ଜମି ବିବାଦକୁ ନେଇ ଟ୍ରିପଲ ମର୍ଡର : ମା’, ଝିଅ ଓ ଜ୍ବାଇଁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବାମରା : ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ଜରାବଗା ପଞ୍ଚାୟତ ଲପଡ଼ା ଗ୍ରାମରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ଜମିବିବାଦକୁ ନେଇ ପଡ଼ୋଶୀ ବାପ-ପୁଅ ମିଶି ପ୍ରଥମେ ଧାନକ୍ଷେତରେ ଜ୍ବାଇଁକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାବେଳେ ପରେ ଗାଁ ଦାଣ୍ଡରେ ମାଁ ଓ ଝିଅକୁ ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ବାପ-ପୁଅକୁ ଗିରଫ କରିବା ସହ ତନାଘନା ଆରମ୍ଭ କରିଛି। ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଏବଂ ମୃତ ସ୍ବାମୀ-ସ୍ତ୍ରୀଙ୍କ ପୁଅ ଝିଅଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି।

ସୂଚନା ଅନୁସାରେ ବାମରା ବାମରା ବ୍ଲକ ଜରାବଗା ପଞ୍ଚାୟତ ଲପଡ଼ା ଗ୍ରାମରେ ୩ ଏକର ଚାଷ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବହୁ ବର୍ଷ ଧରି ବିବାଦ ଲାଗି ରହିଥିଲା। ଏନେଇ ଅଭିଯୁକ୍ତ ନବୀନ ଦେହୁରୀ ଅନେକଥର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଉକ୍ତ ଜମିଟି ଲପଡ଼ା ଗ୍ରାମର ସ୍ବର୍ଗତ ଅଭିମନ୍ୟୁ ବେହେରାଙ୍କ ସ୍ତ୍ରୀ ହରବତୀ ବେହେରାଙ୍କ ନାଁରେ ଥିବାରୁ ମାନ୍ୟବର କୋର୍ଟ ହରବତୀଙ୍କ ସପକ୍ଷରେ ଫଇସଲା ଶୁଣାଇଥିଲେ। ଥରେ କି ଦୁଇ ଥର ନୁହେଁ ବରଂ ୪ ଥର ନବୀନଙ୍କ ପରିବାର ଉକ୍ତ ଜମିର ମାଲିକାନାକୁ ନେଇ ମାମଲା ଦାୟର କରିଥିଲେ।

ତେବେ, ସବୁବେଳେ ସେ କୋର୍ଟରେ ପରାଜିତ ହୋଇଥିଲେ। ଚଳିତ ବର୍ଷ ହରବତୀଙ୍କ ଜମି ଖାତା ନମ୍ବର ୧୦୫ରେ ତାଙ୍କ ବୋହୂ ତିରବତୀ ବେହେରା (୬୫), ତିରବତୀଙ୍କ ଝିଅ ସାବିତ୍ରୀ ସାହୁ(୩୭) ଓ ଘରଜ୍ବାଇଁ ଗିରିଧାରୀ ସାହୁ (୪୦) ଧାନ ଚାଷ କରିଥିଲେ। ଉକ୍ତ ଜମିରେ ନବୀନ ନିଜର ମାଲିକାନା ଦାବିକରି ଆସୁଥିବାରୁ ଏହାକୁ ନେଇ ସେ ମାନସିକ ଚାପରେ ଥିବାବେଳେ ତାଙ୍କ ମନରେ ପ୍ରତିଶୋଧର ନିଆଁ କୁହୁଳୁଥିଲା। ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନବୀନ ଦେହୁରୀ(୫୦) ଓ ତାଙ୍କ ପୁଅ ହେମାନନ୍ଦ ଓରଫ ପିଣ୍ଟୁ (୨୦) ଉଭୟ ମିଶି ହରବତୀଙ୍କ ଚାଷ ହୋଇଥିବା ଧାନକୁ କାଟିବା ପାଇଁ ଚେଷ୍ଟା କରିବାରୁ ଜୋଇଁ ଗିରିଧାରୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ନବୀନ ଓ ପିଣ୍ଟୁ ଘରୁ ଟାଙ୍ଗିଆ ନେଇ ଧାନ ବିଲରେ ଗିରିଧାରୀକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

ଏହାପରେ ସେମାନେ ଲପଡ଼ା ଗାଁ ଦାଣ୍ଡ ମଣ୍ଡପ ଛକ ପାଖକୁ ପହଞ୍ଚିଥିଲେ। ସେଠାରେ ଗିରିଧାରୀଙ୍କ ସ୍ତ୍ରୀ ସାବିତ୍ରୀ ଓ ଶାଶୁ ତିରବତୀ ନଳକୂପରେ ପାଣି ଭରୁଥିବା ବେଳେ ଉଭୟ ଅଭିଯୁକ୍ତ ପ୍ରଥମେ ତିରବତୀଙ୍କ ବେକରେ ପଛପଟୁ ଆକ୍ରମଣ କରିଥିଲେ ଏହା ଦେଖି ସାବିତ୍ରୀ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ଉଭୟ ଶାଶୁ ବୋହୂଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ଖବର ପାଇବା ପରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋତ୍ସ୍ନାରାନୀ ବେହେରା, ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା ସଦଳବ​‌େ​‌ଳ ଘଟଣାସ୍ଥଳକୁ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଘରୁ ଗିରଫ କରି ମହୁଲପାଲି ଥାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ଲପଡ଼ା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବି କରିବା ସହ ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ଦାବି ନେଇ ଗ୍ରାମବାସୀ ଧାରଣାରେ ବସିଥିବା ଜଣାପଡିଛି। ସାବିତ୍ରୀ ଓ ଗିରିଧାରୀଙ୍କ ହତ୍ୟା ପରେ ତାଙ୍କ ପୁଅ ଓ ଝିଅ ଅନାଥ ହୋଇ ଯାଇଥିବାରୁ ତାଙ୍କୁ ଆର୍ଥିକ ସହାୟତା ପାଇଁ ମଧ୍ୟ ଦାବି ହେଉଛି।

ସୂଚନା ଅନୁସାରେ ମୃତ ତିରବତୀଙ୍କ ଦୁଇ ଝିଅ ଥିବାବେଳେ ବଡ଼ ଝିଅ ସାବିତ୍ରୀ ଝାରସୁଗୁଡା ଜିଲା କିର୍ମିରାରେ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ଗିରିର୍ଧାରୀ ନିଜ ଶାଶୁ ଘର ଲପଡ଼ାରେ ଘର ଜ୍ବାଇଁ ହୋଇ ରହୁଥିଲେ। ତାଙ୍କ ସହିତ ସ୍ତ୍ରୀ ସାବିତ୍ରୀ, ଦଶମ ଶ୍ରେଣୀରେ ପଢ଼ୁଥିବା ପୁଅ ସଚିନ ଓ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ସ୍ବପ୍ନା ରହୁଥିଲେ। ବର୍ତ୍ତମାନ ପରିବାରର ତିନି ସଦସ୍ୟଙ୍କ ହତ୍ୟାପରେ ଦୁଇ ସନ୍ତାନ ଅନାଥ ହୋଇ ପଡ଼ିଥିବା ଜଣାପଡିଛି। ହୀରବତୀଙ୍କ ବୟସ ୯୦ରୁ ଊର୍ଦ୍ଧ୍ବ ହେବ। ମାଜିଷ୍ଟ୍ରେଟ ଦାୟିତ୍ବରେ ବାମରା ତହସିଲଦାର ଅନିଲ କୁଲୁ ଘଟଣାସ୍ଥଳକୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଗାଁରୁ ଶବ ଉଠିନାହିଁ। ପରିସ୍ଥିତି ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି।

Comments are closed.