ଟିକଟକକୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମହଲତ; ବିକ୍ରି ନ ହେଲେ ଆମେରିକାରୁ ବିଦା

ଟିକଟକକୁ ମାଇକ୍ରୋସଫ୍ଟ କିଣିବା ନେଇ କଥାବାର୍ତା ଆରମ୍ଭ

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ପୁଣିଥରେ ଚୀନ ମୋବାଇଲ୍ ଆପ୍ ଟିକଟକକୁ ଦେଇଛନ୍ତି ଚେତାବନୀ । ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଟିକଟକ୍ ବିକ୍ରି ନ ହେଲେ ଏହି ଚୀନ୍ ଆପକୁ ଆମେରିକାରୁ ବାହାର କରିଦିଆଯିବା ରାସ୍ତା ଦେଖାଇ ଦିଆଯିବ । ସେ କହିଛନ୍ତି ଯେ ୧୫ ସେପ୍ଟେମ୍ବର ତାରିଖ ଧାର୍ଯ୍ୟ, ଏହା ମଧ୍ୟରେ ମାଇକ୍ରୋସଫ୍ଟ ବା ଅନ୍ୟ କମ୍ପାନୀ ସହ ଟିକଟକ୍ ନିଜର କଥାବାର୍ତା ଶେଷ କରିବା ଆବଶ୍ୟକ । ଏହା ନ ହେଲେ ଆମେରିକାରେ ଏହା ଉପରେ ପ୍ରତିବନ୍ଧକ ଲଗାଯିବ ।

ଆଇଟି ସେକ୍ଟରର ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚୀନ କମ୍ପାନୀ ଟିକଟକର ଆମେରିକା ବ୍ୟବସାୟ ନିମନ୍ତେ କ୍ରୟ ପ୍ରକ୍ରିୟା ଅବ୍ୟାହତ ରହିଛି । କମ୍ପାନୀର ମୁଖ୍ୟ ତଥା ସିଇଓ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡ଼େଲା ଓ ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ମଧ୍ୟରେ ଏ ନେଇ କଥାବାର୍ତା ହୋଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗରେ ସେ କୌଣସି ସାଲିସ କରିପାରିବେ ନାହିଁ । ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଶାସକୀୟ ଆଦେଶକୁ ବ୍ୟବହାର କରିବାକୁ କୁଣ୍ଠାବୋଧ କରିବେ ନାହିଁ ।

ବ୍ଲୁମବର୍ଗ ଓ ୱାଲ ଷ୍ଟ୍ରୀଟ ଜର୍ଣ୍ଣଲ ପ୍ରକାଶିତ ସୂଚନା ଅନୁସାରେ ଟ୍ରମ୍ପ ପ୍ରଶାସନ ଟିକଟକକୁ ମାଲିକାନା ବିକ୍ରି ନିମନ୍ତେ ଆଦେଶ ଦେଇପାରନ୍ତି । ଏହି ପ୍ରକାର ନିର୍ଦେଶନାମା ଦୁଇଦିନ ମଧ୍ୟରେ ଜାରି ହୋଇପାରେ । ଟିକଟକ୍ ବନ୍ଦ କରିବା ପ୍ରସ୍ତାବକୁ ଆମେରିକାର ବହୁ ନେତା ସମର୍ଥନ କରୁଛନ୍ତି । ସିନେଟର ମାର୍କୋ ରୁବିୟୋ କହିଛନ୍ତି ବର୍ତମାନ ଟିକଟକ ଫର୍ମାଟ ଆମ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନିମନ୍ତେ ବିପଦ ସୃଷ୍ଟି କରିପାରେ ।

ଅନ୍ୟପକ୍ଷରେ ଟିକଟକ୍ ପରିଚାଳନା କର୍ତ୍ତୃପକ୍ଷ ଗତ କିଛି ମାସ ହେଲା ଚୀନରୁ ଦୂରେଇବାକୁ ଆରମ୍ଭ କରିଛି । ମେ ମାସରେ କମ୍ପାନୀ ଡ଼ିଜନୀ ସହ ଜଡ଼ିତ କେବିନ ମେୟରଙ୍କୁ ସିଇଓ ନିଯୁକ୍ତି ଦେଇଛି । ଏହାର ମୂଳ କମ୍ପାନୀର ଅଫିସ ଲସ ଏଞ୍ଜଲେସ୍, ଲଣ୍ଡନ, ପ୍ୟାରିସ, ବର୍ଲିନ, ଦୁବାଇ, ମୁମ୍ବାଇ, ସିଙ୍ଗାପୁର, ଜାକର୍ତା, ସିଓଲ ଓ ଟୋକିଓରେ ରହିଛି । ଗତ ମାସରେ କମ୍ପାନୀ ନିଜର ମୁଖ୍ୟାଳୟ ବେଜିଂରୁ ୱାଶିଂଟନ ଉଠାଇନେବା କଥା ମଧ୍ୟ କହିଥିଲା ।

ଭାରତରେ ଟିକଟକ୍ ସମେତ ୧୦୬ ଚୀନୀ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲାଗିଛି । ସୂଚନା ଅନୁସାରେ ଭାରତ ସରକାର ଏବେ ମୋବାଇଲ୍ ଆପ୍ ସଂକ୍ରାନ୍ତରେ ନୂଆ ନିୟମ ପ୍ରଣୟନ ଯୋଜନାରେ ଅଛନ୍ତି । ଏହି ନୂଆ ନିୟମ ପ୍ରଣୟନ କାର୍ଯ୍ୟ ଆରମ୍ଭ ହୋଇଛି । ସାଇବର ସୁରକ୍ଷାକୁ ବୃଦ୍ଧି ଓ ଭାରତୀୟଙ୍କ ଡ଼ାଟା ସୁରକ୍ଷା ନିମନ୍ତେ ଏହି ନିୟମ ଅଣାଯିବ ।

Comments are closed.