ଓଲଟିଲା ସାର ବୋଝେଇ ଟ୍ରକ: ୬ ଶ୍ରମିକ ଆହତ, ଜଣେ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ନଦୀସାହି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ସାର ବୋଝେଇ ଟ୍ରକ ଓଲଟି ପଡିବାରୁ ୬ ଜଣ ଶ୍ରମିକ ଆହତ ଓ ଜଣେ ଗୁରୁତର ଥିବା ଜଣାପଡିଛି। ଆହତମାନେ ହେଲେ କୁଶପଲ୍ଲୀ ଗାଁର ଦିଲେଶ୍ୱର ପାଇକ, ବିଷ୍ଣୁ ରଇତ, ବେଣୁଧର ପଶୁପତି, ଖମ୍ବେଶ୍ୱର ପାଇକ, ସତ୍ୟବାନ ମଣ୍ଡଳ ଓ ବାସୁଦେବ ପ୍ରଧାନ।

ଆଜି ସକାଳେ ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ରୁ ଏକ ଟ୍ରକ ନଂ- ଓଆରଜି୮୪୮୮ ଯୋଗେ ସାର ନେଇ ଜିରାଙ୍ଗ ତେନ୍ତୁଳିଖୁଣ୍ଟି ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀସାହି ନିକଟରେ ଟ୍ରକଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ବାସୁଦେବ ପ୍ରଧାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Comments are closed.