ ଆଜି ପାଇଛନ୍ତି ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିବା ପରେ ସେ ଜାମ୍ମୁ କାଶ୍ମୀରର ସବୁଠାରୁ ସମ୍ମାନଜନକ KAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଠିନ ପରିଶ୍ରମ ବଳରେ ଗାଜୀ ଅବଦୁଲ୍ଲା KAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିବା ପରେ  ଭଟପୁରା ଗ୍ରାମରେ ଗାଜୀଙ୍କ ସମ୍ମାନାର୍ଥେ ସେନା ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଗାଜି ଅବଦୁଲ୍ଲା ବିଦ୍ୟାଳୟର ଛାତ୍ରମାନଙ୍କୁ   ସଂଘର୍ଷର ମଧ୍ୟରେ କିପରି ସେ ଏହି ସଫଳତା ପାଇଲେ ତାହା କହିବା ସହ ଆଗକୁ ବଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ ।

ଗାଜୀ ଅବଦୁଲ୍ଲାଙ୍କ ସମ୍ମାନାର୍ଥେ ସେନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଯୁବକ,ଯୁବତୀ ସାମିଲ ହୋଇ ଗାଜୀଙ୍କ ପ୍ରେରଣାଦାୟକ କାହାଣୀ ଶୁଣିଥିଲେ । ଯେତେବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଗାଜୀଙ୍କୁ  ସଫଳତାର ମନ୍ତ୍ର ମାଗିଥିଲେ, ସେତେବେଳେ ସେ କହିଥିଲେ ଯେ ଯଦି ଆପଣ କଠିନ ପରିଶ୍ରମ ଏବଂ ତାଲିମ ପାଆନ୍ତି ତେବେ କିଛି ଅସମ୍ଭବ ନୁହେଁ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିଷ୍ଠାପର ଉଦ୍ଦେଶ୍ୟ ଆବଶ୍ୟକ ହୋଇଥାଏ । ଜଣେ ଗରିବ ପିଲାରୁ ପ୍ରଶାସନିକ ଅଧିକାରୀ ହେବାର ଯାତ୍ରାରେ ଅନେକ ଅସୁବିଧା ହୋଇଛି କିନ୍ତୁ ସେ ସବୁରେ ମୁଁ ହାର ମାନିନଥିଲି । ଆତଙ୍କବାଦର ପରିବେଶ ବାହାରେ ଯୁବପୀଢିଙ୍କ ପାଇଁ ଅଗଣିତ ସୁଯୋଗ ରହିଛି । ଥରେ ଏହି ପରିବେଶରୁ ବାହାରି ଆମକୁ ବାହାର ଦୁନିଆ ବିଷୟରେ ଜାଣିବା ଆବଶ୍ୟକ । ଗାଜି ଅବଦୁଲ୍ଲା ଆହୁରୀ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଶିକ୍ଷା ପାଇବା ଅତି ସହଜ ହୋଇଛି । ଯଦି ଆପଣଙ୍କର ଇଚ୍ଛା ଥିବ ତେବେ ଯେକୌଣସି ପରିସ୍ଥିତିରେ ମଧ୍ୟ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ।

ସେନା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେନାର ଜଣେ ବରିଷ୍ଠ ଅଧିକାରୀ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଗାଜି ଅବଦୁଲ୍ଲା କିପରି ପରିଶ୍ରମ ଦ୍ୱାରା ଭାଗ୍ୟ ବଦଳାଇ ପାରିଲେ ତାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଆତଙ୍କବାଦ, ଦାରିଦ୍ର ଏବଂ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଗାଜୀ ସମ୍ମାନଜନକ KAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଣୁ ଅନ୍ୟ ଛାତ୍ରଛାତ୍ରୀମାନ ମଧ୍ୟ ଗାଜୀଙ୍କୁ ଅନୁସରଣ କରିବା ଆବଶ୍ୟକ ।

Comments are closed.