ଯୁବତୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ନବରଙ୍ଗପୁର : ଜଣେ ଆଦିବାସୀ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିବା ସଂପର୍କରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଘଟଣାର ଦୁଇଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି। ପରିବାର ଲୋକେ ଚିନ୍ତାରେ କାନ୍ଦି ବୋବାଳି ହୋଇ ପଡିରହିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରଭେଜା ଫାଣ୍ଡି ଅନ୍ତର୍ଗତ ସିନ୍ଧିଗୁଡା ପଞ୍ଚାୟତର ବେଲଗାଁରେ ଏହି ଘଟଣା ଘଟିଛି।

ଅପହୃତ ହୋଇଥିବା ଯୁବତୀ ଗାଁ ପାଖ ଏକ ଏନଜିଓ ସଂସ୍ଥା ରେ କାମ କରୁଥିଲେ, ପ୍ରତିଦିନ ଘରୁ ୧ କିଲୋମିଟର ଅଫିସକୁ ଯିବା ଆସିବା କରୁଥିଲେ, କିନ୍ତୁ ୩୦ ତାରିଖ ଦିନ ଅଫିସ କାମ ସାରି ସାଢ଼େ ପାଞ୍ଚଟା ବେଳେ ଦୁଇ ସାଙ୍ଗ ଚାଲି ଚାଲି ଘରକୁ ଆସୁଥିବା ବେଳେ ଏକ ଚାରିଚକିଆ ଗାଡ଼ି ଛିଡା ହୋଇଥିବା ଦେଖିଥିଲେ ଏବଂ ଗାଡି ପାଖରେ ଜଣେ ବ୍ୟକ୍ତି ଛିଡା ହୋଇଥିଲା। ଦୁଇ ସାଙ୍ଗ ଚାଲି ଚାଲି ଯେମିତି ଗାଡି ପାଖରେ ପହଞ୍ଚିଛନ୍ତି ଗାଡିରୁ ତିନିଜଣ ଓହ୍ଲାଇ ସେମାନଙ୍କ ଆଡକୁ ମାଡି ଆସିବା ଦେଖି ଦୁଇଜଣ ଅଲଗା ଅଲଗା ଧାଇଁଥିଲେ। ଏହାପରେ ଜଣଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧରି ଗାଡ଼ିରେ ନେଇଯାଇଥିଲେ। ଅନ୍ୟ ସାଙ୍ଗ ଜଣଙ୍କ ତୁରନ୍ତ ଗାଁକୁ ଯାଇ ଏହି ବିଷୟରେ ଅପହୃତାଙ୍କ ପରିବାରକୁ ଜଣାଇବା ପରେ ଗାଁ ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ କୌଣସି ସନ୍ଧାନ ନମିଳିବାରୁ ପ୍ରଥମେ ଡଙ୍ଗରଭେଜା ଫାଣ୍ଡି ପରେ ନବରଙ୍ଗପୁର ଥାନାରେ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ପୁଲିସ ତଦନ୍ତ ଜାରି ରଖିଛି, ଦୁଇଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତରେ କୌଣସି ସୁରାକ ମିଳିନଥିବା ବେଳେ ପରିବାର ଲୋକେ ଏପର୍ୟ୍ୟନ୍ତ କାହାକୁ ମଧ୍ୟ ସନ୍ଦେହ ମଧ୍ୟକୁ ଆଣିପାରିନାହାନ୍ତି। ସମୟ ଯେତେ ବଢ଼ିବଢି ଯାଉଛି ତା’ ପ୍ରତି ଥିବା ବିପଦ ଆହୁରି ଅଧିକ ବଢ଼ିବାରେ ଲାଗିଛି। ତେଣୁ ଶୀଘ୍ର ଏଦିଗରେ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ପୁଲିସ ନିକଟରେ ଦାବି କରିଛନ୍ତି। ଏପଟେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଅଭିଯୁକ୍ତକୁ ଠାବ କରାଯାଇଛି ଶୀଘ୍ର ଅଭିଯୁକ୍ତ ଏବଂ ପୀଡିତାଙ୍କୁ ଅଣାଯିବ।

Comments are closed.