ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ

0

ନୂଆଦିଲ୍ଲୀ : ମୁସଲମାନ ମହିଳା (ବିବାହ ଅଧିକାର ଓ ସୁରକ୍ଷା) ବା ତିନି ତଲାକ ବିଧେୟକ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି। ବିଧେୟକ ସପକ୍ଷରେ ୨୪୫ଟି ଭୋଟ ପଡିଥିବାବେଳେ ବିରୋଧରେ ମାତ୍ର ୧୧ଟି ଭୋଟ ପଡିଥିଲା। ବିଧେୟକ ପାଇଁ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ସହିତ ଏଆଇଏଡିଏମ୍‌କେ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆରଜେଡି କକ୍ଷତ୍ୟାଗ କରି ଚାଲିଯାଇଥିଲେ।
ବିଧେୟକଟିକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ଏହି ବିରୋଧୀ ଦଳଗୁଡିକ ଦାବି କରିଥିବାବେଳେ ସରକାର ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବିରୋଧୀ ଦଳଗୁଡିକ କକ୍ଷ ତ୍ୟାଗ କରିଥିଲେ। ଏହା ସହିତ ବିଧେୟକ ଉପରେ ସଂଶୋଧନ ପାଇଁ ଦିଆଯାଇଥିବା ଅନେକ ପ୍ରସ୍ତାବକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ନିମ୍ନ ସଦନରେ ଗୃହୀତ ଏହି ବିଧେୟକକୁ ଏବେ ରାଜ୍ୟସଭାରେ ଆଗତ କରାଯିବ। ମୁସଲମାନ ସମ୍ପ୍ରଦାୟରେ ପତ୍ନୀଙ୍କୁ ଛାଡପତ୍ର ପାଇଁ ଆପଣାଯାଉଥିବା ତିନି ତଲାକକୁ ଏହି ବିଧେୟକରେ ଅପରାଧ ବିବେଚନା କରାଯାଇଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଏହି ବିଧେୟକକୁ ଲୋକସଭାରେ ଆଗତ କରାଯିବା ପରେ ଏହା ଉପରେ ଜୋରଦାର ଚର୍ଚ୍ଚା ହୋଇଥିଲା। ବିଧେୟକକୁ ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱେସୀ ବିରୋଧ କରିଥିଲେ।

photo Courtesy : PTI

ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇ ମନ୍ତ୍ରୀ ପ୍ରସାଦ କହିଥିଲେ ଯେ କୌଣସି ସମ୍ପ୍ରଦାୟକୁ ଲକ୍ଷ୍ୟ ରଖି ଏହି ବିଧେୟକ ପ୍ରସ୍ତୁତ କରାଯାଇ ନାହିଁ। ବିଧେୟକକୁ ବିରୋଧ କରୁଥିବା ବିରୋଧୀ ଦଳଗୁଡିକ ସେମାନଙ୍କ ଭୋଟ ବ୍ୟାଙ୍କ ବଞ୍ଚାଇବା ଲାଗି ଉଦ୍ୟମ କରୁଛନ୍ତି। ତିନି ତଲାକ ଦ୍ବାରା ସ୍ବାମୀକୁ ଜେଲ୍ ହୋଇଯିବା ନେଇ ସମସ୍ତେ ଚିନ୍ତା ବ୍ୟକ୍ତ କରୁଛନ୍ତି; ମାତ୍ର ପୀଡିତା ମହିଳା ଜଣଙ୍କ କିପରି କ୍ଷତିପୂରଣ ପାଇବ ସେ ବିଷୟରେ କେହି ଚିନ୍ତା କରୁ ନାହାନ୍ତି।
ବିଧେୟକ ଉପରେ ଆଲୋଚନା ସମୟରେ ବିରୋଧୀ ଦଳଗୁଡିକ ହୋହଲ୍ଲା କରିବାରୁ ଗୃହକୁ କିଛି ସମୟ ମୁଲତବୀ ରଖିବାକୁ ପଡିଥିଲା।

Leave A Reply