ଆର୍ଥିକ କ୍ଷେତ୍ରରେ ବିଶ୍ୱାସ ଓ ସ୍ୱଚ୍ଛତା ବେଶି ଗୁରୁତ୍ୱପୂର୍ଣ୍ଣ – ମୋଦୀ

କୃଷକ, ପ୍ରକ୍ରିୟାକରଣ କେନ୍ଦ୍ର, ଏମଏସଏମଇ ଓ ଷ୍ଟାର୍ଟଅପ କମ୍ପାନୀଗୁଡ଼ିକ ଆତ୍ମନିର୍ଭର ଭାରତକୁ ଆଗେଇ ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଆର୍ଥିକ କ୍ଷେତ୍ରରେ ବଜେଟ୍‍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ୱେବିନାରରେ ଶ୍ରୀ ମୋଦୀ କହିଛନ୍ତି, ଆର୍ଥିକ କ୍ଷେତ୍ରକୁ ନେଇ ସରକାରଙ୍କ ଅଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ସେ କହିଛନ୍ତି, ଆର୍ଥିକ କ୍ଷେତ୍ରରେ ବିଶ୍ୱାସ ଓ ସ୍ୱଚ୍ଛତା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ଏନ୍‍.ଡି.ଏ. ସରକାରଙ୍କ ଅଧୀନରେ ଉଭୟ ବ୍ୟାଙ୍କିଙ୍ଗ୍‍ ଓ ଅଣ-ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି ଓ ଏହି କ୍ଷେତ୍ରଗୁଡ଼ିକ ଅଧିକ ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ ହୋଇପାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ଓ ବ୍ୟାଙ୍କିଙ୍ଗ୍‍ କ୍ଷେତ୍ର ୧୦ ବର୍ଷ ପୂର୍ବେ ଦୁର୍ବଳ ହୋଇଯାଇଥିଲା। ବର୍ତ୍ତମାନ ସରକାରଙ୍କ ନୀତି ଯୋଗୁଁ ଏହି କ୍ଷେତ୍ରଗୁଡ଼ିକ ଠିକ୍‍ ରାସ୍ତାରେ ଯାଉଛି। ସେ କହିଛନ୍ତି, ସ୍ୱଚ୍ଛତା ନ ଥାଇ କାରବାର କରାଯିବା ବ୍ୟବସ୍ଥାକୁ ସରକାର ଲୋପ୍‍ କରିଛନ୍ତି। ସେ ପୁଣି କହିଛନ୍ତି, ଆଦାୟ ହୋଇପାରୁ ନ ଥିବା ଋଣଗୁଡ଼ିକ ବିଷୟରେ ବ୍ୟାଙ୍କ୍‍ଗୁଡିକ ଜଣାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଚଳିତ ବର୍ଷର ବଜେଟ୍‍ର ମୁଖ୍ୟ ବିଷୟଗୁଡ଼ିକୁ ଉଲ୍ଲେଖ କରି ବେସରକାରୀ କ୍ଷେତ୍ରର ଅଧିକ ଅଂଶଗ୍ରହଣ ପାଇଁ ସେ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିବା ସକାଶେ ବ୍ୟାଙ୍କିଙ୍ଗ୍‍ ଓ ବୀମା କ୍ଷେତ୍ରରେ ରାଷ୍ଟ୍ରାୟତ କ୍ଷେତ୍ରର ଅଧିକ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି, ଦେବାଳିଆ ଆଇନ୍‍ ବ୍ୟାଙ୍କ୍‍ ଗୁଡ଼ିକର ମନୋବଳ ବୃଦ୍ଧି କରିଛି। ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ଦେଶର ଅଧିକ
ଲୋକଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରାଯାଇ ପାରିଛି। ସେ କହିଛନ୍ତି, ଜନଧନ ଜମାଖାତା ଖୋଲିବା ପାଇଁ ଦେଶର ୧୩୦ କୋଟି ଲୋକଙ୍କୁ ଆଧାରକାର୍ଡ ଯୋଗାଇ ଦିଆଯାଇଛି ଓ ଜନଧନ ଜମାଖାତା ଖୋଲାଯିବା ପରେ ୪୧ କୋଟି ଲୋକ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ବିକାଶକୁ ଦେଖିଲେ ଦେଶର ଆର୍ଥିକ ବୈଷୟିକ ଜ୍ଞାନ କ୍ଷେତ୍ର ଆସନ୍ତା ୫ ବର୍ଷ ଭିତରେ ୬ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଯିବ।

Comments are closed.