କ୍ଷତିଗ୍ରସ୍ତ ହେବେ ଭାରତୀୟ ଆଇଟି ବୃତ୍ତିଧାରୀ, ଏଚ-୧ବି ଭିସା ପ୍ରତିବନ୍ଧକ ଅବଧି ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ବୃତ୍ତିଧାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏଚ-୧ବି ଭିସା ସହିତ ଅନ୍ୟ ପ୍ରକାରର ବିଦେଶୀ କାର୍ଯ୍ୟ ଭିସା ଉପରେ ଥିବା ପ୍ରତିବନ୍ଧକ ୩ ମାସ ବୃଦ୍ଧି କରିଛନ୍ତି। କୋଭିଡ ମହାମାରୀ ପରିସ୍ତିତିକୁ ବିଚାରକୁ ନେଇ ଏବେ ଟିକା ମିଳିବା ଆରମ୍ଭ ହୋଇଥିବାରୁ ଏବଂ ଆମେରିକାର ବୃତ୍ତିଧାରୀଙ୍କ ଏହା ଉପରେ କେଉଁ ପ୍ରକାର ପ୍ରଭାବ ପକାଇବ ତାହା ସ୍ପଷ୍ଟ ହେଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ତେବେ ଏହି ନିଷ୍ପତ୍ତି ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଅନେକ ଆମେରିକୀୟ ଏବଂ ଭାରତୀୟ କମ୍ପାନୀ ଉପରେ ପ୍ରଭାବ ପକାଇବ ଯେଉଁମାନଙ୍କୁ ୨୦୨୧ ଆର୍ଥିକ ବର୍ଷ ପାଇଁ ଅକ୍ଟୋବର ୧ରୁ ଆମେରିକା ସରକାରଙ୍କ ପକ୍ଷରୁ ଏଚ-୧ବି ଭିସା ପ୍ରଦାନ କରାଯାଇଥିଲା।

ଗତ ବର୍ଷ ଏପ୍ରିଲ ୨୨ ଏବଂ ଜୁନ୍ ୨୨ରେ ଦୁଇଟି ଘୋଷଣା ମାଧ୍ୟମରେ ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ବର୍ଗର କାର୍ଯ୍ୟ ଭିସା ଉପରେ କଟକଣା ଜାରି କରିଥିଲେ। ୨୦୨୦ ଡିସେମ୍ବର ୩୧ରେ ଏହି କଟକଣା ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ଗୁରୁବାର ଦିନ ଆଉ ଏକ ଘୋଷଣା ଜାରି କରି ଏହି କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଯେଉଁ କାରଣ ପାଇଁ ଏହି ପ୍ରତିବନ୍ଧକ ଜାରି କରାଯାଇଥିଲା ତାହା ଏଯାଏଁ ଦୂର ହୋଇନାହିଁ।

ଏଚ-୧ବି ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା ଯାହା ଆମେରିକୀୟ କମ୍ପାନୀଗୁଡିକୁ ବିଦେଶୀ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ବୃତ୍ତିରେ ନିୟୋଜିତ କରିବାକୁ ଅନୁମତି ଦେଇଥାଏ। ଆମେରିକୀୟ ଆଇଟି କମ୍ପାନୀଗୁଡିକ ଭାରତ ଏବଂ ଚୀନ୍ ପରି ଦେଶରୁ ପ୍ରତିବର୍ଷ ହଜାର ହଜାର କର୍ମଚାରୀ ନିଯୁକ୍ତି ପାଇଁ ଏହା ଉପରେ ନିର୍ଭର କରନ୍ତି। ଅନ୍ୟପକ୍ଷରେ ଏଚ-୧ବି ଭିସା ପାଇଥିବା ବୃତିଧାରୀଙ୍କୁ ନବୀକରଣ ପାଇଁ ଚଳିତ ବର୍ଷ ମାର୍ଚ୍ଚ ଯାଏଁ ଅପେକ୍ଷା କରିବାକୁ ପଡିବ।

Comments are closed.