ନିଜକୁ ଜୀବନ୍ତ ପ୍ରମାଣ କରିବାକୁ ନୟାନ୍ତ ହେଲେଣି ଏହି ଚାଷୀ

0

ଭୋପାଳ: ମୃତ୍ୟୁ ପ୍ରମାଣପତ୍ରକୁ ସରକାର ବାଧ୍ୟତାମୂଳକ କରିଛନ୍ତି। କୌଣସି ବ୍ୟକ୍ତିଙ୍କ ସ୍ୱାଭାବିକ କିମ୍ବା ଅସ୍ୱାଭାବିକ ମୃତ୍ୟୁ ହେଲେ ସେମାନଙ୍କ ପରିବାର ବର୍ଗକୁ ଆର୍ଥିକ, ବୀମା ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ପ୍ରମାଣପତ୍ର ଅପରିହାର୍ଯ୍ୟ ଥିବାରୁ ସରକାର ମୃତ୍ୟୁ ପ୍ରମାଣପତ୍ର ଉପରେ ଗୁରୁତ୍ୱାରୋପ କରିଛନ୍ତି। କିନ୍ତୁ ନିଜକୁ ଜୀବନ୍ତ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ପତ୍ରର କୌଣସି ଆବଶ୍ୟକ ରହିଛି କି?ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଛତର୍‍ପୁର ଜିଲାରେ। ସେଠାକାର ଜଣେ ଚାଷୀ ନିଜକୁ ଜୀବନ୍ତ ବୋଲି ପ୍ରମାଣ କରିବାକୁ ସରକାରୀ ଦପ୍ତରକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି।
ବାହାଦୁରପୁର ନିବାସୀ ରାମେଶ୍ୱର ପଟେଲ୍‍ ନାମକ ଏହି ଚାଷୀଙ୍କୁ ଜଣେ ଡାକ୍ତର ମୃତ ବୋଲି ପ୍ରମାଣପତ୍ର ଦେଇଥିଲେ। ଏହି ରିପୋର୍ଟ ଆଧାରରେ ସରକାରୀ ରାଜସ୍ୱ ରେକର୍ଡରେ ମଧ୍ୟ ତାଙ୍କୁ ମୃତ ବୋଲି ଦର୍ଶାଯାଇଛି। ଏହାପରେ ରାମେଶ୍ୱର ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏପରିକି ରାମେଶ୍ୱରଙ୍କ ନାମରେ ଥିବା ଏକ ଜମି ମଧ୍ୟ ତାଙ୍କ ହାତରୁ ଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଏ କଥା ଜାଣିବା ପରେ ରାମେଶ୍ୱର ବିଭିନ୍ନ ସରକାରୀ ଦପ୍ତରକୁ ଦୌଡ଼ି ଦୌଡ଼ି ନିଜକୁ ଜୀବନ୍ତ ବୋଲି ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଉକ୍ତ ଡାକ୍ତରୀ ରିପୋର୍ଟକୁ ଆଳ କରି ବିଷ୍ଣୁ ସୋନି ନାମକ ଜଣେ ସରକାରୀ କର୍ମଚାରୀ ରାମେଶ୍ୱରଙ୍କୁ ରାଜସ୍ୱ ରେକର୍ଡରେ ମୃତ ବୋଲି ଦର୍ଶାଇଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ବିଷ୍ଣୁ ଏଭଳି କାଣ୍ଡ କରିଥିବା ରାମେଶ୍ୱର କହିଛନ୍ତି। ଶେଷରେ ତହସିଲ୍‍ଦାର ଏହି ତ୍ରୁଟି ସୁଧାରିବାକୁ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Leave A Reply