‘ଟ୍ରାଇବାଲ୍‌ ମ୍ୟୁଜିୟମ୍‌ରେ ଭର୍ଚୁଆଲ୍‌ ଟୁର୍, ଦେଖିପାରିବେ ‘ବଣ୍ଡା’ ଜନଜାତିଙ୍କ ଅନ୍ୟନ୍ୟ ଜୀବନଶୈଳୀ

‘ବଣ୍ଡା’ ଜନଜାତିଙ୍କର ବ୍ୟକ୍ତିତ୍ୱ ବିଶ୍ୱର ଅନ୍ୟମାନଙ୍କଠାରୁ ଭିନ୍ନ

ଭୁବନେଶ୍ୱର: ଆସନ୍ତାକାଲି(ରବିବାର) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍‌ ଟୁର୍‌ରେ ଦର୍ଶକମାନେ ଏସ୍‌ଏସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦେଖିପାରିବେ । ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ଘରେ ବସି ଦର୍ଶକମାନେ ଭିଡ଼ିଓରେ ମାଲକାନଗିରିର ‘ବଣ୍ଡା’ ଜନଜାତିଙ୍କ ଅନନ୍ୟ ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଆଦି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ବଣ୍ଡା ଜନଜାତିର ଲୋକମାନେ ମାଲକାନଗିରି ଜିଲାରେ କୋନ୍‌ଡାକାମ୍‌ବେରୁ ପର୍ବତାଞ୍ଚଳର ଦୁର୍ଗମ ସ୍ଥାନରେ ବସବାସ କରିଥାନ୍ତି। ‘ବଣ୍ଡା’ ଜନଜାତି ‘ମୁଣ୍ଡା’ ଭାଷାରେ କଥା ହୁଅନ୍ତି। ହସ୍ତତନ୍ତ ଲୁଗା ବୁଣିବା, ମାଳିର ହାର ତିଆରି କରିବା, କାର୍ପେଟ ବୁଣିବା, ଝାଡୁ ତିଆରି କରିବା, ଚାଷ କରିବା ସହିତ ଶିକାର କରିବା ‘ବଣ୍ଡା’ ଜନଜାତିଙ୍କର ମୁଖ୍ୟ ପେଶା। ସେମାନେ ମଧ୍ୟ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି।

‘ବଣ୍ଡା’ ଜନଜାତି ମହିଳାମାନେ ସେମାନଙ୍କର ଅନନ୍ୟ ବେଶପୋଷାକ ଓ ଲଣ୍ଡିତ ମସ୍ତକ ପାଇଁ ବିଶ୍ୱରେ ବେଶ୍‌ ଜଣାଶୁଣା। ମହିଳାମାନେ ‘ରିଙ୍ଗା’ ନାମରେ ନାମିତ ରଙ୍ଗବେରଙ୍ଗର ସ୍କାର୍ଟ ପରିଧାନ କରିଥାନ୍ତି ଯାହାକି ‘କେରାଙ୍ଗ’ ତନ୍ତୁରେ ପ୍ରସ୍ତୁତ କରାଯାଇଥାଏ। ‘ବଣ୍ଡା’ ଜନଜାତିଙ୍କର ବ୍ୟକ୍ତିତ୍ୱ ବିଶ୍ୱର ଅନ୍ୟମାନଙ୍କଠାରୁ ଭିନ୍ନ। ‘ବଣ୍ଡା’ ପୁରୁଷମାନେ ସଂକୀର୍ଣ୍ଣ ଲିଓନ୍‌ କପଡ଼ାର ପୋଷାକ ପରିଧାନ କରିଥାନ୍ତି। ‘ବଣ୍ଡା’ ମହିଳାମାନଙ୍କର ସାଜସଜ୍ଜା ଅନନ୍ୟ ଓ ଅଭିନ୍ନ। ସେମାନେ ଶରୀରର ଉପର ଭାଗକୁ ମାଳି ଓ ପିତ୍ତଳ ମାଳାରେ ଆଚ୍ଛାଦିତ କରିଥା’ନ୍ତି। ‘ବଣ୍ଡା’ ଗ୍ରାମଗୁଡ଼ିକ ପାରମ୍ପରିକ ଭାବେ ସ୍ୱୟଂଶାସିତ। ଗ୍ରାମର ମୁଖ୍ୟ ‘ନାଏକ’, ଗ୍ରାମସଭାର ସଂଗଠକ ‘ଚାଲାଣ’, ଗ୍ରାମ ବାର୍ତ୍ତାବହ ‘ବାରିକ’, ବ ଣ୍ଡା ସମାଜର ସାମାଜିକ ଶୃଙ୍ଖଳାକୁ ପରିଚାଳନା କରିଥାନ୍ତି। । ନୃତ୍ୟ ଓ ସଂଗୀତ ‘ବଣ୍ଡା’ ଜୀବନଶୈଳୀର ଏକ ମୁଖ୍ୟ ଅଂଶ।

‘ବଣ୍ଡା’ ଜନଜାତିମାନେ ପ୍ରକୃତିର ଉପାସକ। ସେମାନେ ବିଭିନ୍ନ ଦେବାଦେବୀଙ୍କକୁ ପ୍ରକୃତିର ନାମ ଅନୁସାରେ ନାମିତ କରିଥା’ନ୍ତି। ପୃଥିବୀର ସୃଷ୍ଟିକର୍ତ୍ତା-‘ପାଟଖଣ୍ଡ, ମାପରାଭୁ, ପ୍ରକୃତି ମାତା ତଥା ଗ୍ରାମଦେବୀ-‘ବର୍‌ସୁଙ୍ଗ’, ଝରଣାମାତା-‘କାପୁରଚୁଆନ୍‌’, ଗୋଶାଳା ଦେବୀ-ଧର୍‌ତାନି, ଜଙ୍ଗଲଦେବୀ-‘ଯୁଗ ଓରେଣୁମୁଁଗବୋର୍‌’, ଆମ୍ବଗଛର ଆତ୍ମା-‘ଦୋଳିଆଙ୍ଗ୍‌’, ଧାନକ୍ଷେତର ଆତ୍ମା-‘କାଳିଆରାଣୀ’, ବାଦ୍ୟଯନ୍ତ୍ରର ଆତ୍ମା-‘ଭିନ୍‌ଡିଙ୍ଗସାଗର’ ଆଦିଙ୍କୁ ପୂଜା କରିଥାନ୍ତି । ଗ୍ରାମର ପୂଜକ ଦେବତାମାନଙ୍କୁ ପୂଜା କରିଥାନ୍ତି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

Comments are closed.