ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ

ବୌଦ୍ଧ: ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ ହୋଇଛି। ପୂର୍ବରୁ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟ କରୁଥିବାବେଳେ ଉକ୍ତ ସଂଗଠନରେ ୧୨ ଚକ ପର୍ଯ୍ୟନ୍ତ ଟ୍ରକ ମାଲିକମାନଙ୍କୁ ସାମିଲ କରାଯାଇଥିବାରୁ କିଛି ଟ୍ରକ ମାଲିକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ନୂତନ ଭାବରେ ବୌଦ୍ଧ ଟ୍ରକ ମାଲିକ ସଂଘ ଗଠନ କରାଯାଇଛି। ଏହି ଅବସରରେ ବୌଦ୍ଧ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ସାହୁ, ଉପସଭାପତି ରାଜ୍ କିଶୋର ରାଜ୍, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, ସହ ସମ୍ପାଦକ ଅଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ଶତପଥୀ ଏବଂ ଆଇନ ପରାମର୍ଶଦାତା ଭାବରେ ନବ କୁମାର ମିଶ୍ର ଓ ଉପଦେଷ୍ଟା ଭାବରେ ବିପ୍ର ଚରଣ ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ନୂତନ ସଂଘରେ ଯେକୌଣସି ଟ୍ରକମାଲିକ ଚାହିଁଲେ ସଦସ୍ୟଭୁକ୍ତ ହୋଇପାରିବେ ଏବଂ ମାଲ ପରିବହନ କ୍ଷେତ୍ରରେ ସମସ୍ତ ଟ୍ରକ ମାଲିକଙ୍କୁ ସମାନ ଭାବରେ ଗୁରୁତ୍ୱ ଦିଆଯିବ ବୋଲି ନୂତନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।