ପରିବାର ଅଦାଲତରେ ପତ୍ନୀ ହତ୍ୟା ମାମଲାର ଶୁଣାଣି ; ସ୍ବାମୀକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ଗତ ୨୦୧୮ ମସିହାରେ ସମ୍ବଲପୁର ପରିବାର ଅଦାଲତରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଖଣ୍ଡାରେ ହାଣିଦେବା ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଙ୍ଗଳବାର ଏହି ହତ୍ୟାକାଣ୍ଡର ଶୁଣାଣି କରି ସମ୍ବଲପୁର ଜିଲା ଓ ଦୌରାଜଜ୍‌ ବିରଞ୍ଚି ନାରାୟଣ ମହାନ୍ତି ଅଭିଯୁକ୍ତ ରମେଶ କୁମ୍ଭାରକୁ ଆଜୀବନ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଏସଟି କେସ ନଂ. ୬୩/୨୦୧୮ରେ ଦୋଷୀ ସାବ୍ୟସ୍ତ କରି ଦଫା ୩୦୨, ୩୦୭, ୩୨୩, ୪୪୯ ଆଇପିସି ଏବଂ ୨୭ ଆର୍ମସ ଆକ୍ଟରେ ଜିଲା ଜଜ୍‌ ୧୩ ଜଣ ସାକ୍ଷୀଙ୍କ ଶୁଣାଣି ପରେ ଦଣ୍ଡାଦେଶ କରିଛନ୍ତି। ଦଫା ୩୦୨ ଆଇପିସିରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଥିବାବେଳେ ଜୋରିମାନା ଅନାଦେୟସ୍ଥଳେ ୨ ବର୍ଷ କାରାଦଣ୍ଡ ଭୋଗିବେ। ସେହିପରି ଦଫା ୩୦୭ ଆଇପିସିରେ ୭ ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା (ଅନାଦେୟ ୧ ବର୍ଷ ଜେଲ), ୩୨୩ ଆଇପିସିରେ ୬ ମାସ କାରାଦଣ୍ଡ, ଦଫା ୪୪୯ ଆଇପିସିରେ ୭ ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା (ଅନାଦେୟ ୧ ବର୍ଷ ଜେଲ) ଏବଂ ୨୭(୧) ଆର୍ମସ ଆକ୍ଟ ୧୯୫୯ରେ ୫ ବର୍ଷ କାରାଦଣ୍ଡ ଓ ୨ ହଜାର ଟଙ୍କା ଜୋରିମାନା (ଅନାଦେୟ ୬ ମାସ ଜେଲ) ଆଜି ଜଜ୍ ରାୟ ଘୋଷଣା କରିଥିଲେ। ୩୨୩ ଆଇପିସିକୁ ଛାଡ଼ି ସମସ୍ତ ଦଫାରେ ସଶ୍ରମ କାରାଦଣ୍ଡ ରହିଛି। ଅଭିଯୁକ୍ତଠାରୁ ଆଦାୟ ଜୋରିମାନା ମୃତକର ମା’ଙ୍କୁ ଅନୁକମ୍ପା ରାଶି ଭାବରେ ପ୍ରଦାନ କରାଯିବାକୁ ଅଦାଲତର ନିର୍ଦେଶ ରହିଛି। ସରକାରୀ ଓକିଲ ଦୀପ୍ତି ରଞ୍ଜନ ଷେଣ୍ଢ ମାମଲାରେ ଥିଲେ। କରୋନା ଯୋଗୁଁ ଅଦାଲତ ବନ୍ଦ ଥିବାରୁ ଏହି ମାମଲାର ଏକ ଶୁଣାଣି ଫେବୃଆରୀ ୧୮ ତାରିଖ ହୋଇଥିବାବେଳେ ଆଜି ମାନ୍ୟବର ଜଜ୍‌ ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଏପ୍ରିଲ ୨୩ ତାରିଖ ସଦର ଥାନା ଅନ୍ତର୍ଗତ ସିନ୍ଦୂରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ଓରଫ୍ ଟିଆଁ (୩୦) ପରିବାର ଅଦାଲତକୁ ଆସି ଲୁଚାଇ ଆଣିଥିବା ଖଣ୍ଡାରେ ତାଙ୍କ ପତ୍ନୀ ସଞ୍ଜିତା ଚୌଧୁରୀଙ୍କୁ ଆକ୍ରମଣ କରିଥିଲା। ସଞ୍ଜିତା ତାଙ୍କ ମା’ ଲଳିତା ଚୌଧୁରୀ (୫୫) ଓ ଝିଆରୀ ଶିବାନୀ ସାହାଣୀ (୫)ଙ୍କ ସହ ଅଦାଲତକୁ ପାରିବାରିକ ବିବାଦର ସମାଧାନ ସକାଶେ ଆଲୋଚନା କରିବାକୁ ଆସିଥିଲେ। ଆକ୍ରମଣ ଯୋଗୁଁ ଅଦାଲତ ପରିସର ରକ୍ତରଞ୍ଜିତ ହେବାସହ ସଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସପିଟାଲକୁ ନିଆଯାଇଥିଲା। ଅଦାଲତରେ ଉପସ୍ଥିତ ଓକିଲ ଓ କର୍ମଚାରୀମାନେ ଅଭିଯୁକ୍ତ ରମେଶକୁ କାବୁ କରି ନେଇଥିଲେ। ଅଭିଯୁକ୍ତର ଆକ୍ରମଣରେ ଲଳିତା ଓ ଶିବାନୀ ମଧ୍ୟ ଆହତ ହୋଇଥିଲେ। ହସ୍ପିଟାଲରେ ଡାକ୍ତର ସଞ୍ଜିତାଙ୍କୁ ମୃତ ଘୋଷଣା କରିଥିଲେ। ସେତେବେଳେ ଟାଉନ ଥାନାରେ ମାମଲା ରୁଜୁ ହେବାସହ ଘଟଣାସ୍ଥଳରୁ ଖଣ୍ଡା, ଖଣ୍ଡାର ହାତମୁଠି, ଲୁହା ଛଡ଼, ଚପଲ, ପରଦା, ଅଭିଯୁକ୍ତ ଓ ପୀଡ଼ିତଙ୍କ ପୋଷାକ ଆଦି ଜବତ କରାଯାଇଥିଲା।

Comments are closed.