ଗଗନଯାନ ଅଭିଯାନ; ରୁଷରେ ୪ ମହାକାଶଚାରୀଙ୍କ ପ୍ରଶିକ୍ଷଣ ସରିଲା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ନିଟକ ଭବିଷ୍ୟତରେ ଗଗନଯାନ ଅଭିଯାନ ଲଞ୍ଚ କରିବ। ଏଥିରେ ପ୍ରଥମ ଥର ଲାଗି ମହାକାଶଚାରୀଙ୍କୁ ମହାକାଶ ପଠାଯିବ। ଏଥିପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। ଏହି ୪ ଜଣ ହେଉଛନ୍ତି ବାୟୁସେନାର ଲଢୁଆ ପାଇଲଟ୍‌। ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ଲାଗି ରୁଷ ପଠାଯାଇଥିଲା। ସେଠାରେ ମହାକାଶଚାରୀମାନଙ୍କ ପ୍ରଶିକ୍ଷଣ ଶେଷ ହୋଇଥିବା ସୂଚନା ମିଳିଛି।

ରୁଷର ମହାକାଶ ସଂଗଠନ ରୋସ୍କୋସ୍ମୋସ୍‌ର ଏକ ସହଯୋଗୀ କମ୍ପାନୀ ଗ୍ଲେଭକୋସ୍ମୋସ୍‌ରେ ୪ ଭାରତୀୟ ମହାକାଶଚାରୀ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଛନ୍ତି। ଗ୍ଲେଭକୋସ୍ମୋସ୍‌ ପକ୍ଷରୁ କୁହାଯାଇଛି ଯେ, ‘ଆଜି ପର୍ଯ୍ୟନ୍ତ, ଭାରତୀୟ ମହାକାଶଚାରୀମାନେ ଶୀତ ଦିନରେ(ଫେବୃଆରୀ ୨୦୨୦ରେ ଶେଷ), ଜଳ ପୃଷ୍ଠରେ (ଜୁନ୍ ୨୦୨୦ରେ ଶେଷ), ଗ୍ରୀଷ୍ମ ଋତୁ (ଜୁଲାଇ ୨୦୨୦ରେ ଶେଷ) ସେମାନଙ୍କ ପ୍ରଶିକ୍ଷଣ ପୂରା କରିଛନ୍ତି। ଜୁନ ୨୦୨୦ରେ ସେମାନେ ଆଇଏଲ-୭୬ ଏମଡିକେ ସ୍ପେଶାଲ ଲାବୋରେଟୋରୀ ବିମାନରେ ସ୍ୱଳ୍ପ ମିଆଦି ଓଜନହୀନତା ଅବସ୍ଥାରେ ତାଲିମ ସମାପ୍ତ କରିଥିଲେ ଏବଂ ଜୁଲାଇରେ ସେମାନଙ୍କୁ ଅବତରଣ ମଡ୍ୟୁଲ୍ ଲ୍ୟାଣ୍ଡିଂ ପଏଣ୍ଟରୁ ହେଲିକପ୍ଟରରେ ଚଢ଼ିବା ପାଇଁ ତାଲିମ ଦିଆଯାଇଥିଲା। ସେହିପରି ଜି-ଫୋର୍ସ, ହାଇପୋକ୍ସିଆ ଏବଂ ଖାଦ୍ୟ ପ୍ରସ୍ତୁତ ଉପରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା। ନିକଟ ଭବିଷ୍ୟତରେ ଏହି ତାଲିମ ଉପଯୋଗୀ ହେବ ବୋଲି ତାଲିମ ପ୍ରଦାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

Comments are closed.