ଟ୍ରାଇବାଲ୍‌ ମ୍ୟୁଜିୟମ୍‌: ଏଥର ଭର୍ଚୁଆଲ୍‌ ଟୁର୍‌ରେ ଦେଖିହେବ ଧାରୁଆ ଜନଜାତିଙ୍କ ବସ୍ତ୍ର, ଢୋକ୍ରା କାରିଗରୀ କୌଶଳ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ରାଜ୍ୟ ଜନଜାତି ସଂଗ୍ରହାଳୟ କୋଭିଡ୍‌୧୯ ପରିପ୍ରେକ୍ଷୀରେ ବନ୍ଦ ରହିଛି । ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଏଥର ଦର୍ଶକମାନେ ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ @scstrti, @stscdev ଖୋଲି ଧାରୁଆ ଜନଜାତିଙ୍କ ବସ୍ତ୍ର ଓ ଢୋକ୍ରା କାରିଗରୀ କୌଶଳ ସଂପର୍କରେ ଜାଣିପାରିବେ। ଟ୍ରାଇବାଲ୍‌ ମ୍ୟୁଜିୟମ୍‌ର ଭର୍ଚୁଆଲ୍‌ ଟୁର୍‌ରେ ଆସନ୍ତାକାଲି(ରବିବାର) ଧାରୁଆ ଜନଜାତିଙ୍କ ବସ୍ତ୍ର ଓ ଢୋକ୍ରା କାରିଗରୀ କୌଶଳ ଦେଖିହେବ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ଧାରୁଆ ଜନଜାତିମାନେ ମୁଖ୍ୟତଃ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ଜିଲାରେ ବସବାସ କରିଥାନ୍ତି। କୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଝୁଡ଼ି ପ୍ରସ୍ତୁତି, ଶ୍ରମ କରିବା ସେମାନଙ୍କର ମୁଖ୍ୟ ପେଶା। ଏହି ଜନଜାତି ଗୋଷ୍ଠୀଙ୍କ ମୁଖ୍ୟ ପର୍ବ ହେଉଛି ଲେଣ୍ଡିପଣ୍ଡା, ଘିଆପଣ୍ଡା ଓ ଗୋଏସେନ୍‌ଡିଆ-ହିଆ। ସେମାନେ ଇସ୍ତିପାଲ୍‌, ଗ୍ରାମଶିରି, ଗରମ, ରମକିନ୍‌ ଆଦି ଦେବଦେବୀଙ୍କୁ ପୂଜା କରିବା ସହିତ ହିନ୍ଦୁ ଦେବଦେବୀ ଜଗନ୍ନାଥ, ଲକ୍ଷ୍ମୀ, ମହାଦେବ, କାଳୀ ଆଦିଙ୍କୁ ମଧ୍ୟ ପୂଜା କରିଥାନ୍ତି। ଧାରୁଆ ଜନଜାତି ନିଜକୁ ସ୍ୱତନ୍ତ୍ର ନାଲି ଓ ଧଳା ବସ୍ତ୍ର ଓ ବିବାହ ଉତ୍ସବ ସମୟରେ ଗାଢ଼ନାଲି ଓ ଇଟା ରଙ୍ଗର ବସ୍ତ୍ରରେ ସଜାଇଥାନ୍ତି। କୋଟପାଡ଼ର ବୁଣାକାରମାନେ ଏହି ବସ୍ତ୍ର ପ୍ରାକୃତିକ ରଙ୍ଗ ଦେଇ ସୁନ୍ଦର ଭାବେ ପ୍ରସ୍ତୁତ କରିଥାନ୍ତି। ଅନ୍ୟ ଏକ ଭିଡ଼ିଓ ଯୋଗେ ଦଶର୍କ ମାନେ ଢୋକ୍ରା କାରିଗରୀ କୌଶଳ ସଂପର୍କରେ ଜାଣିପାରିବେ। ଓଡ଼ିଶାର, ମୁଖ୍ୟତଃ ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ଢୋକ୍ରା ଶିଳ୍ପୀ ବସବାସ କରିଥାନ୍ତି।

ଢୋକ୍ରା ଶିଳ୍ପ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ଉପକରଣ ହେଉଛି ପିତ୍ତଳ, ଆଲକତରା ସଦୃଶ କଳା ବା ବାଦାମୀ ରଙ୍ଗର ମିଶ୍ରଣ, ଝୁଣା, ମାଟି, ଧାନଶସ୍ୟର ଶୁଖିଲା ଚୋପା, ବାଲି ଓ କାଠ। ପିତ୍ତଳ ଏବଂ ୱାକ୍ସ ହେଉଛି ଏହାର ମୁଖ୍ୟ ଉପକରଣ। ମହମ, ଝୁଣା ଓ କଳା ଏବଂ ବାଦାମୀ ମିଶ୍ରଣକୁ (୧ କେଜି: ୨୫୦ ଗ୍ରାମ: ୧୦ ଗ୍ରାମ) ଅନୁପାତରେ ଏକ ଜାଗାରେ ମିଶାଯାଇ ପାଣିରେ ଢାଳି ଅଳ୍ପ ଆଞ୍ଚରେ ଗରମ କରାଯାଇ ଆଂଶିକ କଠିନ କରାଯାଇଥାଏ। ମହମ ଏବଂ ପିତ୍ତଳର ଅନୁପାତ ୧:୧୦ ହୋଇଥାଏ। ମହମ ଥ୍ରେଡ୍‌ ପ୍ରସ୍ତୁତି ନିମନ୍ତେ କାରିଗରମାନେ କାଟିବା ପାଇଁ କାତ୍ରି, କାଠର ଟେସା, ଚକି ଆଦି ବ୍ୟବହାର କରିଥାନ୍ତି। ସେମାନେ ବିଭିନ୍ନ ଡିଜାଇନ୍‌ ପ୍ରସ୍ତୁତ କରିଥାନ୍ତି। ମହମ ଥ୍ରେଡ୍‌ଗୁଡ଼ିକୁ ଏକ କାଠବୋର୍ଡରେ ରଖାଯାଏ। ନରମ ମାଟିକୁ ଏକ କାଠିରେ ବିଭିନ୍ନ ଆକୃତି କରାଯାଏ। ନିଆଁ ଉପରେ ମାଟିର ତିଆରି ବିଭିନ୍ନ ଆକୃତିକୁ ଚିମୁଟା ଯୋଗେ ରଖାଯାଏ ଓ ପ୍ରସ୍ତୁତ ହେଲା ପରେ ବାହାର କରାଯାଏ। ନିଆଁରେ ସେକି ହୋଇ ଯୋଡା ହେବା ପରେ ମହମର ବିଭିନ୍ନ ଆକୃତିକୁ ବାହାର କରାଯାଏ। ମାଟିର ଆକୃତିଗୁଡ଼ିକୁ ସେମାନେ ଖରାରେ ଶୁଖାଇଥାନ୍ତି। ଶୁଖିଲା ଅଂଶକୁ ଝାଟପତ୍ର ବ୍ୟବହାର କରାଯାଇ ପଲିସ୍‌ କରାଯାଇଥାଏ।

 

ସଂପୂର୍ଣ୍ଣ ଆକୃତି ପ୍ରସ୍ତୁତି ପରେ ମାଟିର ଆକୃତିରେ ନାଲି ମାଟିର ଏକ ଆସ୍ତରଣ ଦିଆଯାଇଥାଏ ଓ ଶୁଖିବାକୁ ଛାଡ଼ି ଦିଆଯାଏ। ଡିଜାଇନ୍‌ ଅନୁସାରେ ମହମ ମହମ ଥ୍ରେଡ୍‌କୁ ଗୁଡାଇ ଦିଆଯାଏ। ସଙ୍ଗେ ସଙ୍ଗେ ମାଟିର ଆକୃତିଗୁଡ଼ିକରେ ନାଲିମାଟିର ଦ୍ୱିତୀୟ କୋଟ୍‌ ଦିଆଯାଏ। ସମାନ ପ୍ରକ୍ରିୟାରେ ତରଳା ଯାଇଥିବା ପିତ୍ତଳ କ୍ରାଫଫ ପ୍ରସ୍ତୁତି ବେଳେ ହଳଦୀପତ୍ର ପେଷ୍ଟରେ ଧୁଆଯାଇ ଲେମ୍ବୁପତ୍ରକୁ ଅଧିକ ଉଜ୍ଜ୍ୱଳତା ଆଣିବା ନିମନ୍ତେ ବ୍ୟବହାର କରାଯାଇଥାଏ। ଢୋକ୍ରା ଶିଳ୍ପୀମାନେ ଢୋକ୍ରାର ବିଭିନ୍ନ ପ୍ରକାରର ଶିଳ୍ପ ସାମଗ୍ରୀ ଯଥା-ଘର ସଜାଇବା, ବିଭିନ୍ନ ଡିଜାଇନ୍‌ର ଦରକାରୀ ସାମଗ୍ରୀ, ବିଭିନ୍ନ ଅଳଙ୍କାର, ଦେବଦେବୀ ମୂର୍ତ୍ତି ଓ ଆଭୂଷଣ ଆଦି ପ୍ରସ୍ତୁତ କରିଥାନ୍ତି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି।

Comments are closed.