ଭର୍ଚୁଆଲ୍‌ ଟୁରରେ ‘ପାଉଡ଼ି ଭୂୟାଁ’ ଓ ‘ପାହାଡ଼ି ଖରିଆ’

ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ଦର୍ଶକମାନେ ଏହି ସଂଗ୍ରହାଳୟକୁ ପରିଦର୍ଶନ ନିମନ୍ତେ ପ୍ରତି ସପ୍ତାହର ରବିବାର ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ଦେଖିବାର ସୁଯୋଗ ପାଉଛନ୍ତି। ଆଜି ଭର୍ଚୁଆଲ୍‌ ଟୁର୍‌ରେ ଦର୍ଶକମାନେ ପାଉଡ଼ି ଭୂୟାଁ ଓ ପାହାଡ଼ି ଖରିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ପାଉଡ଼ି ଭୂୟାଁ ଜନଜାତି ମୁଖ୍ୟତଃ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଅନୁଗୋଳ ଜିଲ୍ଲାରେ ବସବାସ କରିଥାନ୍ତି। ସେମାନେ ଓଡ଼ିଆ ଭାଷାରେ କ ଥାବାର୍ତ୍ତା କରିଥାନ୍ତି। ମାତ୍ର ସେମାନଙ୍କର ଉଚ୍ଚାରଣ ଭିନ୍ନ ଅଟେ। ଝାଡ଼ୁ ତିଆରି, ମ୍ୟାଟ୍‌ ବା ମଶିଣା ପ୍ରସ୍ତୁତି, ବେତ ଆଦି ଦ୍ୱାରା ବୁଣିବା, ଲିଚୁ ଚାଷ, ଟସର ଚାଷ ସହିତ ପୋଡ଼ୁଚାଷ ମଧ୍ୟ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହିତ ଶିକାର ମଧ୍ୟ କରିଥାନ୍ତି। ପାଉଡ଼ି ଭୂୟାଁମାନେ ବୋରାମ, ବିରଡ଼ା, ପାଟ୍‌ସ, ଗାଲସିରି ଓ ଠାକୁରାଣୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ଅନ୍ୟାନ୍ୟ ହିନ୍ଦୁ ଦେବଦେବୀଙ୍କୁ ପାଉଡ଼ି ଭୂୟାଁମାନେ ମଧ୍ୟ ପୂଜା କରନ୍ତି। ପାଉଡ଼ି ଭୂୟାଁ ଜନଜାତିମାନେ ଆମ ନୂଆ, କାଠ ଯାତ୍ରା, ଅଖାଣି ପରିଧି, ଆଷାଢ଼ ଆଦି ପର୍ବ ପାଳନ କରିଥାନ୍ତି। ସେମାନେ ନିଜ ଘର ବେଶ୍‌ ପରିଷ୍କାରପରିଚ୍ଛନ୍ନ ରଖିଥାନ୍ତି।

ପ୍ରାୟ ୫ରୁ ୨୦ଟି ପରିବାର ଗୋଟିଏ ଗ୍ରାମରେ ବାସ କରିଥାନ୍ତି। ନାଲିମାଟି ଓ ଗୋବରରେ ଘରର ଚଟାଣ ସମତଳ କରି ଲିପା ଯାଇଥାଏ। ପ୍ରତ୍ୟେକ ପରିବାରରେ ଏକ ପାକଶାଳା ବଗିଚା ରହିଥାଏ। ପ୍ରତ୍ୟେକ ଗୃହ ତିନି ଭାଗରୁ ଗୋଟିଏ ଆଭ୍ୟନ୍ତରୀଣ ଭାଗ ଶସ୍ୟ ମହଜୁଦ ନିମନ୍ତେ, ମଧ୍ୟ ଭାଗ ରନ୍ଧନ ଓ ଶୟନ ନିମନ୍ତେ ବ୍ୟବହାର କରାଯାଇଥାଏ। ପାଉଡ଼ି ଭୂୟାଁମାନେ ସାଧାରଣତଃ ମାଟିପାତ୍ର, ଖଜୁରୀ ପତ୍ର, ବାଉଁଶ ଝାଡ଼ୁ ବ୍ୟବହାର କରିଥା’ନ୍ତି। ପୋଡ଼ୁଚାଷ ହେଉଥିବା ଜମିକୁ ‘ବିରିଙ୍ଗା’ କୁହାଯାଏ। ସେମାନେ ଡାଲିି ବାଜରା ଚାଷ ମଧ୍ୟ କରନ୍ତି। ପାଉଡ଼ି ଭୂୟାଁମାନେ ଗାଈ, ମଈଁଷି, ଛେଳି, ମେଣ୍ଢା ଆଦି ପଶୁସଂପଦ ରଖିଥାନ୍ତି । ସେମାନେ କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟ ବଦଳରେ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିଥାନ୍ତି। ଅନ୍ୟ ଏକ ଭିଡ଼ିଓ ଯୋଗେ ରବିବାର ଅର୍ଥାତ୍‌ ନଭେମ୍ବର ୨୨ ତାରିଖ ଦିନ ଦର୍ଶକମାନେ ପାହାଡ଼ି ଖରିଆ ଜନଜାତିମାନଙ୍କୁ ଦେଖିପାରିବେ। ପାହାଡ଼ି ଖରିଆମାନେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଓ କରଞ୍ଜିଆ ବ୍ଲକ୍‌ରେ ବାସ


କରିଥାନ୍ତି। ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ପୂଜକ, ବିଶ୍ୱାବସୁ ଶବରଙ୍କର ବଂଶଧର ବୋଲି କହିଥାନ୍ତି। ପାହାଡ଼ି ଖରିଆ ଜନଜାତିମାନେ ‘ମୁଣ୍ଡା’ ଭାଷାରେ କଥା ହୁଅନ୍ତି। ମହୁ ସଂଗ୍ରହ ଓ ପ୍ରକ୍ରିୟାକରଣ, ଖିସ୍‌ମିସ୍‌, ଆରାରୁଟ୍‌, ଝାଡ଼ୁ ତିଆରି, ମଶିଣା, ଖଲିପତ୍ର ତିଆରି କରିବା ଖାଦ୍ୟସଂଗ୍ରହ, ଶିକାର କରିବା, ଚାଷ କରିବା ସେମାନଙ୍କର ମୁଖ୍ୟ ପେଶା। ମହିଳାମାନେ ଖଜୁରୀପତ୍ରରୁ ମଶିଣା ଓ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ପାହାଡ଼ି ଖରିଆମାନେ ପତ୍ରପ୍ଲେଟ୍‌ ଓ କପ୍‌ ବ୍ୟବହାର କରିଥାନ୍ତି। ସିମିଳିପାଳର ଅଠରଦେଉଳି ସେମାନଙ୍କର ପବିତ୍ର ସ୍ଥାନ। ସିମିଳିପାଳର ମୁଖ୍ୟ ଦେବତା ‘ବାଦାମ’। ଶାଳଗଛକୁ ସେମାନେ ପବିତ୍ର ମାନିଥାଆନ୍ତି। ଖରିଆ ଜନଜାତିମାନେ ଜଙ୍ଗଲ ଓ ଝରିଆ ସହିତ ଶାଳବଣକୁ ମଧ୍ୟ ପୂଜା କରିଥାନ୍ତି। ସେମାନେ ଧରମ(ସୂର୍ଯ୍ୟ ଦେବତା)ଙ୍କୁ ବିଶ୍ୱାସ କରିଥାନ୍ତି। ଠାକୁରାଣୀ ଓ ଧରଣୀ ଦେବତାଙ୍କ ସହିତ ଅନ୍ୟ ଦେବଦେବୀଙ୍କୁ ପୂଜା କରିଥାନ୍ତି ବୋଲି ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments
Loading...