ଶେଷରେ ମାସ୍କ ପିନ୍ଧିଲେ ଟ୍ରମ୍ପ: କହିଲେ ମୁଁ ମାସ୍କ ପିନ୍ଧାର ବିରୋଧୀ ନୁହେଁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଶନିବାର ପ୍ରଥମଥର ପାଇଁ ସାର୍ବଜନୀକ ସ୍ଥାନରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ସାମରିକ ଡ଼ାକ୍ତରଖାନାରେ ଭର୍ତି ଆହତ ଯବାନଙ୍କୁ ଦେଖିବା ପାଇଁ ସେ ମାସ୍କ ପିନ୍ଧି ଯାଇଥିବା ଦେଖାଯାଇଥିଲା । ସେ କଳା ମାସ୍କ ପିନ୍ଧିଥିଲେ ଓ ଏଥିରେ ପ୍ରେସିଡ଼େନସିଆଲ ସିଲ୍ ଲାଗିଥିଲା । ଯେତେବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଏହାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ଟ୍ରମ୍ପ କହିଥିଲେ ମୁଁ କେବେ ବି ମାସ୍କ ପିନ୍ଧିବାକୁ ବିରୋଧ କରି ନ ଥିଲି, ମାତ୍ର ଏଥିପାଇଁ ଉପଯୁକ୍ତ ସ୍ଥାନ ଓ ସମୟ ଆବଶ୍ୟକତା ଥିଲା । ସେ କହିଥିଲେ ଆପଣମାନେ ଜାଣି ରଖିବା ଆବଶ୍ୟକ ଯେ ମୋ ପାଖରେ ସବୁବେଳେ ଗୋଟିଏ ମାସ୍କ ଗଚ୍ଛିତ ଥାଏ । ଡ଼ାକ୍ତରଖାନାରେ ଆହତମାନଙ୍କୁ ଦେଖିବାକୁ ଆସିବା ସମୟରେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି ।

ସିଏନ୍ଏନ୍ ରିପୋର୍ଟ ଅନୁସାରେ ହ୍ବାଇଟ୍ ହାଉସର ସହଯୋଗୀ ଓ ରାଜନୈତିକ ପରାମର୍ଶଦାତାଙ୍କ ଅଭିଯାନ ଯୋଗୁଁ ଟ୍ରମ୍ପ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି । ଟ୍ରମ୍ପଙ୍କ ସହ ସମସ୍ତ ସହଯୋଗୀ ମଧ୍ୟ କଳା ରଙ୍ଗର ମାସ୍କ ପିନ୍ଧିଥିବା ଦୃଷ୍ଟିଗୋଚର ହୋଇଛି । ଆମେରିକାରେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକମାନଙ୍କୁ ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ନିଜେ ଟ୍ରମ୍ପ ଏହାକୁ କାର୍ଯ୍ୟକାରୀ କରୁ ନ ଥିଲେ । ସେ କୌଣସି ରାଲି, ଗଣମାଧ୍ୟମ ସମ୍ବୋଧନ ସମୟରେ ମାସ୍କ ପିନ୍ଧୁଥିବା ଦେଖାଯାଇ ନ ଥିଲା । ଏପରିକି ହ୍ବାଇଟହାଉସର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ମଧ୍ୟ ଟ୍ରମ୍ପ ମାସ୍କ ପିନ୍ଧି ନ ଥିଲେ ।

ସମ୍ପ୍ରତି ଆମେରିକା କରୋନାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଦେଶରେ ୩୩.୫୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । କେବଳ ଶନିବାର ଦେଶରେ ୬୧୭୧୯ ନୂଆ ସଂକ୍ରମଣ ରିପୋର୍ଟ ଆସିଛି । ଦେଶରେ ୧.୩୭ ଲକ୍ଷ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Comments are closed.