ଉଠା ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌, ୪ ବ୍ୟବସାୟୀ ମୃତ

ବୁର୍ଲା/ସମ୍ବଲପୁର: ସେମାନେ ଥିଲେ ଉଠା ଦୋକାନୀ। ରାତିରେ ଦୋକାନ ବନ୍ଦ କରି ଶୋଇପଡ଼ିଲେ। ସକାଳ ହେଲେ ପୁଣି ଥରେ ଉଠି ଦୋକାନ ଖୋଲି ବ୍ୟବସାୟ କରିଥାନ୍ତେ। କିନ୍ତୁ ସେମାନେ ଜାଣି ନ ଥିଲେ ତାହା ସେମାନଙ୍କ ପାଇଁ ଶେଷ ରାତି ଥିଲା। ଶୋଇଥିବା ଅବସ୍ଥାରେ ଟ୍ରକ୍‌ ମାଡ଼ିଯିବାରୁ ରାତିର ନିଦ୍ରା ସେମାନଙ୍କ ପାଇଁ ଚିରନିଦ୍ରା ପାଲଟିଗଲା। ସମ୍ବଲପୁର ଜିଲାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏଭଳି ଏକ ହୃଦୟ ଥରା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ଘଟଣାରେ ୪ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଜିଲାର ଶାସନ ଥାନା ଅନ୍ତର୍ଗତ ପରମାନପୁରରେ ଧନୁଯାତ୍ରା ପାଇଁ ମୀନାବଜାର ପଡ଼ିଛି। ଏଥିପାଇଁ ରାସ୍ତାପାର୍ଶ୍ଵରେ ବ୍ୟବସାୟୀମାନେ ଅସ୍ଥାୟୀ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ସୋମବାର ରାତିରେ ଦୋକାନୀମାନେ ଦୋକାନ ବନ୍ଦ କରି ଶୋଇପଡ଼ିଥିଲେ। କିନ୍ତୁ ରାତି ପ୍ରାୟ ୪ଟାରେ ସିନ୍ଦୂରପଙ୍କ ଛକ-ପରମାଣପୁର ରାସ୍ତା ଦେଇ ରାଉରକେଲାରୁ ପାରାଦୀପ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଗୋଟିଏ ପରେ ଗୋଟିଏ ୩ଟି ଉଠା ଦୋକାନ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ସେଠାରେ ଥିବା ଅନ୍ୟ ଦୋକାନୀମାନେ ଉଠିଯାଇଥିଲେ। ସେଠାରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଥିଲା। ଟ୍ରକ ମାଡ଼ିଯିବା ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ସମ୍ବଲପୁର ପେନସନପଡ଼ାର ମହମ୍ମଦ ସାୟତ(୪୦), ମହମ୍ମଦ ତେୟତ(୩୫), ୱାକାର ଆଲମ(୩୦) ଏବଂ ମହମ୍ମଦ ଦନିଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତର ଆହତ ରାଜେଶ ମହାନନ୍ଦ ଏବଂ ମହମ୍ମଦ ଜଲାଉଦ୍ଦିନଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି।

Comments are closed.