ପୋଲରୁ ଖସିଲା ୧୮ ଚକିଆ ଟ୍ରକ ; ଡ୍ରାଇଭର ମୃତ, ଉଦ୍ଧାର ପାଇଁ ଉଦ୍ୟମ ଜାରି

ତୁଷୁରା : ତେଲନଦୀ ସେତୁ ଉପରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । କଳାହାଣ୍ଡି ପଟରୁ ତୁଷୁରା ଆଡକୁ ଆସୁଥିବା ଏକ ୧୮ ଚକିଆ ଟ୍ରକ  ତେଲନଦୀ ଗର୍ଭକୁ ଖସି ପଡିଛି । ଦୁର୍ଘଟଣାର କାରଣ ଜଣା ପଡି ନ ଥିବାବେଳେ ଟ୍ରକ ତଳେ ଜଣେ ଚାପି ହୋଇଥିବା ପୁଲିସ ପକ୍ଷରୁ ପ୍ରକାଶ। ରବିବାର ରାତିରେ ତୁଷୁରା ପୁଲିସ ତଥା ଗୁଡଭେଲା ଅଗ୍ନିଶମ  ବିଭାଗ ପକ୍ଷରୁ ପାଣି ଭିତରେ ତଲାସି ଜାରି ରହିଛି । ଟ୍ରକର କେବଳ ୫ଟି ଚକ ଉପରକୁ ଦେଖା ଯାଉଥିବାବେଳେ ବାକି ଅଂଶ ପାଣି ଭିତରେ ବୁଡି ରହିଛି। ଟ୍ରକଟି ବ୍ରିଜରେ ଧକ୍କା ଖାଇ ପୋଲ ତଳକୁ ଖସି ଯାଇଥିବା  ଅନୁମାନ କରାଯାଉଛି।
ଏହି ଟ୍ରକଟି ବିଶାଖାପଟନମ୍ ବନ୍ଦରରୁ କୋଇଲା ଲୋଡ କରି ଛତିଶଗଡର ରାୟଗଡ ଯାଉଥିବା ବେ​​‌ଳେ ଗାଡିରେ କେବଳ ଜଣେ ଡ୍ରାଇଭର ଥିବା ଅନ୍ୟ ସାଥୀ ଟ୍ରକ ଡ୍ରାଇଭର ପକ୍ଷରୁ ପ୍ରକାଶ। ତେବେ ସେହି ଟ୍ରକ ଡ୍ରାଇଭରମାନେ ଡାହିମାଳ ଛକଠାରେ ପ୍ରଚୁର ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିବା ଦେଖଣାହାରୀଙ୍କ ଠାରୁ ପ୍ରକାଶ।
ତେବେ ବଳାଙ୍ଗୀରରୁ କ୍ରେନ ମଗାଯାଇଛି ଓ କ୍ରେନ ଆସିଲେ ନଦୀ ଗର୍ଭରୁ ଗାଡିକୁ ଉଦ୍ଧାର କରାଯିବ ବୋଲି ତୁଷୁରା ଥାନାଧୀକାରୀ ଯଶୋବନ୍ତ ପ୍ରଧାନୀ କହିଛନ୍ତି।

Comments are closed.