ଟ୍ରମ୍ପଙ୍କ ବିନତି ବାଚସ୍ପତି ଶୁଣିଲେନି : ମହାଭିଯୋଗ ପ୍ରସ୍ତାବ ନିମ୍ନ ସଦନରେ ଗୃହୀତ

ୱାଶିଂଟନ : ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଂଗ୍ରେସ(ଦେଶର ସଂସଦ)ର ନିମ୍ନ ସଦନ ପ୍ରତିନିଧି ସଭା (ଦ ହାଉସ୍‍ ଅଫ ରିପ୍ରେଜେଣ୍ଟେଟିଭ)ରେ ଆଗତ ମହାଭିଯୋଗ ପ୍ରସ୍ତାବ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନରେ ଗୃହୀତ ହୋଇଛି। ସଦନର ମୋଟ ୪୩୫ ଜଣ ସଦସ୍ୟଙ୍କ ମଧ୍ୟରୁ ଏହି ପ୍ରସ୍ତାବକୁ ବିରୋଧୀ ଡେମୋକ୍ରାଟିକ ପାର୍ଟିର ୨୩୦ ଜଣ ସଦସ୍ୟ ସମର୍ଥନ କରିଥିବାବେଳେ ଶାସକ ରିପବ୍ଲିକାନ ପାର୍ଟିର ୧୯୭ ସଦସ୍ୟ ବିରୋଧ କରିଥିଲେ। ଏବେ ଉଚ୍ଚ ସଦନ ସିନେଟରେ ଏହାର ବିଚାର ଚାଲିବ। କ୍ଷମତାର ଦୁରୁପଯୋଗ କରିବା ଅଭିଯୋଗରେ ଡେମୋକ୍ରାଟିକ ସଦସ୍ୟମାନେ ତାଙ୍କ ବିରୋଧରେ ଏହି ପ୍ରସ୍ତାବ ଆଣିଛନ୍ତି। ଟ୍ରମ୍ପ ହେଉଛନ୍ତି ଆମେରିକାର ୩ୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତବକୁ ସମର୍ଥନ କରି ଆମେରିକୀୟ ଜନତା ଦେଶର ପ୍ରମୁଖ ସହରଗୁଡ଼ିକରେ ପ୍ଲା-କାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବୁଧବାର ସ୍ଥାନୀୟ ସମୟ ସଂଧ୍ୟା ୭ଟାରେ ନିମ୍ନ ସଦନର ବାଚସ୍ପତି ତଥା ଅଧ୍ୟକ୍ଷା ନେନ୍ସି ପେଲୋସି ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ଅନୁମତି ଦେଇଥିଲେ। ଏହା ପୂର୍ବରୁ ଟ୍ରମ୍ପ ବାଚସ୍ପତିଙ୍କୁ ୬ ପୃଷ୍ଠାର ଏକ ପତ୍ର ଲେଖିଥିଲେ। ନିଜର ଭାବପ୍ରବଣତା ପ୍ରକାଶ କରି ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଆମେରିକାବାସୀଙ୍କ ହିତରେ ସେ ସମସ୍ତ କାର୍ଯ୍ୟ କରିଛନ୍ତି। ଅବିଶ୍ରାନ୍ତ ଭାବେ ଆମେରିକାର ପ୍ରଗତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଏପରି ପ୍ରସ୍ତାବ ଉପରେ ଭୋଟିଂ ନକରିବାକୁ ସେ ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ବିନତି କରିଥିଲେ। ତେବେ ବାଚସ୍ପତି ପେଲୋସି ଏହାକୁ ପ୍ରତ୍ୟାଖ୍ୟାନ କରି ପ୍ରସ୍ତାବ ଉପରେ ପ୍ରଥମେ ସଦନରେ ଚର୍ଚ୍ଚା ଓ ପରେ ଭୋଟିଂ ପାଇଁ ଅନୁମତି ପ୍ରଦାନ କରିଥିଲେ। ଟ୍ରମ୍ପ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅକ୍ଷମଣୀୟ। ଆମେରିକା ଏଥିପାଇଁ ନିନ୍ଦିତ ହୋଇଛି। ଏହା ‘ଆଇଡିଆ ଅଫ ଆମେରିକା’ ବିଚାର ପ୍ରତି ବିପଦ ସୃଷ୍ଟି କରିଛି। ତାଙ୍କୁ ବହିଷ୍କାର କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ଆଲୋଚନାରେ ଅଂଶଗ୍ରହଣ କରି ଡେମୋକ୍ରାଟିକ ପାର୍ଟି ସାଂସଦ ଆଡାମ ସ୍କିଫ ସଦନରେ କହିଛନ୍ତି। ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନଙ୍କ ସମେତ ଅନ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଛବି ମଳିନ କରିବା ପାଇଁ ୟୁକ୍ରେନର ସହଯୋଗ ଲେଡ଼ିଥିବା ଟ୍ରମ୍ପ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ଆମେରିକୀୟ ସମ୍ବିଧାନର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି ଡେମୋକ୍ରାଟିକ ପାର୍ଟିର ସଦସ୍ୟମାନେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଟ୍ରମ୍ପ ସମ୍ପୂର୍ଣ୍ଣ ଦୋଷମୁକ୍ତ ହେବେ। ଆମେରିକାବାସୀଙ୍କ ପ୍ରଗତି ପାଇଁ ଟ୍ରମ୍ପ ଏକାଧିକ କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଦିନରୁ ଏପର୍ଯ୍ୟନ୍ତ ଆମେରିକାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଡେମୋକ୍ରାଟିକ ପାର୍ଟିର ଏହି ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି। ସେମାନେ ସମ୍ବିଧାନକୁ ଖେଳନା ଭାବୁଛନ୍ତି। ଆଗାମୀ ଦିନରେ ସେ ନିଶ୍ଚୟ ଦୋଷମୁକ୍ତ ହେବେ ବୋଲି ଟ୍ରମ୍ପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବିଧାନ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଟ୍ରମ୍ପଙ୍କ ପ୍ରତି ଏବେ କୌଣସି ବିପଦ ନାହିଁ। ପୂର୍ବ ପରି ସେ ସମସ୍ତ କ୍ଷମତା ଉପଭୋଗ କରି ପାରିବେ। ଯଦି ଉଚ୍ଚ ସଦନ ସିନେଟରେ ମୋଟ ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସଭ୍ୟ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରନ୍ତି ତେବେ ଟ୍ରମ୍ପଙ୍କୁ ବହିଷ୍କାର କରାଯିବା ସମ୍ଭବ। ଏହା ସେତେଟା ସୁବିଧାଜନକ ନୁହେଁ। କାରଣ ଉଚ୍ଚସଦନରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ସଦସ୍ୟ ସଂଖ୍ୟା ୫୩, ଡେମୋକ୍ରାଟିକ ପାର୍ଟିର ସଦସ୍ୟ ସଂଖ୍ୟା ୪୫ ଓ୨ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ଯଦି ୨୦ ଜଣ ରିପବ୍ଲିକାନ ପାର୍ଟିର ସଦସ୍ୟ ବିଦ୍ରୋହ କରି ଟ୍ରମ୍ପଙ୍କ ବିରୋଧରେ ମତଦାନ କରନ୍ତି ତେବେ ଏହି ପ୍ରସ୍ତାବ ଗୃହୀତ ହୋଇଯିବ। ତେବେ ଏପରି ହେବା ସମ୍ଭାବନା କ୍ଷୀଣ। ତେଣୁ ଉଚ୍ଚ ସଦନରେ ସଂଖ୍ୟାବଳ ଥିବାରୁ ଏହି ପ୍ରସ୍ତାବ କାଟ ଖାଇଯାଇପାରେ ବୋଲି କେତେକ ସମ୍ବିଧାନ ବିଶେଷଜ୍ଞ ମତ ଦିଅନ୍ତି। ପୂର୍ବତନ ରାଷ୍ଟ୍ରପତି ଏଣ୍ଡ୍ରୁ ଜନସନ ଓ ବିଲ କ୍ଲିଣ୍ଟନଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ନିମ୍ନ ସଦନରେ ଗୃହୀତ ହୋଇଥିଲେ ହେଁ ଉଚ୍ଚସଦନରେ କାଟ ଖାଇଯାଇଥିଲା। ଟ୍ରମ୍ପଙ୍କ କ୍ଷେତରେ ତାହାହିଁ ହୋଇପାରେ ବୋଲି କେତେଜଣ ଅନୁମାନ କରନ୍ତି। ଏହା ବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ(୧୯୬୯-୭୪)ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତବ ଆସିଥିଲା। ତେବେ ନିମ୍ନ ସଦନରେ ଆଗତ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ।

୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ରିପବ୍ଲିକାନ ପାର୍ଟିକୁ ଏହା ଶକ୍ତି ଯୋଗାଇ ପାରେ ବୋଲି କେତେକ ମତ ଦିଅନ୍ତି। ଦଳର ସଦସ୍ୟମାନେ ବିରୋଧୀଙ୍କୁ ଏକଜୁଟ ହୋଇ ସାମନା କରିବେ। ସେହିପରି ଡେମୋକ୍ରାଟ ପାର୍ଟିର ସଦସ୍ୟମାନେ ଟ୍ରମ୍ପଙ୍କ ଅସଲ ମୁଖା ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିଥିବା କହୁଛନ୍ତି। ଏହି ଶୁଣାଣି ଦେଶର ନାଗରିକଙ୍କୁ କିଏ ଭୁଲ୍‍ ଓ କିଏ ଠିକ୍‍ ତାହା ଜାଣିବାର ସୁଯୋଗ ଦେଇଛି। ସୂଚନା ଅନୁଯାୟୀ ଇତି ମଧ୍ୟରେ ଟ୍ରମ୍ପଙ୍କ ପ୍ରତିଥିବା ଜନସମର୍ଥନ କିଛି ମାତ୍ରାରେ ହ୍ରାସ ପାଇଛି। ତେବେ ଆସନ୍ତା ନିର୍ବାଚନରେ ଏହା କି’ ପ୍ରଭାବ ପକାଇବ ତାହା ଅନୁମାନ କରିବା ଏବେଠାରୁ କଷ୍ଟକର।

କେମିତି ଚାଲିଲା ମହାଭିଯୋଗ

କ’ଣ ରହିଛି ଅଭିଯୋଗ ?
#  ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦମନ କରିବା ପାଇଁ ବିଦେଶୀ ରାଷ୍ଟ୍ରର ସହଯୋଗ ଲୋଡ଼ିବା
#  ଟିକସଦାତାଙ୍କ ଅର୍ଥରେ ନିଜ ସ୍ୱାର୍ଥ ସାଧନ କରିବା
# ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା
#କ୍ଷମତାର ଦୂରୁପଯୋଗ କରି ସମ୍ବିଧାନକୁ ଉଲ୍ଲଙ୍ଘନ କରିବା

– ଆମେରିକୀୟ ସମ୍ବିଧାନର ଧାରା-୨ ଅନ୍ତର୍ଗତ ସେକ୍‍ସନ୍‍-୪ ଅନୁଯାୟୀ-ଦେଶଦ୍ରୋହ, ଲାଞ୍ଚ, ଗୁରୁତର ଅପରାଧ, କ୍ଷମତାର ଦୁରୁପଯୋଗ ଓ ଦୁର୍ବ୍ୟବହାର ଅଭିଯୋଗରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇ ପାରିବ।
– କ୍ଷମତାର ଦୁରୁପଯୋଗ ଅଭିଯୋଗ କରି ଡେମୋକ୍ରାଟିକ ସଦସ୍ୟମାନେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି।
–  ଏହି ଅଭିଯୋଗ ବିଚାର ଯୋଗ୍ୟ କି ନୁହେଁ ସେ ସଂକ୍ରାନ୍ତରେ ସଦନର ଗୁଇନ୍ଦା କମିଟି ପ୍ରଥମେ ଏହାର ସମୀକ୍ଷା କରି ସାର୍ବଜନିନ ଶୁଣାଣି କରିଥିଲା।
– ପକ୍ଷ ରଖିବାକୁ ଏହି କମିଟି ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟିକୁ ୪୫ ମିନିଟ୍‍ ଲେଖାଏଁ ସମୟ ଦେଇଥିଲା।
– ଉଭୟ ଦଳର ଯୁକ୍ତି ଶୁଣିବା ପରେ କମିଟି ନିଜ ରିପୋର୍ଟ ନ୍ୟାୟିକ ସମିତିକୁ ପ୍ରଦାନ କରିଥିଲା।
– ନ୍ୟାୟିକ ସମିତି ପୁନଃ ଉଭୟ ଦଳର ମତାମତ ଗ୍ରହଣ କରିଥିଲା। ଏଥିରେ ରାଷ୍ଟ୍ରପତି ଓ ତାଙ୍କ ଆଟର୍ଣ୍ଣି ଜେନେରାଲ ନିଜ ପକ୍ଷ ରଖିଥିଲେ।
– ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଚିଠା ପ୍ରସ୍ତୁତ କରାଯିବ କି ନାହିଁ ନ୍ୟାୟିକ ସମିତି ନିଷ୍ପତ୍ତି ନେଇଥାଏ। ଟ୍ରମ୍ପଙ୍କ କ୍ଷେତ୍ରରେ ମହାଭିଯୋଗ ପ୍ରସ୍ତାବ ଚାଲିବ ବୋଲି ନ୍ୟାୟିକ ସମିତି ରାୟ ଦେଇଥିଲା।
– ପ୍ରଥମେ ସଂସଦର ନିମ୍ନ ସଦନ ‘ଦ ହାଉସ୍‍ ଅଫ ରିପ୍ରେଜେଣ୍ଟେଟିଭ’ରେ ଏହି ପ୍ରସ୍ତାବ ଆଗତ ହୋଇ ଭୋଟିଂ ହୋଇଥାଏ। ଅର୍ଦ୍ଧାଧିକ ସଦସ୍ୟଙ୍କ ସମର୍ଥନ ଅଥବା ବିରୋଧରେ ଏହି ପ୍ରସ୍ତାବ ଗୃହୀତ ଅଥବା କାଟ୍‍ ଖାଇଯାଇଥାଏ। ଟ୍ରମ୍ପଙ୍କ କ୍ଷେତ୍ରରେ ଏଠାରେ ଗୃହୀତ ହୋଇଯାଇଛି।
–  ନିମ୍ନ ସଦନରେ ଗୃହୀତ ହେବାପରେ ଏହି ପ୍ରସ୍ତାବ ଉଚ୍ଚ ସଦନ ସିନେଟକୁ ଯାଇଥାଏ।
– ସିନେଟରେ ଏହି ପ୍ରସ୍ତାବ ଉପରେ ବିଚାର ଆରମ୍ଭ ହୋଇ ଭୋଟିଂ ହୋଇଥାଏ। ଏଠାରେ ଅର୍ଦ୍ଧାଧିକ ନୁହେଁ, ବରଂ ଦୁଇ-ତୃତୀୟାଂଶ ସଦସ୍ୟ ପ୍ରସ୍ତାବକୁ ସମର୍ଥନ କଲେ ରାଷ୍ଟ୍ରପତି ବହିଷ୍କୃତ ହୋଇଥା’ନ୍ତି।
– ବହିଷ୍କୃତ ରାଷ୍ଟ୍ରପତିଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପୂରଣ କରିବା ପାଇଁ ଉପରାଷ୍ଟ୍ରପତିଙ୍କୁ ଦାୟିତ୍ୱ ଦିଆଯାଇଥାଏ।

Comments are closed.