ଅଭୟ ପାଢ଼ୀ-ପ୍ରଜ୍ଞାପୂର୍ଣ୍ଣ ପ୍ରସାରକ

ଗତ ୯ ତାରିଖର ଟେଲିଫୋନ୍‌ରେ ବାର୍ତ୍ତା ଆସିଲା ‘​ଟେଷ୍ଟେଡ୍‌ କରୋନା ପଜିଟିଭ୍‌। ଆଡ୍‌ମିଟେଡ ଟୁ ବିକାଶ ହସ୍‌ପିଟାଲ ବରଗଡ଼’। ଦୁଇ ଦିନ ପରେ ଏପଟୁ ପଚାରିଲି ଏବେ କେମିତି ଅଛନ୍ତି ? ସେପଟୁ ବାର୍ତ୍ତା ଫେରିଲା – ସେତେ ଭଲ ନୁହେଁ।’ ଏଇଥିଲା ଅଭୟ ପାଢ଼ୀଙ୍କ ସହ ମୋର ଶେଷ ବାର୍ତ୍ତା ବିନିମୟ। ତା’ପରେ ସେ ଚାଲିଗଲେ ଭେଣ୍ଟିଲେଟରକୁ ଏବଂ ସେଠାରୁ ଫେରିଲେ ଗତ ୨୧ତାରିଖ ସୋମବାର ଦିନ ସମ୍ବଲପୁର ମହାନଦୀ ତଟବର୍ତ୍ତୀ ରାଜଘାଟ ଶ୍ମଶାନକୁ। ଓଡ଼ିଶାର ଆକାଶବାଣୀ କ୍ଷେତ୍ରର ଜଣେ ପ୍ରଜ୍ଞାଦୀପ୍ତ ପୁରୁଷଙ୍କ ଜୀବନାବସାନ ହେଲା। ଏକାନ୍ତ ସୁସ୍ଥ ଥିବା ଶ୍ରୀ ପାଢ଼ୀ ଏଭଳି କରୋନାରେ ଆକ୍ରାନ୍ତ ହୋଇ ଯେ ଏକାବେଳକେ ସଂସାରରୁ ବିଦାୟ ନେଇଯିବେ ଏହା ଆମମାନଙ୍କ ପାଇଁ ଏକାଧାରାରେ ଅପ୍ରତ୍ୟାଶିତ, ଅବିଶ୍ବାସ୍ୟ ଏବଂ ଦୁଃଖଦାୟକ ହେଲେ ହେଁ ଦାରଣୁ ସତ୍ୟ। ୧୯୪୯ ରୁ ୨୦୨୦ – ଏକସ୍ତରି ବର୍ଷର ପରମାୟୁ ମଧ୍ୟରେ ପ୍ରଭୂତ ପ୍ରତିଭାର ସ୍ବାକ୍ଷର ସେ ଛାଡ଼ିଯାଇଛନ୍ତି। ଶୈଶବରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଜୀବନ ଅତିବାହିତ ହୋଇଥିଲା ସମ୍ବଲପୁର ସହରରେ। ମଝିରେ କିଛି ବର୍ଷ ରାୟପୁର ରାଜକୁମାର କଲେଜରେ ଅଧ୍ୟୟନ କରିଥିଲେ। ଇତିହାସରେ ସ୍ନାତକ ଏବଂ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ସୁଦ୍ଧା ଏ ଦୁଇ ବିଷୟ ଛଡ଼ା ଓଡ଼ିଆ ଭାଷା ସାହିତ୍ୟ, ବିଭିନ୍ନ ଆଞ୍ଚଳିକ ଓଡ଼ିଆଭାଷା, ସାମଗ୍ରିକ ଭାବେ ଓଡ଼ିଶାର ସଂସ୍କୃତି, ଲୋକଜୀବନ ଇତ୍ୟାଦି କ୍ଷେତ୍ରରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। ଛାତ୍ର ଜୀବନରୁ ଥିବା ତାଙ୍କର ଅଧ୍ୟୟନଶୀଳ ଏବଂ ଜିଜ୍ଞାସା ଭାବ ତାଙ୍କୁ ଶେଷ ପର୍ଯ୍ୟନ୍ତ ଜ୍ଞାନପିପାସୁ କରି ରଖିଥିଲା। ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଆକାଶବାଣୀର ଆକର୍ଷଣ ତାଙ୍କୁ ଟାଣିଆଣିଥିଲା ଏବଂ ୧୯୭୫ ମସିହାରେ ସେ ପ୍ରୋଗ୍ରାମ୍‌ ଏକ୍‌ଜିକ୍ୟୁଟିଭ୍‌ ଭାବରେ ଆକାଶବାଣୀ ଜୟପୁର କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ।
ସମ୍ବଲପୁର କେନ୍ଦ୍ରରେ ସହକାରୀ କେନ୍ଦ୍ର ନିର୍ଦେଶକ ଥିବା ସମୟରେ ୧୯୮୮ ମସିହାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ଆୟୋଜିତ କେନ୍ଦ୍ର ନିର୍ଦେଶକ ସାକ୍ଷାତ୍‌କାର ପରୀକ୍ଷାରେ ପ୍ରଥମ ସ୍ଥାନ ଲାଭ କରି ଆକାଶବାଣୀ ବାରିପଦାର କେନ୍ଦ୍ର ନି‌େର୍ଦଶକ ଭାବେ ଯୋଗ ଦେଲେ। ଏହି କେନ୍ଦ୍ରରେ କାର୍ଯ୍ୟ କରିବା ସମୟରେ ସାନ୍ତାଳୀ ଭାଷା, ସାହିତ୍ୟ, ଝୁମର ସଂଗୀତର ମୌଳିକତା, ଏହାର ବ୍ୟାକରଣ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ସମୟକ୍ରମେ ପ୍ରଶାସନିକ କାର୍ଯ୍ୟ ବଢ଼ିବାରୁ ସେ ମାର୍ଗଦର୍ଶନ ଦେବା ଛଡ଼ା ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକ୍ରମ ପ୍ରସ୍ତୁତି, ଉପସ୍ଥାପନାରୁ ଦୂରେଇଗଲେ। ଦିଲ୍ଲୀସ୍ଥିତ ଆକାଶବାଣୀ ମହାନି​‌େ​‌ର୍ଦ୍ଦଶାଳୟରେ ବିଭିନ୍ନ ପ୍ରଭାଗ ଦାୟିତ୍ବରେ ରହି ସେ ନିଜର ବୁଦ୍ଧିମତ୍ତା, ବିଚକ୍ଷଣତା ବଳରେ ଦକ୍ଷତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କଲେ। ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସଂକ୍ଷିପ୍ତ, ସୂଚୀବନ୍ଧ, ସାର ଏବଂ ମିତ ଉପସ୍ଥାପନା କରିବାରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ସେଥିପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷମାନଙ୍କର ନିର୍ଭରଯୋଗ୍ୟ ଅଧିକାରୀ ଥିଲେ। ଆକାଶବାଣୀ ମହାନି​ର୍ଦେଶାଳୟରେ କ୍ରୀଡ଼ା, ବାଣିଜ୍ୟ, କାର୍ମିକ, ନୀତି, ଆନ୍ତର୍ଜାତିକ ପ୍ରସାରଣ ସମ୍ପର୍କ – ଇତ୍ୟାଦି ପ୍ରଭାଗମାନଙ୍କର ନି​‌େ​‌ର୍ଦ୍ଦଶକ ଭାବରେ ସେ ନିଜର ଦକ୍ଷତାର ପରିଚୟ ଦେଇଥିଲେ। ଏତଦ୍‌ବ୍ୟତୀତ ଆକାଶବାଣୀ ସମାଚାର ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ। ଦିଲ୍ଲୀର ମୁଖ୍ୟ ସମ୍ବାଦକକ୍ଷ, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଆକାଶବାଣୀର ସମ୍ବାଦ ବିଭାଗରେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।
ତାଙ୍କ ବୃତ୍ତିଗତ ଜୀବନର ଏକ ଉଲ୍ଲେଖନୀୟ ଘଟଣା ହେଉଛି ୨୦୦୦ ମସିହାରେ ଆକାଶବାଣୀ କଟକ କେନ୍ଦ୍ର ନି​ର୍ଦେଶକ ଭାବରେ ଯୋଗଦାନ। ଗତାନୁଗତିକ କାର୍ଯ୍ୟ ଭିତରେ ଏ କାଳଖଣ୍ଡର ଦୁଇଟି କାର୍ଯ୍ୟ ପାଇଁ ସେ ମନେ ରହିବେ। ଗୋଟିଏ ହେଉଛି ୨୦୦୨ ମସିହାରେ କଟକ ଇନ୍‌ଡୋର ଷ୍ଟାଡିଅମରେ ଆକାଶବାଣୀ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ତଥା ଆକାଶବାଣୀର ୭୫ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ। ତତ୍‌କାଳୀନ ଉପ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲକୃଷ୍ଣ ଆଡ୍‌ୱାଣୀ, ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ବରାଜ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭବ୍ୟ ଉପସ୍ଥିତିରେ ସମାରୋହର ବିପୁଳ ଏବଂ ଭବ୍ୟ ଆୟୋଜନ। ଆମମାନଙ୍କୁ ସୈନିକ କହି ନିଜେ ସେନାପତି ହୋଇ ସେ ଏ କାର୍ଯ୍ୟ ସଫଳତାର ସହ ସମାହିତ କରିଥିଲେ। ଦ୍ବିତୀୟ କାର୍ଯ୍ୟଟି ହେଲା ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ସଂଗୀତମୟ ପ୍ରସ୍ତୁତି ଏବଂ ଧାରାବାହିକ ବେତାର ପ୍ରସାରଣ। ଓଡ଼ିଶାର ପୁରପଲ୍ଲୀରେ ଭାଗବତ ଟୁଙ୍ଗି, ପରମ୍ପରା ଅବକ୍ଷୟ ହେବା ବେଳରେ ଆକାଶବାଣୀ ଦ୍ବାରା ଭାଗବତ ଗାୟନର ପୁନରୁଦ୍ଧାର ଏକ ଜାତୀୟ କାର୍ଯ୍ୟ ହେଲା। ଏହାର ଶ୍ରେୟ ଶ୍ରୀ ପାଢ଼ୀଙ୍କୁ ନିଶ୍ଚୟ ଯିବ। ଏହା ପରେ ଉପମହାନି​‌େ​‌ର୍ଦଶକ ପଦକୁ ପଦୋନ୍ନତି ପାଇ ସେ କଲିକତା ଯାଇ ଆକାଶବାଣୀ ଓ ଦୂରଦର୍ଶନର ପୂର୍ବାଞ୍ଚଳ ଦାୟିତ୍ବରେ ରହିଲେ। ଏହା ସହିତ କଲିକତା ଦୂରଦର୍ଶନର ନି​‌େ​‌ର୍ଦଶକ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କଲେ। ତାଙ୍କର ପ୍ରଖର ସ୍ମୃତିଶକ୍ତି, ପ୍ରଚଣ୍ଡ ବୁଦ୍ଧିମତା, ପ୍ରଶାସନିକ ଦକ୍ଷତା, ସାଧୁତା ଏବଂ ପରିଶ୍ରମ ତାଙ୍କୁ ସମସ୍ତ ପଦପଦବୀରେ ସଫଳତା ଏବଂ ପ୍ରଶଂସା ଆଣିଦେଇଥିଲା। ଅତିରିକ୍ତ ମହାନି​ର୍ଦେଶକ ପଦକୁ ଯିବାରେ ସେ ପ୍ରଥମ ଓଡ଼ିଆ ଅଧିକାରୀ। ଆକାଶବାଣୀର ଜଣେ ଭାଷ୍ୟକାର, ଇଂରାଜୀ ଭାଷାରେ ଜାତୀୟ ସ୍ତରର ଭାଷ୍ୟକାର ଭାବରେ ତାଙ୍କର ପରିଚୟ ଥିଲା।
ସାହିତ୍ୟରେ ମଧ୍ୟ ସେ ସ୍ପଷ୍ଟ ପଦାଙ୍କ ଛାଡ଼ିଯାଇଛନ୍ତି। ‘ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣ୍ଣନା’, ‘ଋତୁପ୍ରତି’ ଦୁଇଟି କବିତାଗ୍ରନ୍ଥ, ‘ଗୁପାଗୁଲା’ ଭଳି ଗୋଟିଏ ସମ୍ବଲପୁରୀ ଭାଷାର ବ୍ୟଙ୍ଗ ରଚନା ଗ୍ରନ୍ଥ, ଗଳ୍ପ ସଂକଳନ ‘ମିଛ କଥା’ ତାଙ୍କ ସାହିତ୍ୟ କୃତି।
ଅବସର ପରେ ତାଙ୍କର ସମସ୍ତ ସମୟ ସେ ସମ୍ବଲପୁରୀ ଭାଷା, ସାହିତ୍ୟର ଉନ୍ନତିକଳ୍ପେ ବ୍ୟୟ କରୁଥିଲେ। ତାଙ୍କ ବନ୍ଧୁ କବି ତଥା ଭାଷ୍ୟବିତ୍‌ ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହ ମିଶି ‘ସମ୍ବଲପୁରୀ କୋଶଲୀ ବ୍ୟାକରଣ’ ଗ୍ରନ୍ଥ ରଚନା କରିଥିଲେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ସଦସ୍ୟ ଭାବରେ ବୈଠକରେ ଯୋଗଦେବା ପାଇଁ ଆସିଲେ ମୋ ପାଖକୁ ବରାବର ଆସୁଥିଲେ। ତାଙ୍କ ସହ ଅନ୍ତରଙ୍ଗତା ଦୃଷ୍ଟିରୁ ମୁଁ ଲକ୍ଷ୍ୟ କରିଥିଲି ଜୀବନ ପ୍ରତି ତାଙ୍କର ବେଶୀ ମୋହ ନ ଥିଲା କିମ୍ବା ମୃତ୍ୟୁକୁ ମଧ୍ୟ ଭୟ ନ ଥିଲା। ଏକ ପ୍ରକାର ଜୀବନ୍ମୁକ୍ତ ଜୀବନ ସେ ବଞ୍ଚୁଥିଲେ। ବୃତ୍ତିଗତ ଜୀବନରେ ମଧ୍ୟ କାହାକୁ ସେ ଭୟ କରିବା ମୁଁ ଦେଖିନାହିଁ। ତାଙ୍କ ଜୀବନରେ ତାଙ୍କ ଅଭୟ ନାମଟି ସାର୍ଥକ ହୋଇଥିଲା।

-: ଡକ୍ଟର ଶାନ୍ତନୁ କୁମାର ରଥ

Comments
Loading...