ବିନା ପାସରେ ପ୍ରବାସୀଙ୍କୁ ଓଡ଼ିଶା ପ୍ରବେଶ ମନା; ଗାଡ଼ି ଓ ଯାତ୍ରୀ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ବର (ବ୍ୟୁରୋ): ଅନ୍ୟ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କୁ ଓଡ଼ିଶା ଆସିବାକୁ କେହି ବାରଣ କରିପାରିବେ ନାହିଁ । ନିଜ ଜନ୍ମମାଟିକୁ ଫେରିବା ତାଙ୍କର ଅଧିକାର । ମାତ୍ର କରୋନା ସଂକ୍ରମଣ ଓ ରାଜ୍ୟବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ । ଯେଉଁ ରାଜ୍ୟରେ ସେମାନେ ଅଟକି ରହିଛନ୍ତି ସେଠାକାର ସରକାରଙ୍କଠାରୁ ଏଥିନିମନ୍ତେ ଅନୁମତି ପତ୍ର (ପାସ୍) ଆଣିବାକୁ ପଡ଼ିବ । ଏହାବ୍ୟତୀତ ଯେଉଁ ପ୍ରବାସୀମାନେ ଫେରିବେ ସେମାନେ ରାଜ୍ୟ ସରକାରଙ୍କ କୋବିଦ ୱେବସାଇଟରେ ପଞ୍ଜିକରଣ କରିବା ଓ ସେମାନଙ୍କୁ ନେଇ ଆସୁଥିବା ଗାଡ଼ି ସମ୍ପର୍କରେ ବିସ୍ତୃତ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଏହି ନିୟମ ସବୁ ପୂରଣ କରି ନ ଥିବେ ସେମାନଙ୍କୁ ଓଡ଼ିଶାରେ ପ୍ରବେଶ ମନା ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜିବ ପଣ୍ଡା ।

ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ପ୍ରବେଶ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ଚେକ୍ ପଏଣ୍ଠ କରାଯାଇଛି ।  ସେଠାରେ ଗାଡ଼ିର ଯାତ୍ରୀ ଓ ଗାଡ଼ି ସମ୍ପର୍କରେ ଯାଞ୍ଚ କରାଯିବ । ଚେକ୍ ପଏଣ୍ଟରେ କାର୍ଯ୍ୟରତ ସରକାରୀ କର୍ମଚାରୀ ପୂର୍ବରୁ ପଞ୍ଜିକରଣ କରିଥିବା ତଥ୍ୟ ସହ ଗାଡ଼ିରେ ଥିବା ଯାତ୍ରୀଙ୍କ ସମ୍ପର୍କରେ ମିଳାଇ ଦେଖିବେ ଏବଂ ଆବଶ୍ୟକ ଯାଞ୍ଚ ପରେ ଯାତ୍ରୀଙ୍କ ହାତରେ ଅଲିଭା କାଳି ଷ୍ଟାମ୍ପ ଲଗାଇବେ । ଏହାପରେ ଗାଡ଼ି କେଉଁ ସ୍ଥାନକୁ ଯିବ ଓ କେଉଁ ବାଟରେ ଯିବ ସେ ସମ୍ପର୍କରେ ଏକ ରୁଟ୍ ଚାର୍ଟ ପ୍ରଦାନ କରାଯିବ । ଜିଲ୍ଲାପାଳ ଓ ଏସପିମାନେ ସେମାନଙ୍କ ଜିଲ୍ଲାକୁ କେଉଁ ରାଜ୍ୟରୁୁ କେତେ ଲୋକ କେଉଁଦିନ ଆସିବେ ତାହା ଯାଂଚ କରି ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ଆଗୁଆ ଆବଶ୍ୟକ ବ୍ୟବସ୍ଥା କରିପାରିବେ । ଯଦି କୌଣସି ଯାତ୍ରୀ ଅବା ଗାଡ଼ି ପୂର୍ବରୁ ଓଡ଼ିଶା ସରକାରଙ୍କ କୋଭିଡ୍ ପୋର୍ଟାଲରେ ପଞ୍ଜିକରଣ କରିନଥିବେ ତା’ହେଲେ ରାଜ୍ୟର ସୀମାନ୍ତରେ ସ୍ଥାପନ ତନଖି କେନ୍ଦ୍ରରେ ଏହା କରାଯାଇ ପାରିବ । ମାତ୍ର ଏହା ସମୟ ସାପେକ୍ଷ ଓ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ତେଣୁ ପୂର୍ବରୁ ପଞ୍ଜିକରଣ କରାଇ ନେବା ଆବଶ୍ୟକ ବୋଲି ପରିବହନ କମିଶନର ପରାମର୍ଶ ଦେଇଛନ୍ତି ।

Comments are closed.