ଜନଜାତି ସଂଗ୍ରହାଳୟରେ ଭର୍ଚୁଆଲ ଟୁର: ଦେଖିହେବ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ ୧ରୁ ପ୍ରତ୍ୟେକ ରବିବାରରେ ଦର୍ଶକମାନେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ମୋଡ୍‌ରେ ଦେଖିବାର ସୁଯୋଗ ପାଇପାରୁଛନ୍ତି। ଆସନ୍ତାକାଲି ନଭେମ୍ବର ୮(ରବିବାର) ଦର୍ଶକମାନେ ଘରେ ବସି ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତିମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ କହିଛନ୍ତି ଯେ ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ‘ଗଦବା’ ଜନଜାତିମାନେ ମୁଖ୍ୟତଃ ବସବାସ କରିଥା’ନ୍ତି। ସେମାନେ ‘ଗୁଟୋବ’ ଓ ‘ଓଲିଆରି’ ଭାଷାରେ କଥାବାର୍ତ୍ତା କରିଥା’ନ୍ତି। ‘ଗଦବା’ ଜନଜାତିଙ୍କର ମୁଖ୍ୟ ପେଶା ହେଉଛି ପୋଡୁ ଓ ଅନ୍ୟାନ୍ୟ ଚାଷ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶ୍ରମ କରିବା। ସେମାନଙ୍କର ମୁଖ୍ୟ ପର୍ବ ହେଉଛି ବନ୍ଦାପନା ପରବ, ଦଶହରା ପରବ, ପୁଷ ପରବ ଓ ଚଇତି ପରବ। କୋରାପୁଟ ଜିଲ୍ଲାର ଗଦବାମାନେ ବଡ଼ୋ ଗଦବା, ପରେଙ୍ଗା, ଓଲାରୋ ଏବଂ ସାନୋ ଗଦବା ଏହିଭଳି ଚାରି ଭାଗରେ ବିଭକ୍ତ। ସାଧାରଣତଃ ପାରମ୍ପରିକ ଗଦବା ଘର ବୃତ୍ତାକାରରେ ନିର୍ମାଣ କରାଯାଇଥାଏ ଓ ଛାତ କାଠରେ ତିଆରି କରାଯାଇଥାଏ ।

‘ଗଦବା’ ଜନଜାତିଙ୍କ ଘରେ ମୁଖ୍ୟ ବାସଗୃହ, ରୋଷେଇ ଘର, ଆଭ୍ୟନ୍ତରିଣ ଗୃହ ରହିଥାଏ। ସେଠାରେ ପରିବାରର ଦେବତାଙ୍କୁ ସ୍ଥାନିତ କରାଯାଇଥାଏ। ଗଦବା ଘରଗୁଡ଼ିକ ଦୁଇ ଧାଡ଼ିରେ ମଝିରେ ବ୍ୟବଧାନ ରଖି ସାମ୍‌ନାସାମନି ତିଆରି ହୋଇଥାଏ। ‘ଗଦବା’ ଗ୍ରାମରେ ତିନିି ପ୍ରକାରର ଘର ଦେଖିବାକୁ ମିଳିଥାଏ। ସେଗୁଡ଼ିକ ହେଉଛି ମହାଦ ଦିଏନ, ଦୋନ୍‌ଦୁଲ୍‌ ଦିଏନ ଓ ଛେଣ୍ଡି ଦିଏନ। ପ୍ରଥମ ଦୁଇପ୍ରକାର ଘର ଚତୁର୍ଭୁଜାକାର ହୋଇଥିବାବେଳେ ତୃତୀୟଟି ‘କୋନ୍‌’ ଆକାରର ଛାତ ସହିତ ବୃତ୍ତାକାର ଅଟେ। ‘ଗଦବା’ମାନଙ୍କର ମୁଖ୍ୟ ଦେବତା ପଥରର ଠାକୁରାଣୀ। ‘ଦିଶାରୀ’ଙ୍କ ଦ୍ୱାରା ପୂଜା ପାଉଥିବା ଠାକୁରାଣୀଙ୍କ ମନ୍ଦିରକୁ ‘ହୁଣ୍ଡି’ କୁହାଯାଏ। ଗଦବା ମହିଳାମାନେ ପିତ୍ତଳ ଓ ରସ ଏବଂ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତା ହୋଇଥା’ନ୍ତି। ମହିଳାମାନେ ହାତବୁଣା, ଗାରପକା ଲୁଗା ପରିଧାନ କରିଥା’ନ୍ତି। ଏହାକୁ ‘କେରଙ୍ଗ’ କୁହାଯାଏ। ପୁରୁଷମାନେ ‘ଲଏନ୍‌ କ୍ଲଥ’ ପରିଧାନ କରିଥାନ୍ତି। ‘ଢେମ୍‌ସା’ ନୃତ୍ୟ ପାଇଁ ‘ଗଦବା’ ଜନଜାତି ପ୍ରସିଦ୍ଧ। ଗଦବା ଗ୍ରାମରେ ପାରମ୍ପରିକ କାଉନ୍‌ସିଲର ମୁଖ୍ୟ ‘ନାଏକ’ ଅଟନ୍ତି। ତାଙ୍କୁ ‘ଚାଲାଣ’ ଓ ‘ବାରିକ’ ସହାୟତା କରିଥା’ନ୍ତି। ସମସ୍ତ ଧାର୍ମିକ କାର୍ଯ୍ୟ ‘ଦିଶାରୀ’ଙ୍କ ଦ୍ୱାରା ସଂପନ୍ନ ହୋଇଥାଏ।


ସେହିଭଳି ଆଜି ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ ଦର୍ଶକମାନେ ଭୋତଡ଼ା ଜନଜାତିଙ୍କ ସଂପର୍କରେ ସମ୍ୟକ ସୂଚନା ପାଇପାରିବେ। ଏହି ଜନଜାତି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବସବାସ କରନ୍ତି। ଏହି ଜନଜାତି ‘ବୋଡୋ’ ଓ ‘ସାନୋ’ ଦୁଇ ଭାଗରେ ବିଭକ୍ତ। ବିଭିନ୍ନ ପ୍ରାଣୀ ଯଥା: କଇଁଛ, ବ୍ୟାଘ୍ର, ସର୍ପ, ମର୍କଟ, ଶ୍ୱାନ, ଝିଟିପିଟି, ଛେଳି ଇତ୍ୟାଦିଙ୍କ ନାମ ଅନୁସାରେ ସେମାନଙ୍କ ଗୋତ୍ରର ନାମକରଣ କରିଥା’ନ୍ତି। ସେମାନେ ହିନ୍ଦୁ ଦେବଦେବୀଙ୍କ ପୂଜା କରିବା ସହିତ ବୁଢ଼ୀ ଠାକୁରାଣୀ, ଭୈରବୀ ବୁଢ଼ୀ, ପରଦେଶୀ, ବସୁମାତା, ବନଦୁର୍ଗା ଆଦିଙ୍କୁ ଉପାସନା କରିଥା’ନ୍ତି। ଗ୍ରାମସ୍ତରରେ ସେମାନଙ୍କର ମୁଖ୍ୟ ‘ନାଏକ’ ଏବଂ ସହାୟକ ଭାବେ ‘ଚାଲାଣ’, ‘ପୂଜାରୀ’ ଓ ‘ଗୋଣ୍ଡା’ ଗୋଷ୍ଠୀ ବ୍ୟାପାର ବୁଝିଥାନ୍ତି। ଭୋତଡ଼ା ଜନଜାତିର ଲୋକମାନେ ଧାନକୁ ପତଳା ବାଉଁଶ ଫ୍ରେମ୍‌ ସହିତ ସଂଯୁକ୍ତ କରି ଭିନ୍ନ ଭିନ୍ନ ପ୍ରକାର ଓ ଆକାରର କଳାବସ୍ତୁ ତିଆରି କରିଥା’ନ୍ତି। ଏହା ସେମାନଙ୍କର ଅର୍ଥ ଉପାର୍ଜନରେ ସହାୟକ ହୋଇଥାଏ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments
Loading...