ଯୁଦ୍ଧମୁହାଁ ଇରାନ, ଟ୍ରମ୍ପଙ୍କ ହୁଙ୍କାର

ୱାଶିଂଟନ: ଇରାନ ସହିତ ଆମେରିକା ଯୁଦ୍ଧ ଚାହୁଁନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ବି ଇରାନ ନଛୋଡ଼ବନ୍ଧା। ଶାନ୍ତି ପାଇଁ ଆମେରିକାର ପ୍ରୟାସ ସତ୍ବେ ଇରାନ ପୁଣି ଥରେ ଆମେରିକା ଦୂତାବାସ ଉପରକୁ ରକେଟ୍‌ ମାଡ଼ କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୋଧରେ ହୁଙ୍କାର ଦେଇଛନ୍ତି। ଅମେରିକୀୟମାନଙ୍କ ସୁରକ୍ଷା ଲାଗି ସେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥିବାବେଳେ ନିଜର ପ୍ରତିଟି ଭାଷଣରେ ରାଷ୍ଟ୍ରବାଦର କଥା କହୁଛନ୍ତି। ଓହାୟୋର ଟୋଲେଡୋରେ ଆୟୋଜିତ ଏକ ସଭାରେ ଟ୍ରମ୍ପ ଇସଲାମିକ ଆତଙ୍କବାଦକୁ ହରାଇବୁ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଆମେରିକା ନାଗରିକମାନଙ୍କୁ ରକ୍ଷା କରିବା ଲାଗି କିଛି ବି କରିପାରେ। ଏଥିପାଇଁ ଆମେରିକା କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। କଠୋରପନ୍ଥୀ ଇସଲାମୀ ଆତଙ୍କବାଦକୁ ହରାଇବା ଲାଗି କାମ କରିବା ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ଏହାବ୍ୟତୀତ ସେ ନିର୍ବାଚନୀ ପ୍ରଚାର ସମୟରେ ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ଉପରେ ବର୍ଷିଥିଲେ। ଡେମୋକ୍ରାଟିକ ପାର୍ଟି ଉଚ୍ଚ ଟିକସ, ଆପରାଧିକ କାର୍ଯ୍ୟ, ଦେଶର ସୀମାକୁ ବିପଦରେ ପକାଉଥିବା ଦୁର୍ନୀତିଗ୍ରସ୍ତ ଦଳ। କିନ୍ତୁ ରିପବ୍ଲିକ ପାର୍ଟି ଆମେରିକା କାର୍ଯ୍ୟକର୍ତ୍ତା, ଆମେରିକାର ପରିବାର ଏବଂ ଆମେରିକୀୟଙ୍କ ସ୍ବପ୍ନର ଦଳ ବୋଲି ଟ୍ରମ୍ପ କହିଛନ୍ତି।

Comments are closed.