ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗର

ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୂଳ ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମର ଆଦିବାସୀ ଅଳଙ୍କାରର ଚାହିଦା ଦେଶ ବିଦେଶରେ ବଢିବାରେ ଲାଗିଛି। ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗରଙ୍କର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ। ସରକାରୀ ପ୍ରୋତ୍ସାହନ, ଉପଯୁକ୍ତ ପାରିଶ୍ରମିକ ମିଳିବା ଓ ନୂତନ ଜ୍ଞାନକୌଶଳରର ଅଭାବ ସେମାନଙ୍କ ଅଗ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି। କାରିଗରଙ୍କଦ୍ୱାରା ଗଢାଯାଉଥିବା ଆଦିବାସୀ ଅଳଙ୍କାର ଅଳ୍ପ ବର୍ଷ ଭିତରେ ଦେଶ ଓ ବିଦେଶରେ ଫେସନ ଡିଜାଇନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛି।

ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦାଠାରୁ ୧୦ କିମି ଦୂର ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଗୋବର୍ଦ୍ଧନପୁର ଗ୍ରାମର ୨୫୦ରୁ ଊର୍ଦ୍ଧ୍ବ ପରିବାର ଆଦିବାସୀ ଅଳଙ୍କାର ତିଆରିକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। ପ୍ରାୟ ୩୦/୩୫ ବର୍ଷ ହେବ ଏହି ଶିଳ୍ପ ଗ୍ରାମର କାରିଗରଙ୍କ ଦ୍ୱାରା ତିଆରି ମାଳ, ବଳା, ମଙ୍ଗଳସୂତ୍ର, ସିନ୍ଥି, ନାକଫୁଲ, କାନ ଫୁଲ, ପାଉଁଜି ଓ ଝୁଣ୍ଟିଆ, ହାତର କଙ୍କଣ ଭଳି ଅଳଙ୍କାର ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ପହଞ୍ଚି ପାରିଛି। କଂସା, ପିତଳ ଓ ତମ୍ବାରେ କାରିଗରମାନେ ବେକର ବିଭିନ୍ନ ପ୍ରକାରର ଅଳଙ୍କାର ତିଆରି କରି ନିଜର କାରିଗରୀ କୌଶଳକୁ ପ୍ରଦର୍ଶନ କରି ଆସୁଛନ୍ତି। କାରିଗରମାନେ ପ୍ରତିବର୍ଷ ଦେଶର ପ୍ରମୁଖ ସହର ନୂଆଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗୁଲୁରୁ, ଚେନ୍ନାଇ ଆଦିକୁ ଯାଇ ଏହାକୁ ବିକ୍ରିକରି କରିଥାନ୍ତି। ବିଦେଶରେ ଆମେରିକା, ସ୍ୱିଜରଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି। ଆଦିବାସୀ ଅଳଙ୍କାର ତିଆରି କରୁଥିବା କାରିଗରମାନେ ଆଦିବାସୀ ନୁହନ୍ତି, ମାତ୍ର ତାଙ୍କ ହାତତିଆରି ଅଳଙ୍କାରଗୁଡିକ ଆଦିବାସୀ ଅଳଙ୍କାର ଭାବରେ ପରିଚିତ ହୋଇଛି ବୋଲି ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା କୁହନ୍ତି।

ପ୍ରଥମେ ଗ୍ରାମର କାରିଗର ପ୍ରଫୁଲ ମହାରଣା, ଭାଗ୍ୟଧର ମହାରଣା ଓ କୃଷ୍ଣଚନ୍ଦ୍ର ସାହୁ ତାରକସି କାମ କରୁଥିଲେ। ଧୀରେ ଧୀରେ କାରିଗରମାନେ ପାରମ୍ପରିକ ଆଦିବାସୀମାନେ ପୁରୁଣା କଳାକୌଶଳରେ ବ୍ୟବହାର କରୁଥିବା ଅଳଙ୍କାର ତିଆରି କଲେ। ଏହାର ଚାହିଦା ବଢିବାରୁ ଏହା ଆଦିବାସୀ ଅଳଙ୍କାର ଭାବେ ସ୍ୱତନ୍ତ୍ର ମାନ୍ୟତା ପାଇଲା। ଟ୍ରାଇବାଲ ଆର୍ଟ ଓ କ୍ରାଫ୍ଟକୁ ପ୍ରୋତ୍ସାହନ ଦେଉଥିବା ଅନ୍ୱେଷା ନାମକ ଏକ ସଂସ୍ଥା ଉତ୍ପାଦିତ ଅଳଙ୍କାରର ବିକ୍ରିବଟା କରୁଛି।

କାରିଗର ହୃଷୀକେଶ ମହାରଣା କୁହନ୍ତି, ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣନେଇ ଅଳଙ୍କାର ଗଢୁଥିବା ଏହି କାରିଗରମାନେ ଚଳିତବର୍ଷ କରୋନା କଷଣରେ ପେଷି ହୋଇଯାଇଛନ୍ତି। ଏହି ହସ୍ତଶିଳ୍ପର କାରିଗରମାନେ ସାମଗ୍ରୀର ସଠିକ୍‍ ମୂଲ୍ୟ ପାଇପାରୁ ନାହାନ୍ତି। ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ପ୍ରୋତ୍ସାହନ ନମିଳିଲେ କାରିଗରମାନେ ବୃତ୍ତି ଛାଡିବାକୁ ବାଧ୍ୟ ହେବେ।
ଆମେମାନେ ଗିରି ଗୋବର୍ଦ୍ଧନ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ କାମ କରୁଛୁ। ହସ୍ତଶିଳ୍ପ ଓ କାରିଗରଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି, ଆର୍ଥିକ ପ୍ୟାକେଜ ଓ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରଶିକ୍ଷଣ ମାଧ୍ୟମରେ ଦିଆଗଲେ ଆମେ ଆହୁରି ଆଗକୁ ଯାଇ ପାରନ୍ତୁ ବୋଲି କାରିଗର ମନୋଜ କୁମାର ସାହୁ କୁହନ୍ତି।

ଏହାର ଚାହିଦା ଥିଲେ ମଧ୍ୟ ପ୍ରଚାର ପ୍ରସାରର ଅଭାବ ରହୁଛି। ଫଳରେ କାରିଗରୀ କୌଶଳ ଲୋକଲୋଚନକୁ ଆସିପାରୁନି। ଏହାକୁ ନେଇ ଏକ କ୍ରାଫ୍ଟ ଭିଲେଜର ଆବଶ୍ୟକତା ରହିଛି। ସରକାର ଏଥିପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗେଇ ଦେବା ଉଚିତ ବୋଲି କରମୂଳ ସରପଞ୍ଚ ରାଜେଶ ନାୟକ କହିଛନ୍ତି।

ଆଦିବାସୀ ଅଳଙ୍କାରକୁ ସରକାରଙ୍କ ପକ୍ଷରୁ କୁଟିର ଶିଳ୍ପର ମାନ୍ୟତା ପ୍ରଦାନ କରାଯିବା ଉଚିତ। ସ୍ୱତନ୍ତ୍ର ବଜାର ସୃଷ୍ଟି କରାଗଲେ କାରିଗରମାନେ ଅଧିକ ସାମଗ୍ରୀ ବିକ୍ରିକରି ବ୍ୟାଙ୍କ ଋଣ ପରିଶୋଧ କରିପାରନ୍ତେ। ପ୍ରତିବର୍ଷ ଲକ୍ଷ୍ମୀ ପୂଜା, ଯୋରନ୍ଦା ମେଳା, କପିଳାସ ଜାଗର ଯାତ୍ରା ଏବଂ ନୂତନ ବର୍ଷ ସମୟରେ ଦେଶ ବିଦେଶରୁ ଢେଙ୍କାନାଳ ଆସୁଥିବା ପର୍ଯ୍ୟଟକମାନେ ଏହି ଗ୍ରାମକୁ ଯାଇ କାରିଗରଙ୍କଠାରୁ ଅଳଙ୍କାର କିଣିଥାନ୍ତି। ମାତ୍ର ଯେଉଁଭଳି ସରକାର ପ୍ରୋତ୍ସାହନ, ଆର୍ଥିକ ସୁବିଧା, ଭିତ୍ତିଭୂମିର ବିକାଶ ଏବଂ ନୂତନ ଜ୍ଞାନ କୌଶଳ ପ୍ରଶିକ୍ଷଣ ସୁବିଧା ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରି ନଥିବାରୁ କାରିଗରମାନେ ପଛୁଆ ହୋଇ ରହିଛନ୍ତି।

Comments
Loading...