ଦୁର୍ଘଟଣାରେ ଟ୍ରକ ଚାଳକ ମୃତ : କ୍ଷତିପୂରଣ ଦାବିରେ ୧୨ଘଣ୍ଟା ରାସ୍ତା ଅବରୋଧ

ବିଧାୟକଙ୍କ ହସ୍ତେକ୍ଷପ ପରେ ମିଳିଲା କ୍ଷତିପୂରଣ

କଣିହାଁ : ଅନୁଗୋଳ ଜିଲା କଣିହାଁ ଥାନା ଅନ୍ତର୍ଗତ ଟାକୁଆ ଗ୍ରାମ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିବାରୁ ଡ୍ରାଇଭର ଭଗବାନ ଦେହୁରୀ(୨୭)ର ମୃତ୍ୟୁ ହୋଇଛି। ଡ୍ରାଇଭର ଭଗବାନ ଦେହୁରୀର ଘର ସମଲ ଥାନା କଟରପଡା ଗ୍ରାମରେ।

ଭଗବାନ ଗତ ରାତିରେ ଓଆର୧୯ସି୭୪୧୨ ଟ୍ରକରେ କୋଇଲା ବୋଝେଇ କରି ଜେଆଇଟିପିଏଲ ପ୍ଲାଂଟକୁ ଯାଇଥିଲା। ରବିବାର ଭୋର ସକାଳ ପ୍ରାୟ ୪ଘଟିକା ସମୟରେ କୋଇଲା ଖାଲି କରି ଫେରୁଥିବା ସମୟରେ ବାଟରେ ଟାକୁଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ଭଗବାନ ଦେହୁରୀର ମୃତ୍ୟୁ ହୋଇଥିଲା। ଉକ୍ତ ଖବର ପ୍ରଚାରିତ ହେବାପରେ ପରିବାର ତଥା ଜନସାଧାରଣଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯିବା ସହ ମୃତଦେହ ଅଟକ ରଖାଯାଇଥିଲା। ପାଳଲହଡା ବିଧାୟକ ମୁକେଶ କୁମାର ପାଳ ପହଁଚି କ୍ଷତିପୂରଣ ପାଇଁ ଅଡିବସିଥିଲେ। ପରେ କଣିହାଁ ଥାନାରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ଏସଡିପିଓ ଯଶୋବନ୍ତ ସାମଲ, କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ, ଜେଆଇଟିପିଏଲ ମ୍ୟାନେଜମେଂଟ ପକ୍ଷରୁ ପ୍ରଭାତ କୁମାର ବିଶ୍ୱାଳ, କୁଲେଇ ପଂଚାୟତ ସମିତିସଭ୍ୟା ରୀନାରାଣୀ ସାହୁ, ଡେରଙ୍ଗ ପଂଚାୟତ ସରପଂଚ ମୁକେଶ ସାହୁ,ସୁନିଲ ପ୍ରଧାନ, ରଂଜନ ସାହୁ, ସୁଶାନ୍ତ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ କ୍ଷତିପୂରଣ ସଂପର୍କରେ ଆଲୋଚନା କରାଯାଇଥିଲା। ପାଳଲହଡା ବିଧାୟକଙ୍କ ହସ୍ତକ୍ଷେପ ଫଳରେ ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ଜେଆଇଟିପିଏଲ ୯ଲକ୍ଷ ଟଙ୍କା ଓ ପରିବାର ପ୍ରତିପୋଷଣ ପାଇଁ ମାସିକ ୫ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାସହ କ୍ଷତିପୂରଣ ଟଙ୍କା ଆସନ୍ତା ଅଗଷ୍ଟ ମାସରେ ବିଧାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଥିଲେ। ଟ୍ରକ ମାଲିକ ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଯାହାକି ବିଧାୟକ ମୃତ ପରିବାରକୁ ହସ୍ତାନ୍ତର କରିଥିଲେ। ଉକ୍ତ ସମସ୍ତ ନିଷ୍ପତ୍ତି ପରେ ଦୀର୍ଘ ୧୨ଘଂଟା ପରେ ଅପରାହ୍ନ ପ୍ରାୟ ୫ଘଟିକା ସମୟରେ ମୃତଦେହ ଉଠିଥିଲା।

Comments are closed.