ଯୁଦ୍ଧ ବନ୍ଦ ପାଇଁ ଏଭଳି ନିଷ୍ପତ୍ତି ନେଲୁ – ଟ୍ରମ୍ପ

- ଆମେ ସୁଲେମାନୀକୁ ଧରିଲୁ ଓ ହତ୍ୟା କଲୁ, ଏବେ ଆଉ ତାର ଭୟ ରହିବ ନାହିଁ: ଟ୍ରମ୍ପ

ଡେସ୍କ: ଇରାକ୍‍ ସ୍ଥିତ ବାଗଦାଦ ଆନ୍ତର୍ଜାତିକ ବିମାନ ବନ୍ଦର ଉପରେ ଆମେରିକା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ କୁଦୁସ୍‍ ଫୋର୍ସର ମୁଖ୍ୟ ଜେନେରାଲ୍‍ କାସିମ୍‍ ସୁଲେମାନୀର ମୃତ୍ୟୁ ହୋଇଛି। ଆମେରିକା ପ୍ରତିରକ୍ଷା ବିଭାଗ ଏବଂ ହ୍ୱାଇଟ୍‍ ହାଉସ୍‍ ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଇରାନ୍‍ର ସରକାରୀ ଗଣମାଧ୍ୟମ ଏ ନେଇ ଜାରି କରିଥିବା ସୂଚନାରେ ଜେନେରାଲ୍‍ କାସିମ ସୁଲେମାନୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ଇରାକର ଅବୁ ମହଦି ଅଲ୍‍ ମୁହାଦିସ୍‍ ସାମିଲ ଥିବା ଜଣାପଡ଼ିଛି। ଆମେରିକା ପ୍ରତିରକ୍ଷା ବିଭାଗ କହିଛି, ବିଦେଶୀ ମାଟିରେ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା। ଏହା ଫଳରେ ଇରାନ୍‍ର ଆକ୍ରମଣ ଯୋଜନା ଉପରେ ମଧ୍ୟ ଭବିଷ୍ୟତ ପାଇଁ ପ୍ରତିବନ୍ଧକ ଲଗାଯାଇ ପାରିବ।

ସୁଲେମାନିର ମୃତ୍ୟୁ ଓ ଆମେରିକାର ଆକ୍ରମଣକୁ ସଠିକ ଦର୍ଶାଇବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି, ଜେନେରାଲ ସୁଲେମାନି ଆମେରିକା ଅଧିବାସୀଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଥିଲା। ଟ୍ରମ୍ପ କହିଛନ୍ତି ଯେ ଆମେ ଗତ ରାତିରେ ନେଇଥିବା ପଦକ୍ଷେପ ଯୁଦ୍ଧ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯୁଦ୍ଧ କରିବା ପାଇଁ ନୁହେଁ। ସେ କହିଛନ୍ତି, ଆମେ ସୁଲେମାନୀକୁ ଧରିଲୁ ଓ ହତ୍ୟା କଲୁ। ଏବେ ଆଉ ତାର ଭୟ ରହିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଦେଖନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭିଡିଓ –

ଇରାନ୍‍ ବୈଦେଶିକ ମନ୍ତ୍ରୀ ସୁଲେମାନିଙ୍କ ମୃତ୍ୟୁକୁ ନେଇ ଆମେରିକାକୁ ସତର୍କବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ଆମେରିକାକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ। ପୂର୍ବରୁ ବାଗଦାଦ୍‍ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ହେବା ପରେ ଆମେରିକା ପ୍ରତିଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଇରାନ୍‍ର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲ୍ଲୀ ଖାମିନି ସୁଲେମାନ ବଦଳରେ କୁଦୁସ ଫୋର୍ସର ଦାୟିତ୍ୱ ନେବା ପାଇଁ ଇସମାଇଲ୍‍ କାନିଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Comments are closed.