ସହାୟତା ଆଳରେ ଭାରତକୁ ଟ୍ରମ୍ପଙ୍କ ଚେତାବନୀ; ଔଷଧ ନ ଯୋଗାଇଲେ ଅନୁରୂପ ପଦକ୍ଷେପ ନେବ ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଭୂତାଣୁ ଭୟଙ୍କର ରୂପ ନେଇଛି। ଏଠାରେ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ କରୋନା ଭୂତାଣୁ ଯୋଗୁ ପ୍ରାଣ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତର ସହାୟତା ଲୋଡ଼ିଛନ୍ତି। କିନ୍ତୁ ଏଥର ସେ ସହାୟତା ଆଳରେ ଭାରତକୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଯୋଗାଣରେ ସହାୟତା କରିବାକୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଟେଲିଫୋନ ଜରିଆରେ ଟ୍ରମ୍ପ ମୋଦୀଙ୍କୁ କହିଛନ୍ତି, ଆପଣ ଯଦି ଏହି ଔଷଧ ଯୋଗାଣ ପାଇଁ ଅନୁମତି ଦେବେ, ତେବେ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିବୁ। ଯଦି ଆପଣ ସହଯୋଗ କରିବେ ନାହିଁ, ତା’ହେଲେ କୌଣସି ଅସୁବିଧା ନାହିଁ, କିନ୍ତୁ ଆମଠାରୁ ବି ଏଭଳି ଅନୁରୂପ ପଦକ୍ଷେପର ଆଶା ରଖିବେ ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ଯୋଗୁ ୩ ଲକ୍ଷ ୬୮ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୦ ହଜାରରୁ ଅଧିକ​‌ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ବିଶ୍ବରେ ସବୁଠାରୁ କରୋନା ପ୍ରଭାବିତ ଦେଶ ପାଲଟିଛି। କିଛି ପ୍ରାରମ୍ଭିକ ଫଳାଫଳ ଆଧାରରେ ଟ୍ରମ୍ପ ପ୍ରଶାସନ କରୋନା ଭୂତାଣୁର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧର ପ୍ରୟୋଗ ଉପରେ ଜୋର୍‌ ଦେଇଆସୁଛି। ଏହି ଔଷଧ ଦଶନ୍ଧି ଧରି ମାଲେରିଆ ଚିକିତ୍ସାରେ ବ୍ୟବହାର ହେଉଛି। ଗତ ଶନିବାର ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନଠାରୁ ତୁରନ୍ତ ମଞ୍ଜୁରୀ ମିଳିବା ପରେ କିଛି ଅନ୍ୟ ଔଷଧ ସହିତ ମିଶାଇ ମାଲେରିଆ ଔଷଧକୁ କରୋନା ଭୂତାଣୁର ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି। ଏହାଦ୍ବାରା ପ୍ରାୟ ୧୫୦୦ କରୋନା ରୋଗୀଙ୍କ ଉପଚାର କରାଯାଇଛି। ଟ୍ରମ୍ପ କହିଛନ୍ତି, ଏହି ଔଷଧର ସକାରାତ୍ମକ ପରିଣାମ ଦେଖିବାକୁ ମିଳୁଛି। ଯଦି ଏହି ଔଷଧ ସଫଳ ହେଉଛି, ତେବେ ଏହା ସ୍ବର୍ଗରୁ ମିଳିଥିବା କୌଣସି ଉପହାର ସହିତ ସମାନ ହେବ। ଆଗାମୀ କିଛି ସପ୍ତାହ ମଧ୍ୟରେ ଅମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷରୁ ୨ ଲକ୍ଷ ମଧ୍ୟରେ ପହଞ୍ଚିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେବା ପରେ ଟ୍ରମ୍ପ ପ୍ରଶାସନ ଏହାର ମୁକାବିଲା ପାଇଁ ଜୋରଦାର ଉଦ୍ୟମ ଚଳାଇଛି।

Comments are closed.