ଓଭରବ୍ରିଜ ଉପରୁ ତଳକୁ ଖସି ଘରେ ପଶିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ତିନି ଜଣିଆ ପରିବାର

ପାଟଣା: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଓଭରବ୍ରିଜ ଉପରୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ଟ୍ରକ ରାସ୍ତା ପାର୍ଶ୍ବ ବାଡ଼ା ଭାଙ୍ଗି ସର୍ଭିସ୍ ରୋଡକୁ ଖସିପଡି ବଜାର ରାସ୍ତା ପାର୍ଶ୍ବରେ ଥିବା ଏକ ଘର ଭିତରେ ପଶିଯାଇଛି । ରାତି ୩ଟା ସମୟରେ ଟ୍ରକଟି ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ରାତିରେ ପରମାନନ୍ଦ ସାହୁଙ୍କ ଘର ଭଡ଼ା ନେଇ ସେଠାରେ ରହୁଥିବା ଅରୁଣ ମହାନ୍ତିଙ୍କ ତିନି ଜଣିଆ ପରିବାର ଲୋକେ ଘର ଭିତରେ ଶୋଇଥିଲେ ମଧ୍ୟ କାହାରି କିଛି କ୍ଷତି ଘଟିନାହିଁ । ଘଟଣାସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ତେବେ ନିଶାଗ୍ରସ୍ତ ଡ୍ରାଇଭର ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଝୁମ୍ପୁରାର ବିପିନ୍ ରଜାକଙ୍କର ବୋଲି ଜଣାପଡିଛି । ଘର ମାଲିକ କ୍ଷତିପୂରଣ ଦାବି କରିଥିବା ବେଳେ ଭଡ଼ାରେ ଥିବା ଅରୁଣ ମହାନ୍ତିଙ୍କ ଆସବାବପତ୍ରର କ୍ଷତିପୂରଣ ପାଇଁ ଦାବି ରଖିଥିବାରୁ ଉଭୟ ପକ୍ଷ ମଧ୍ୟରେ ସମାଧାନ ପାଇଁ ପୋଲିସ ବ୍ୟବସ୍ଥା କରିଥିବା ଜଣାପଡିଛି ।

Comments are closed.