ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁର୍‌ରେ ଲୋଧା ଜନଜାତିଙ୍କ ଜୀବନଶୈଳୀ

ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭିଡ଼ିଓ ମାଧ୍ୟମରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଘରେ ବସି ଫେସବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ରବିବାର ଅର୍ଥାତ୍‌ ଅକ୍ଟୋବର ୨୫ ତାରିଖ ଦିନ ‘ଲୋଧା’ ଜନଜାତିଙ୍କର ଜୀବନଶୈଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଲୋଧାମାନେ ଓଡ଼ିଶାର ଆଦିମ ଜନଜାତି। ଏହି ଜନଜାତିର ଲୋକମାନେ ମୁଖ୍ୟତଃ ଜଙ୍ଗଲରେ ରୁହନ୍ତି। ସେମାନଙ୍କର ସାମାଜିକ, ଅର୍ଥନୈତିକ ସ୍ଥିତି ଯାହା ହେଉନା କାହିଁକି ଲୋଧା ଜନଜାତିର ଲୋକମାନେ ଜଙ୍ଗଲରୁ ବିଭିନ୍ନ ଖାଦ୍ୟପଦାର୍ଥ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା’ନ୍ତି । ‘ଲୁବ୍ଧୁକ’ ଶବ୍ଦରୁ ଲୋଧା ଶବ୍ଦ ଆସିଛି । ଓଡ଼ିଶାରେ ଏହି ଜନଜାତି ଗୋଷ୍ଠୀ ମୁଖ୍ୟତଃ ମୟୂରଭଞ୍ଜ ଅଞ୍ଚଳର ମାଳଭୂମି, ମୋରାଦା ଓ ଶୁଳିଆପଦା ବ୍ଲକ୍‌ରେ ବସବାସ କରିଥା’ନ୍ତି।


‘ଲୋଧା’ ଜନଜାତିଙ୍କର ମୁଖ୍ୟ ପେଶା ହେଉଛି ସବାଇଘାସର ଦଉଡ଼ି ତିଆରି କରିବା ଓ ବାଉଁଶରେ କଳାବସ୍ତୁ ପ୍ରସ୍ତୁତ କରିବା। ଲୋଧାମାନେ ଭଗବାନ, ମାତା ‘ବସୁମତୀ’, ‘ଶୀତଳ’ ‘ଚଣ୍ଡ’ ଦେବୀ ଆଦିଙ୍କୁ ବିଶ୍ୱାସ କରିଥାନ୍ତି। ଏହି ଜନଜାତି ଗୋଷ୍ଠୀଙ୍କର କେତେକ ପର୍ବ ନିର୍ଦ୍ଦିଷ୍ଟ ଦିନରେ ପାଳନ ହେଉଥିବାବେଳେ ଅନ୍ୟ ପର୍ବଗୁଡ଼ିକ ଟସର କୁକନ୍‌ ସଂଗ୍ରହ ପୂର୍ବରୁ ଅକେଫାବର ଓ ନଭେମ୍ବର ମାସରେ ପାଳିତ ହୋଇଥାଏ। କେତେକ ପର୍ବ ସାମାଜିକ ଓ ଅର୍ଥନୈତିକ ଆବଶ୍ୟକତା ଅନୁସାରେ ମଧ୍ୟ ପାଳିତ ହୋଇଥାଏ।
ଗୋଲ୍‌ଡେନ୍‌ ଗ୍ରାସ୍‌ ନାମରେ ପରିଚିତ ‘ସବାଇ ଘାସ’ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ପାରମ୍ପରିକ ଭାବେ ଲୋଧାମାନେ ସବାଇଘାସର ଦଉଡି ତିଆରି କରିଥା’ନ୍ତି। ସେହି ଦଉଡିକୁ ସେମାନେ ନିଜେ ବ୍ୟବହାର କରିବା ପରେ ଅବଶିଷ୍ଟ ଦଉଡିକୁ ସ୍ଥାନୀୟ ବଜାରରେ ବିକି୍ର କରି ଅର୍ଥ ଉପାର୍ଜନ କରିଥା’ନ୍ତି। ସଂପ୍ରତି ‘ଲୋଧା’ ଜନଜାତିର ଲୋକମାନେ ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରୁଛନ୍ତି । ବଜାରରେ ଏହାର ଚାହିଦା ଅଧିକ ରହିଛି। ସେମାନେ ୱାଲ ହ୍ୟାଙ୍ଗିଙ୍ଗ୍‌, ପେନ୍‌ଷ୍ଟାଣ୍ଡ, ଘର ସଜାଇବା ନିମନ୍ତେ କୃତି୍ରମ ଫୁଲ, ଛୋଟ ଖେଳଣା ଯଥା-ଶଗଡ଼ ଗାଡ଼ି, କାର୍‌ ଓ ହେଲିକାପ୍‌ଟର ତିଆରି କରି ବିକ୍ରୟ କରୁଛନ୍ତି। ଆସନ୍ତାକାଲିର ଭିଡ଼ିଓରେ ‘ଲୋଧା’ ଜନଜାତିଙ୍କ ସଂପର୍କରେ ଦେଖଣାହାରୀ ଯଥେଷ୍ଟ ଜ୍ଞାନ ଆହରଣ କରିପାରିବେ ବୋଲି ପ୍ରଫେସର ଓତା ପ୍ରକାଶ କରିଛନ୍ତି।

Comments are closed.