ସ୍ବାବଲମ୍ବୀ ହେବାର ପ୍ରୟାସ : ଫସଲ ଚାଷ ପାଇଁ ଜମି ହଳ କରୁଛି ଆଦିବାସୀ ଯୁବତୀ

ବାପା ଚାଷ କରୁଥିବା ଜମିରେ ହଳ କରୁଛି ଝିଅ

ପାତ୍ରପୁର : (ରବୀନ୍ଦ୍ର କୁମାର ମିଶ୍ର) ଧିରେଧିରେ ଚାଷ କାର୍ଯ୍ୟପାଇଁ ଲୋକମାନେ ବିଭିନ୍ନ କାରଣରୁ ବିମୁଖ ହେଉଥିବା ବେଳେ ଏହି କାର୍ଯ୍ୟରେ ବହୁଳ ମାତ୍ରାରେ ଯନ୍ତ୍ର ବ୍ୟବହାର ହେଉଛି । ହଳ ହଳିଆ ଲଙ୍ଗଳ, କଣ୍ଟି, ଇସ, ଜୁଆଳି, ଜୋତା, ପଳାପ ଏବେ ଆଉ ଚାଷୀଙ୍କ ଘରେ ଉଭେଇ ଯିବାକୁ ବସିଛି । ଏହି ଭଳି ସ୍ଥିତିରେ ଆର ପାରିରେ ଥିବା ବାପା ଚାଷ କରୁଥିବା ଜମିରେ ଜ୍ୱାଇଁଙ୍କ ସହ ମିଶି ହଳ କରି ଫସଲ ଚାଷ କରିବାକୁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ମୁଣ୍ଡରେ ଠେକା ଭିଡି ଲଙ୍ଗଳ କଣ୍ଟି ଧରି ସେ ଚାଷ କରୁଛି । ଏହି ଯୁବତୀ ଜଣକ ହେଉଛନ୍ତି ଦୁର୍ଗମ ଆଙ୍କୁଲି ପଞ୍ଚାୟତ ଖଳାସାହି ଗ୍ରାମର ରିତାଞ୍ଜଳି କାର୍ଜି ଓ ବୟସ ୧୮ବର୍ଷ ବୋଲି ଜଣା ପଡ଼ିଛି । ରିତାଞ୍ଜଳିଙ୍କ ବାପା କୈଳାସ କାର୍ଜିଙ୍କର ଦେଢ଼ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ସେ ନିଜ ଗ୍ରାମରୁ ନିକଟ ବଡନାଳ ନିକଟରେ ପରିବାର ସହିତ ଆସି ରହୁଥିଲେ। ତେବେ ବାଘଲଟି ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବା ପୂର୍ବରୁ ଆଠଟି ଗ୍ରାମର ଲୋକମାନେ ପୂର୍ବ ସ୍ଥାନରୁ ସ୍ଥାନାନ୍ତରିତ ହୋଇଥିଲେ। ସେହି ଗ୍ରାମ ମଧ୍ୟରୁ ଦୁତିକାସାହି ଗ୍ରାମର ଲୋକମାନେ ନୂଆଗଡ଼ ଯାଇ ରହିଥିବା ବେଳେ ସେମାନେ ଚାଷ କରୁଥିବା ଜମି ଲଟାବୁଦା ମାଡି ବସିଥିଲା। ଏହା ଦେଖି କୈଳାସ ଏହି ସ୍ଥାନକୁ ଆସି ଲଟା ବୁଦା ସଫା କରି ଚାଷ ଆରମ୍ଭ କରିଥିଲେ। ତେବେ ତାଙ୍କ ମୃତ୍ୟୁପରେ ଜମି ପଡିଆ ପଡିଥିଲା। କୈଳାସଙ୍କ ଛଅସନ୍ତାନ ମଧ୍ୟରୁ ଚାରି ଝିଅ ଏବଂ ଦୁଇ ପୁଅ ଅଛନ୍ତି । ବଡ ଝିଅ ଗାଇଡାର ଦୟାନିଧି କାର୍ଜିଙ୍କୁ ବିବାହ କରିଥିବା ବେଳେ ଦ୍ୱିତୀୟ ଝିଅ ଧାନ ବାଡ ଗ୍ରାମରେ ବିବାହ କରିଥିବା ବେଳେ ଦୁଇ ପୁଅ ମଧ୍ୟ ବିବାହ କରି ବଡ ନାଳ ଗ୍ରାମରେ ମାଆଙ୍କ ସହିତ ରହୁଛନ୍ତି । ତୃତୀୟ ଝିଅ କଲେଜ ପଢା ପରେ ହାଇଦ୍ରାବାଦ ଯାଇ କାମ କରୁଛନ୍ତି । ରିତାଞ୍ଜଳି ଘରର ସାନ ଝିଅ ହୋଇଥିବାବେଳେ ସେ ସ୍କୁଲ ପିଣ୍ଡ। ମାଡି ନାହାନ୍ତି। ତାଙ୍କ ବଡ ଜ୍ୱାଇଁ ଦୟ।ନିଧି ନିଜ ଗ୍ରାମ ଛାଡି ଚରିଆ ବାଡ ଗ୍ରାମରେ ରହୁଥିଲେ। ତେବେ ଜଳଭଣ୍ଡାର ଉପର ଅଂଶରେ ଜଙ୍ଗଲ ମଧ୍ୟରେ ଜମି ପଡିଆ ପଡିଥିବା ଦେଖି ଶ୍ବଶୁର ଚାଷ କରୁଥିବା ଜମି ପାର୍ଶ୍ୱରେ ଚରିଆ ବାଡ ଗ୍ରାମର ଅନ୍ୟ ତିନି ପରିବାର ସହିତ ଆସି ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ।

ତେବେ ବାପାଙ୍କ ମୃତ୍ୟୁ ପରେ ଏହି ଜମି ଚାଷ ପାଇଁ ସାନ ଝିଅ ଆଗଭର ହୋଇଛି । ନିଜ ବଡ ଭଉଣୀ ଜ୍ୱାଇଁ ରହୁଥିବା ସ୍ଥାନକୁ ରିତାଞ୍ଜଳି ଚାଲି ଆସି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେ ନିୟମିତ ହାତରେ ବାଡ଼ି ଧରି ଜଙ୍ଗଲରେ ଛେଳି ଗୋରୁ ଚରାଇବା ସହିତ କୋଡ଼ି କାତି ଧରି ଜମିରେ କାର୍ଯ୍ୟ କରୁଛନ୍ତି। ତେବେ ବର୍ଷା ପରେ ଜମିରେ ରାଶି, ମାଣ୍ଡିଆ, କୋଲଥ, ବାଇଲ ପ୍ରଭୁତି ଫସଲ ବୁଣିବା ପାଇଁ ଜମିରେ ହଳ କରି ବିହନ ବୁଣିଛନ୍ତି । ତାଙ୍କୁ ବଡ ଭଉଣୀ ସମସ୍ତ କାର୍ଯ୍ୟରେ ସହାୟତା କରୁଛନ୍ତି । ଫସଲ ଅମଳ ପୂର୍ବରୁ ବାରହାଙ୍କ ଉପଦ୍ରବକୁ ଦେଖି ଜମିରେ କୁଡ଼ିଆ କରି ରାତି ରେ ଜଗିବାକୁ ପଡୁଛି। ସେ ବଡ ଭଉଣୀଙ୍କ ଘରେ ରହି ହଳ କରି ଚାଷ କରୁଛନ୍ତି। ଜଣେ ଆଦିବାସୀ ଯୁବତୀ ଛେଳି ଗାଇ ଜଗିବା ସହ ହଳ କରି ବାପାଙ୍କ ଜମିରେ ଫସଲ ଅମଳ ପାଇଁ ଉଦ୍ୟମ ଜାରି ରଖିବା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲଇ ଆଶା କରାଯାଉଛି ।

Comments are closed.