ପୋଷ୍ଟରରେ ନାଁ ଅଛି କିନ୍ତୁ ମାନୁ ନାହାନ୍ତି ତୃଣମୂଳ ସାଂସଦ

ମୁର୍ଶିଦାବାଦ: ଉଗ୍ରବାଦୀ ସଂଗଠନ ‘ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ’ ଦ୍ୱାରା ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନରେ ତୃଣମୂଳ କଂଗ୍ରେସ ସାଂସଦ ଅବୁ ତାହେର ଖାନ ଯୋଗଦେବା ନେଇ ସଂଗଠନର ପୋଷ୍ଟରରେ ନାମ ଉଲ୍ଲେଖ ରହିଥିବା ବେଳେ, ସେ ଏ ବିଷୟରେ ଜାଣନ୍ତି ନାହିଁ ବୋଲି ସାଂସଦ ସଫେଇ ଦେଇଛନ୍ତି। ପିଏଫଆଇ ଅଧ୍ୟକ୍ଷ ହଜିବୁଲ ଇସଲାମ ସାଂସଦ ତାହେର ଖାନଙ୍କ ଯୋଗ ଦେବା କଥା ଘୋଷଣା କରିବା ପରେ ସାଂସଦ ଏଭଳି ମନ୍ତବ୍ୟ ଦେଇଛନ୍ତି। ତାହେର କହିଛନ୍ତି, ସେ ଏଭଳି ବିକ୍ଷୋଭ ପ୍ରସଙ୍ଗରେ ଜାଣନ୍ତି ନାହିଁ, ଯଦି କେହି ପୋଷ୍ଟରରେ ତାଙ୍କ ନାମ ଲେଖିଛି ସେ କିଛି କରିପାରିବେ ନାହିଁ।

ପିଏଫଆଇ ପକ୍ଷରୁ ଆସନ୍ତା ୫ରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦିଆଯାଇଛି। ଯଦି କେନ୍ଦ୍ର ସରକାର ଏହି ନାଗରିକତା ସଂଶୋଧିତ ଆଇନକୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପିଏଫଆଇ ଅଧ୍ୟକ୍ଷ ହଜିବୁଲ ଇସଲାମ କହିଛନ୍ତି। ପିଏଫଆଇ ପକ୍ଷରୁ ଗତ ଡିସେମ୍ବର ୧୯ରେ ହିଂସା ସୃଷ୍ଟି ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ୨୫ ଜଣଙ୍କୁ ଗିରଫ କରିଥିବା ବେଳେ ସେହି ସଙ୍ଗଠନକୁ ବେଆଇନ ଘୋଷଣା କରିବାକୁ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓ.ପି. ସିଂହ ଗୃହ ମନ୍ତ୍ରାଳୟକୁ ଅବଗତ କରାଇଥିବା ଜଣାପଡିଛି।

Comments are closed.