ନରମିଲେ ଟ୍ରମ୍ପ : ଇରାନ ସହ ଆଲୋଚନା ପାଇଁ ରାଜି

ୱାଶିଂଟନ ଡିସି : ନରମିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିନା ସର୍ତ୍ତରେ ଇରାନ ସହ ବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଜି ହୋଇଛି। ଇରାନର ୫୨ଟି ସ୍ଥାନକୁ ନିମିଷକେ ମାତ୍ର ଧ୍ବଂସ କରିଦେବକାକୁ ଧମକ ଦେଇଥିବା ଟ୍ରମ୍ପ ସନ୍ଧ୍ୟା ବେଳକୁ ଶାନ୍ତ ପଡ଼ି ଯାଇଥିଲେ। ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଭାଷଣରେ ସେ କହିଥିଲେ ଆମେରିକା ଇରାନ ସହ ଯୁଦ୍ଧ ଚାହେଁ ନାହିଁ। ଏହା ପୂର୍ବରୁ ଇରାନ ସେନା କମାଣ୍ଡର କାସିମ ସୁଲେମାନଙ୍କୁ ଆମେରିକୀୟ ସୈନ୍ୟ ହତ୍ୟା କରିବା ପରେ ‘ହ୍ବାଇଟ ହାଉସ୍‌’ (ଆମେରିକାର ରାଷ୍ଟ୍ରପତି ଭବନ) ଯୁଦ୍ଧ ଶାଳା ପାଲଟି ଯାଇଥିଲା। ଇରାନକୁ ଧ୍ବଂସ କରିବା ପାଇଁ ଟ୍ରମ୍ପ ଯୁଦ୍ଧ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ବାଗଦାଦରେ ମହଜୁଦ ଆମେରିକାର ସମସ୍ତ ସୈନ୍ୟ ଛାଉଣୀକୁ ଇରାନ ଧ୍ବଂସ କରିବା ପ୍ରସ୍ତୁତି ଆରମ୍ଭ କରିଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ଟ୍ରମ୍ପଙ୍କୁ ସୂଚନା ଦେଇଥିଲେ। ଇତି ମଧ୍ୟରେ ପାଲଟା ଜବାବ ସ୍ବରୂପ ଆମେରିକାର ସେନା ଛାଉଣୀ ଉପରକୁ ଇରାନ ବାୟୁ ସେନା ୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏପରି ରିପୋର୍ଟ ପାଇବା ପରେ ଟ୍ରମ୍ପ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ଇରାନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ପାଇଁ ସେ ପ୍ରସ୍ତୁତି ଚଳାଇ ଥିଲେ। ଏହି ସମୟରେ ବାଗଦାଦରେ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ଟ୍ରମ୍ପଙ୍କୁ ଆଉ ଏକ ସୂଚନା ଦେଇଥିଲା।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣରେ କୌଣସି ଆମେରିକୀୟ ସୈନ୍ୟଙ୍କ ଜୀବନ ଯାଇ ନାହିଁ। ଇରାନ ସେନା ଆକ୍ରମଣ କରିବା ପୂର୍ବରୁ ଆମେରିକା ସୈନ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। ଇରାନ ଆମେରିକା ଯବାନଙ୍କୁ ହତ୍ୟା କରିବା ପାଇଁ ଚାହୁଁ ନଥିଲା; କେବଳ ଆମେରିକାକୁ ନିଜର ପତିଆରା ଦେଖାଇବାକୁ ଚାହୁଁ ଥିଲା। ସୁଲେମାନିଙ୍କ ମୃତ୍ୟୁପରେ ହଜାରହଜାର ଇରାନ ସମର୍ଥକ ଆମେରିକୀୟ ସୈନ୍ୟ ଛାଉଣୀଗୁଡ଼ିକୁ ଘେରି ଯାଇଥିଲେ। ସେମାନଙ୍କ ଆକ୍ରମଣ କରିଥିଲେ
ଆମେରିକାର କୌଣସି ସୈନ୍ୟ ଜୀବିତ ନ’ଥାନ୍ତେ। ତେବେ ଏପରି ପଦକ୍ଷେପରୁବିରତ ରହିବା ପାଇଁ ଇରାନ ସରକାର ବିକ୍ଷୋଭକାରୀଙ୍କୁ ନିର୍ଦେଶ ଦେଇଥିଲେ। ଆମେରିକା ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶକୁ ହ୍ରାସ କରିବା ପାଇଁ ଇରାନ ଜାଣିଶୁଣି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ଆମେରିକାର କୌଣସି କ୍ଷତି ହୋଇ ନଥିଲା। ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଟ୍ରମ୍ପ ଶାନ୍ତ ହୋଇ ଯାଇଥିଲେ। ସେହିଦିନ ସଂଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ଇରାନ ସହ ଯୁଦ୍ଧ କରିବାକୁ ଆମେରିକା ଚାହେଁ ନାହିଁ ବୋଲି ଟ୍ରମ୍ପ କହିଥିଲେ।

ଏପଟେ ଆମେରିକା ଓ ଇରାନ ଏହି ଘଟଣାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ହାଜର ହୋଇଛନ୍ତି। ବିନା ସର୍ତ୍ତରେ ତାଙ୍କ ଦେଶ ଇରାନ ସହ ଆଲୋଚନା କରିବାକୁ ରାଜିଥିବା ଜାତିସଂଘରେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ କେଲି କ୍ରାଫ୍ଟ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଆମେରିକା ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖାଯାଇଛି। ବିଶ୍ବରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଆମେରିକା ସର୍ବଦା ଯତ୍ନଶୀଳ। ମଧ୍ୟ-ପ୍ରାଚ୍ୟ, ବିଶେଷକରି ଇରାନ ସଙ୍କଟ ଦୂର କରିବା ପାଇଁ ଟ୍ରମ୍ପ ପ୍ରଶାସନ ଅବିରତ ଉଦ୍ୟମ ଚଳାଇଥିବା ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଇରାନର ମୁଖ୍ୟ କମାଣ୍ଡର କାସିମ ସୁଲେମାନିକୁ ଆମେରିକା ଆତଙ୍କବାଦୀ ବୋଲି ଘୋଷଣା କରିଥିଲା। ଆମେରିକୀୟ ସେନା ଓ ନାଗରିକଙ୍କ ପାଇଁ ସେ ବଡ଼ ବିପଦ ଥିଲେ ା କ୍ଷେତ୍ରୀୟ ଶାନ୍ତି ପାଇଁ ତାଙ୍କୁ ହତ୍ୟା କରିବା ଉଚିତ୍‌ ଥିଲା। ଜାତିସଂଘର ଧାରା-୫୧ ଅନୁଯାୟୀ ଏହା ବୈଧ ଥିଲା। କେବଳ ସୁଲେମାନିଙ୍କୁ ହତ୍ୟା କରିବା ପାଇଁ ଆମେରିକା ଅପରେସନ ଆରମ୍ଭ କରିଥିଲା। ଇରାନର କୌଣସି ସାଧାରଣ ନାଗରିକ ଅଥବା ଉଭୟ ଦେଶର ସେନାଙ୍କୁ କ୍ଷତି ପହଞ୍ଚାଇବା ଆମେରିକାର ଉଦ୍ଦେଶ୍ୟ ନଥିଲା। ତେବେ ସୁଲେମାନିଙ୍କ ହତ୍ୟା ପରେ ଇରାନ ଆମେରିକାର ସୈନ୍ୟ ଶିବିର ଉପରକୁ ଏକାଧିକ ରକେଟ ମାଡ଼ କରିଥିଲା ା ଯାହାକି ଜାତିସଂଘ ଆଇନର ଉଲ୍ଲଙ୍ଘନ ା ଆମେରିକାର ପତ୍ର ପରେ ଇରାନ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ପତ୍ର ଲେଖିଛି ା ଜାତିସଂଘରେ ନିଯୁକ୍ତ ଇରାନ ରାଷ୍ଟ୍ରଦୂତ ମାଜିଦ୍‌ ତଖତ୍‌ ରାୱାଞ୍ଚି ଏହି ପତ୍ର ମାଧ୍ୟମରେ ଆମେରିକା ସେନା ଶିବର ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ସେ ଲେଖିଛନ୍ତି ଯେ, କ୍ଷେତ୍ରୀୟ ଅଞ୍ଚଳର ସମସ୍ତ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଇରାନ ଚାହେଁ। ଆମେରିକାର ଆକ୍ରମଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଘୋର କ୍ଷତି ଘଟିଛି।

ଇରାନ୍‌ ସହ ଯୁଦ୍ଧରୁ ବିରତ ରହିବା ପାଇଁ ଆମେରିକା ନିମ୍ନ ସଦନ​‌େ​‌ର ଭୋଟିଂ କରାଯିବ ବୋଲି ବାଚସ୍ପତି ନାନ୍ସି ପାଲୋସି କହିଛନ୍ତି। ନିମ୍ନ ସଦନ ‘ଦ ହାଉସ ଅଫ ରିପ୍ରେଜେ​‌େ​‌ଣ୍ଟଟିଭ’ରେ ଡେମୋକ୍ରାଟିକ୍‌ ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଏହି ସଦନରେ ଭୋଟ ହେଲେ ଡେମୋକ୍ରାଟିକ୍‌ ପାର୍ଟି ବିଜୟ ଲାଭ କରିବ। ତେବେ ଏହାର ପ୍ରଭାବ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉପରେ ପଡ଼ିବ ନାହିଁ। କାରଣ ଦେଶର ସମ୍ବିଧାନ ରାଷ୍ଟ୍ରପତିଙ୍କୁ କମାଣ୍ଡର-ଇନ୍‌-ଚିଫ ଭାବେ ନିଯୁକ୍ତି ଦେଇଛି। ଟ୍ରମ୍ପ ମନଇଚ୍ଛା ନିଷ୍ପତି ନେଉଛନ୍ତି, ବିରୋଧୀଙ୍କୁ ବିଶ୍ବାସକୁ ନେଉ ନଥିବା ପୋଲୋସି ଅଭିଯୋଗ କରିଛନ୍ତି। ଆମେରିକା ଜନତାଙ୍କ ସୁରକ୍ଷା ପାଇଁ ଟ୍ରମ୍ପ ସରକାର ଯୁଦ୍ଧରୁ ବିରତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.