ମେକ୍ସିକୋ ସୀମା ବନ୍ଦ କରିବାକୁ ଟ୍ରମ୍ପଙ୍କ ଧମକ

0

ୱାଶିଂଟନ: ଆମେରିକା-ମେକ୍ସିକୋ ସୀମାନ୍ତରେ ପ୍ରାଚୀର ନିର୍ମାଣ ଜିଦରେ ଅଡିବସିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ଏହି ପ୍ରାଚୀର ନିର୍ମାଣ ଲାଗି ଉଦ୍ଦିଷ୍ଟ ପାଣ୍ଠିକୁ ମଞ୍ଜୁରୀ ସମ୍ବନ୍ଧୀୟ ବିଧେୟକକୁ ସମର୍ଥନ ନ ଦେଲେ ମେକ୍ସିକୋ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ତଥା ଅପ୍ରବାସନ ଆଇନରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି ଟ୍ରମ୍ପ ଶୁକ୍ରବାର ଟ୍ବିଟର ମାଧ୍ୟମରେ ଧମକ ଦେଇଛନ୍ତି। ସୀମାନ୍ତ ପ୍ରାଚୀର ନିର୍ମାଣ ସମ୍ବନ୍ଧୀୟ ବିଧେୟକ ଉପରେ ଆମେରିକୀୟ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ସହମତି ହୋଇ ପାରି ନ ଥିବାରୁ ଦେଶରେ ପ୍ରଶାସନିକ ଅଚଳାବସ୍ଥା ଲାଗି ରହିଛି। ଏହି ଅଚଳାବସ୍ଥା ନୂତନ ବର୍ଷ ପରେ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି। କିନ୍ତୁ ଏହି ପ୍ରାଚୀର ନିର୍ମାଣ ଏକ ଲାଭଦାୟକ ଅଭିଯାନ ବୋଲି ଟ୍ରମ୍ପ ଟ୍ବିଟରରେ ଦର୍ଶାଇଛନ୍ତି।
ଏହା ଦ୍ବାରା ଦକ୍ଷିଣବର୍ତ୍ତୀ ସୀମାନ୍ତ ଅଞ୍ଚଳର ବାଣିଜ୍ୟ ଉପରେ ପ୍ରଭାବ ପଡିବ। ସୀମାବର୍ତ୍ତୀ କ୍ଷେତ୍ରରେ ଲୋକେ ବସବାସ କରିବେ। ହାଣ୍ଡୁରାସ, ଗୁଏଟମାଲା ଏବଂ ଏଲ ସାଲଭାଡର ଆମେରିକା ପାଇଁ କୌଣସି କାର୍ଯ୍ୟ କରୁ ନ ଥିବା ବେଳେ ଏହାର ରାଜସ୍ବ ବୋହି ନେଉଛନ୍ତି। ଏହି ରାଷ୍ଟ୍ର ତ୍ରୟକୁ ଆମେରିକାର ସହାୟତା ବନ୍ଦ କରାଯିବ ବୋଲି ଟ୍ରମ୍ପ ଉଲ୍ଲେଖ କରିଛନ୍ତି। ଏହି ପ୍ରାଚୀର ନିର୍ମାଣ କରିବା ନିମନ୍ତେ ଟ୍ରମ୍ପ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବେଳେ କୌଣସି ମତେ ଆମେରିକା -ମେକ୍ସିକୋ ମଧ୍ୟରେ ପ୍ରାଚୀର ଛିଡା କରାଇ ଦିଆଯିବ ନାହିଁ ବୋଲି ବିରୋଧୀ ଡେମୋକ୍ରାଟ୍‌ ଜିଦ୍‌ ଧରି ବସିଛି।

Leave A Reply