ଦିଲ୍ଲୀରେ ଟ୍ରିପଲ ମର୍ଡ଼ର : ମହିଳା ଓ ଦୁଇ ପିଲାଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିହାଲ ବିହାର ଅଞ୍ଚଳରୁ ରବିବାର ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିହାଲ ବିହାରର ଏକ ଘରେ ଜଣେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରାଯାଇଛି। ଏହି ଟ୍ରିପଲ ହତ୍ୟା ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ସନ୍ଦେହ କରୁଛି। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ପୁଲିସ କହିଛି ଯେ, ନିହାଲ ବିହାର ପୁଲିସ ଷ୍ଟେସନକୁ ଆଜି ପ୍ରାୟ ୧୧ଟା ୩୦ ବେଳେ ଏକ ପିସିଆର କଲ ଆସିଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିବ ରାମ ପାର୍କରେ ଥିବା ଏକ ଘରୁ ମହିଳା ପ୍ରୀତି (୨୮), ତାଙ୍କ ୯ ବର୍ଷର ପୁଅ ଏବଂ ପାଞ୍ଚ ବର୍ଷର ଝିଅର ମୃତଦେହ ଉଦ୍ଧାର କରିଥିଲା। ମୃତ ମହିଳା ପ୍ରୀତିଙ୍କ ସ୍ୱାମୀ ଘରେ ନଥିଲେ। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.