ଚିନ୍ତାକଳ୍ପ : ଜୀବନର ସତ୍ୟ

ବୋଧିବୃକ୍ଷ ତଳେ ଉପବେଶନ କରିଥାନ୍ତି ତଥାଗତ। ସେ ସମୟକୁ ବହୁ ଈପସିତ ବୁଦ୍ଧତ୍ବ ପ୍ରାପ୍ତି ହୋଇସାରିଥାନ୍ତି। ମୁଖ ମଣ୍ଡଳ ଏକ ଅପୂର୍ବ ଦୀପ୍ତିରେ ଉଦ୍‌ଭାସିତ ହୋଇ ଉଠିଥାଏ। ଚେହେରାରେ ମଧ୍ୟ ପରିଲକ୍ଷିତ ହେଉଥାଏ ଏକ ଅନିର୍ବଚନୀୟ ଦ୍ୟୁତି। ମନେ ହେଉଥାଏ ସମୟ ତାଙ୍କ ନିକଟରେ ଅଟକି ଯାଇଛି। ଚିତ୍ତ ପରମସତ୍ତାରୂପୀ ମହାସାଗରରେ ବିଲୀନ ହେଲାଭଳି ପ୍ରତୀତ ହେଉଥାଏ। ବିଷୟବାସନା ଭିତରେ ମଜ୍ଜି ରହିଥିବା ମାନବକୁ ମୁକ୍ତି ଓ ନିର୍ବାଣର ମନ୍ତ୍ର ଦେବାପାଇଁ ମାର୍ଗ ପ୍ରଶସ୍ତ ହୋଇଯାଇଥାଏ।
ଠିକ୍‌ ଏହି ସମୟରେ ସମ୍ମୁଖ ମାର୍ଗ ଦେଇ ଯାଉଥାନ୍ତି ଏକ ଶବକୁ କାନ୍ଧେଇ ବାହକମାନେ। ଶବାଧାରର ପଛରେ କିଛି ପରିଜନ କାନ୍ଦିକାନ୍ଦି ଚାଲିଥାନ୍ତି। ତଥାଗତ ସେଦିଗକୁ କିଛି ସମୟ ନିିର୍ନିମେଷ ନୟନରେ ଚାହିଁ ପର ମୁହୂର୍ତ୍ତରେ ହସିଥିଲେ। ପାଖରେ ଉପବେଶନ କରିଥାନ୍ତି ସୁଜାତା ନାମ୍ନୀ ଜଣେ ଶିଷ୍ୟା। ସୁଜାତା ଲକ୍ଷ୍ୟ କରିଥିଲେ ଶବବାହକମାନଙ୍କୁ ଦେଖି ତଥାଗତଙ୍କ ହସିବାକୁ। ଅତି ଆଶ୍ଚର୍ଯ୍ୟ ହୋଇ କହିଲେ- ‘ପ୍ରଭୁ! ଏ କି ବିଲକ୍ଷଣ ଆପଣଙ୍କଠାରେ?’
‘କି ବିଲକ୍ଷଣ ଲକ୍ଷ୍ୟ କଲ’- ତଥାଗତ ପ୍ରଶ୍ନ କଲେ।
‘ପ୍ରଥମେ ଶବ ଦେଖି ଆପଣ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏବେ ହସିଲେ ଯେ-’ ସୁଜାତା ପ୍ରଶ୍ନ କରିଥିଲେ।
ସାଂସାରିକ ଦୁଃଖଶୋକରୁ ରାଜପୁତ୍ର ସିଦ୍ଧାର୍ଥଙ୍କୁ ଦୂରେଇ ରଖିବା ପାଇଁ ପିତା ଶୁ‌େଦ୍ଧାଧନ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ। ବିଶେଷ କରି ରୋଗୀ, ଜରାଗ୍ରସ୍ତ ବ୍ୟକ୍ତି, ଶବ, ଏସବୁ ଯେପରି ତାଙ୍କର ନଜରରେ ନପଡ଼େ ସେ ଦିଗପ୍ରତି ବେଶ୍‌ ସଚେଷ୍ଟ ଥିଲେ। ଏପରିକି ରାଜୋଦ୍ୟାନରେ ଗଛରେ ଶୁଖିଲା ପତ୍ର ମଧ୍ୟ ରଖାଯାଉ ନଥିଲା। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଘଟଣାଚକ୍ରରେ ଶବକୁୁ ଦେଖିଲା ପରେ ସଂସାରରେ ଅଳିକତା ବିଷୟରେ ଜାଣିବାକୁ ପାଇ ଦୁଃଖାଭିଭୂତ ହୋଇପଡ଼ିଥିଲେ। ଶେଷରେ ଜଣେ ପ୍ରସନ୍ନ ବଦନ, ଗୈରିକବସନ ପରିହିତ ସନ୍ନ୍ୟାସୀଙ୍କୁ ଦେଖି ଗୃହତ୍ୟାଗର ନିଷ୍ପତ୍ତି ନେଇଥିଲେ। ପୂର୍ବର ସେହି ଅନୁଭୂତିକୁ ସୁଜାତା ମନେ ପକାଇ ଦେଇଥିଲେ। ତଥାଗତଙ୍କ ବାଲ୍ୟନାମ ଥିଲା ସିଦ୍ଧାର୍ଥ।
ତଥାଗତ ଏହା ଶୁଣି ହସିହସି କହିଥିଲେ- ପୁତ୍ରୀ ! ଶରୀର କାଲି ନଥିଲା କି ଆଜି ମଧ୍ୟ ନାହିଁ। ସବୁ ଖାଲି ମାୟା। ହସ ଲାଗିଲା ଏଇଥିପାଇଁ ଯେ ଏହି ଜଡ଼ପିଣ୍ଡ ପ୍ରତି ମଣିଷର ଅସମ୍ଭବ ଆସକ୍ତି ଦେଖି, ଯାହା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ। ଯେକୌଣସି ମୁହୂର୍ତ୍ତରେ ମୃତ୍ୟୁର ସ୍ପର୍ଶ ଲାଭ କରିପାରେ। କେହି ବି ଏଥିରୁ ବାଦ ଯିବେନି। ହେଲେ ଏହି ମରଣ ଧର୍ମୀ ଶରୀର ପାଇଁ ମଣିଷ ଶାଶ୍ବତ ସତ୍ୟ ଭୁଲିଯାଉଛି ଯାହା ସୃଷ୍ଟି ସୃଜନର ମୂଳମନ୍ତ୍ର (ଜନ୍ମହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ)
ମାତ୍ର କେତୋଟି ବାକ୍ୟ ଭିତରେ ତଥାଗତ ‘ଜୀବନରେ ସତ୍ୟ’ (ସାରତତ୍ତ୍ବ) ଶୁଣାଇଥିଲେ ସୁଜାତାଙ୍କୁ। ସୁଜାତା ଏହାର ମର୍ମ ଉପଲବ୍ଧି କରିପାରିଥିଲେ ଓ ତଥାଗତଙ୍କ ସାନ୍ନିଧ୍ୟ ଲାଭରେ ସୁଜାତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା।

Comments
Loading...