ନୂଆ ବର୍ଷରୁ ଗାଡ଼ି ମାଲିକଙ୍କ ଲାଗି ନୂଆ ନିୟମ: ବିନା ଫାଷ୍ଟ ଟ୍ୟାଗରେ ହୋଇପାରିବ ନାହିଁ ବୀମା ନବୀକରଣ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶରେ ସବୁ ରାଜପଥରେ ଡ଼ିସେମ୍ବର ୨୦୧୯ରୁ ସବୁ ଘରୋଇ ଓ ସରକାରୀ ଚାରି ଚକିଆ ଏବଂ ତାହାଠାରୁ ବଡ଼ ଗାଡ଼ି ପାଇଁ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରିଛନ୍ତି । ଏବେ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ମସିହା ପୂର୍ବରୁ ବିକ୍ରି ହୋଇଥିବା ସବୁ ଗାଡ଼ି ନିମନ୍ତେ ଫାଷ୍ଟ ଟ୍ୟାଗକୁ ବାଧ୍ୟତାମୂଳକ କରିଛନ୍ତି । ଏପରିକି ଥାର୍ଡ଼ ପାର୍ଟି ବୀମା ପାଇଁ ବି ଫାଷ୍ଟ ଟ୍ୟାଗ୍ ଆବଶ୍ୟକ ବୋଲି ଏହି ନିର୍ଦେଶନାମାରେ କୁହାଯାଇଛି । ଜାନୁଆରୀ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକା ଅନୁସାରେ ଆସନ୍ତା ବର୍ଷ ଜାନୁଆରୀ ମାସଠାରୁ ସବୁ ଗାଡ଼ି ନିମନ୍ତେ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ । ବିଶେଷଭାବରେ ଯେଉଁ ଗାଡ଼ଗୁଡ଼ିକ ୨୦୧୭ ମସିହା ପୂର୍ବରୁ ପଞ୍ଜିକୃତ ହୋଇଛି । ଏପରିକି ଏପ୍ରିଲ ୨୦୨୧ଠାରୁ ତୃତୀୟ ପକ୍ଷ ଇନ୍ସସ୍ୟୁରାନ୍ସ ନିମନ୍ତେ ମଧ୍ୟ ଫାଷ୍ଟ ଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ମୋଟରଯାନ ଆଇନ ୧୯୮୯ ଅନୁସାରେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସିଏମଭିଆର ୧୯୮୯ରେ ସଂଶୋଧନ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗାଡ଼ିର ପଞ୍ଜିକରଣ ଓ ଫିଟନେସ୍ ପ୍ରମାଣପତ୍ର ନିମନ୍ତେ ଫାଷ୍ଟ ଟ୍ୟାଗକୁ ପୂର୍ବରୁ ବାଧ୍ୟତାମୂଳକ କରିଛନ୍ତି ।

Comments are closed.