ପରିବହନ ସଚିବଙ୍କୁ ସଚେତନତା ଚିନ୍ତା, ଦଲାଲ ଉଚ୍ଛେଦକୁ ଗୁରୁତ୍ବ; ଜିଲାପାଳଙ୍କୁ ଦାୟିତ୍ବ

ଭୁବନେଶ୍ୱର: ସଡ଼କ ସୁରକ୍ଷା ଓ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟର ଯାନ ଆଇନକୁ ରାଜ୍ୟରେ କଡାକଡି ପାଳନ କରିବା ଦିଗରେ ପରିବହନ ବିଭାଗ ଗୁରୁତ୍ବ ଦେଇଛି। ଏହାକୁ ନେଇ ଶୁକ୍ରବାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଗୁଡ୍ଡୀ ଶ୍ରୀନିବାସ ସବୁ ଜିଲାପାଳଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ ଜିଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ସାଧାରଣ ଲୋକେ କିଭଳି ସୁରୁଖୁରୁରେ ପରିବହନ ସେବା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏହାସହିତ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ନବୀକରଣ ବେଳେ ଲୋକେ ଯେଭଳି ଦଲାଲଙ୍କ କବଳରେ ନପଡନ୍ତି ତାହାକୁ ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ଶ୍ରୀ ଶ୍ରୀନିବାସ ନିର୍ଦେଶ ଦେଇଛନ୍ତି।
ଶ୍ରୀ ଶ୍ରୀନିବାସ ଦର୍ଶାଇଛନ୍ତି ଯେ ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ସଚେତନତା ଅଭାବରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଏଥିପାଇଁ ୨୦୧୮ରେ କେବଳ ୫୩୧୫ଜଣଙ୍କ ମୃତ୍ୟୁ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୩୫ହଜାର ପର୍ଯ୍ୟନ୍ତ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୨୫ରେ ଏକ ସ୍ପଷ୍ଟ ନିର୍ଦେଶନାମା ଜାରି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନକୁ ରାଜ୍ୟରେ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯାଇଥିଲା। ମାତ୍ର ବିଭିନ୍ନସ୍ତରରେ ଲୋକେ ଅସୁବିଧାର ସମ୍ମୁଖୀନ ହେବାରୁ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ସାଧାରଣଲୋକେ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩ମାସ ମହଲତ ଦେଇଛନ୍ତି। ଏହି ସମୟ ମଧ୍ୟରେ ସାଧାରଣ ଲୋକେ ଯେଭଳି ସହଜ ଓ ସରଳ ଉପାୟରେ ଲର୍ଣ୍ଣିଂ ଲାଇସେନସ, ଡ୍ରାଇଭିଂ ଲାଇସେନ୍ସ ଓ ନବୀକରଣ କରିପାରିବେ ସେଥିପାଇଁ ବ୍ୟାପକ ସଚେତନତା କରାଯିବା ଆବଶ୍ୟକ। ଏହି ସମୟ ମଧ୍ୟରେ ଯେତିକି ପରିମାଣର ଲାଇସେନ୍ସ ପ୍ରଦାନ କରାଯିବା କଥା ତାହା ହୋଇପାରୁ ନଥିବା ଜଣାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟସ୍ଥମାନଙ୍କ ରାଜୁତି ଯୋଗୁଁ ଲୋକେ ଆର୍ଥିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଲୋକେ ଯେପରି ସମସ୍ୟାରେ ନପଡିବେ ତାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ସଡ଼କ ସୁରକ୍ଷା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଶ୍ରୀନିବାସ ନିର୍ଦେଶ ଦେଇଛନ୍ତି।
ସେହିପରି ଜିଲାସ୍ତରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଡ଼କ ସୁରକ୍ଷା ଏବଂ ସୁବିଧାରେ ଲାଇସେନ୍ସ ପାଇବା ନେଇ ସଚେତନତା ସୃଷ୍ଟି କରାଅ। ଜିଲାସ୍ତରରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଏହି କାର୍ଯ୍ୟରେ ସାମିଲ କର। ଏହାବାଦ୍ ଶିକ୍ଷାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ରରେ ଅଧିକ ଲାଇସେନ୍ସ ଖୋଲିବାର ବ୍ୟବସ୍ଥା କରାଅ। ଯେଉଁସବୁ ନୂତନ କେନ୍ଦ୍ର ଖୋଲିବ ସେଠାରେ ଲର୍ଣ୍ଣିଂ ଲାଇସେନସ, ଡ୍ରାଇଭିଂ ଲାଇସେନ୍ସ ଓ ନବୀକରଣ ପାଇଁ ସରକାରୀ ଫି ଯାହା ଅଛି ସ୍ପଷ୍ଟ ଭାବେ ଉଲ୍ଲେଖ କର। ଯାହାଫଳରେ ଲୋକେ ସମସ୍ୟାରେ ପଡିବେ ନାହିଁ କି ଦଲାଲଙ୍କ ଦ୍ବାରସ୍ଥ ହେବେ ନାହିଁ। ସବୁଠାରୁ ବଡ଼କଥା ହେଲା ଏଥିପାଇଁ ଜିଲାସ୍ତରରେ ହେଲପ ଲାଇନ ନମ୍ବର ମଧ୍ୟ ଜାରି କର। ଏହାଦ୍ବାରା ସାଧାରଣ​‌ ଲୋକେ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଅବଗତ କରାଇପାରିବେ ଏବଂ ଯୋଜନାର ଲାଭ ନେଇପାରିବେ। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଆବଶ୍ୟକ ପାଣ୍ଠି ଯୋଗାଇବା ସହିତ ସ୍ବତନ୍ତ୍ର କ୍ୟାମ୍ପ କରିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରିବାକୁ ସଚିବ ଶ୍ରୀ ଶ୍ରୀନିବାସ ନିର୍ଦେଶ ଦେଇଛନ୍ତି। ତିନୋଟି ପର୍ଯ୍ୟାୟରେ ୩୫ଟି ପରିବହନ ଜିଲାକୁ ବିଭକ୍ତ କରି ୧୦ଲକ୍ଷ, ୭.୫ଲକ୍ଷ ଏବଂ ୫ଲକ୍ଷ ଟଙ୍କା ଯଥାକ୍ରମେ ବଣ୍ଟନ କରାଯିବ। ଏବାବଦକୁ ପ୍ରାୟ ୨.୬୦କୋଟି ଟଙ୍କା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପ୍ରଦାନ କରିବାକୁ ସବୁ ଜିଲାପାଳଙ୍କୁ ଶ୍ରୀ ଶ୍ରୀନିବାସ ନିର୍ଦେଶ ଦେଇଛନ୍ତି।

Comments are closed.