ପର୍ଲ ହାରବର୍ ଓ ୯/୧୧ ଆକ୍ରମଣଠାରୁ ବି ଭୟଙ୍କର କରୋନା ସଙ୍କଟ – ଟ୍ରମ୍ପ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି ଯେ ଏବେ ବିଶ୍ୱରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ପର୍ଲ ହାରବର୍ ଓ ୯/୧୧ ଆକ୍ରମଣଠାରୁ ମଧ୍ୟ ଭୟଙ୍କର। ସମ୍ପ୍ରତି ଆମେରିକାର ଏକ ମାସ୍କ ପ୍ରସ୍ତୁତକାରୀ କମ୍ପାନୀକୁ ଗସ୍ତରେ ଯାଇଥିବା ବେଳେ ଟ୍ରମ୍ପ ଏହା କହିଛନ୍ତି। ଅଦ୍ୟାବଧି ବିଶ୍ୱରେ ଏହି ଭୁତାଣୁ ପ୍ରଭାବରେ ୩୭ ଲକ୍ଷ ୮୮ ହଜାର ୭ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୧ ହଜାର ୯୦୧ ଜଣଙ୍କ ପ୍ରାଣହାନୀ ଘଟିଛି। କେବଳ ଆମେରିକାରେ କରୋନା ସଂକ୍ରମଣରେ ୧୨ ଲକ୍ଷ ୪୬ ହଜାର ୪୬୨ ଜଣ ପୀଡିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩ ହଜାର ୨୩୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ସାରା ବିଶ୍ୱରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱ ଅର୍ଥନୀତିକୁ କ୍ଷତି ପହଂଚିବାରେ ଲାଗିଛି। ଯଦିଓ ୧୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି, ତଥାପି ବିଶ୍ୱରେ ଆରୋଗ୍ୟ ହାର ମାତ୍ର ୩୩ ପ୍ରତିଶତ ରହିଛି। ଆମେରିକା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରଭାବିତ ଦେଶ ହୋଇ ରହିଛି କିନ୍ତୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ଟ୍ରମ୍ପ ପ୍ରଶାସନ ସେଠାକାର ଗଭର୍ଣ୍ଣରମାନଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ଲାଗି ଚାପ ପ୍ରୟୋଗ କରୁଛନ୍ତି।

ସୂଚନା ଯୋଗ୍ୟ ଯେ ୧୯୪୧ ମସିହା ଡିସେମ୍ବର ୭ରେ ଜାପାନୀ ସେନା ପକ୍ଷରୁ ଆମେରିକାର ନୌସେନା ଘାଟି ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଆମେରିକାର ୩୦୦ଟି ଯୁଦ୍ଧ ଜାହାଜ ସମେତ ୨୦ଟି ଜଳ ଜାହାଜ ସମ୍ପୂର୍ଣ୍ଣ ଧ୍ବଂସ ପାଇଯାଇଥିଲା ଓ ୨୪୦୦ ଆମେରିକୀୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୦୧ ସେପ୍ଟେମ୍ବର ୧୧ରେ ଇସ୍ଲାମିକ ଆତଙ୍କବାଦୀ ସଂଗଠନର ନ୍ୟୁଅର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ଫଳରେ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

Comments are closed.