ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ରାଜ୍ୟ ସରକାର ବହନ କରିବେ । ଅବଶ୍ୟ ଏଥିପାଇଁ କିଛିଟା ସର୍ତ ରହିଛି । ଶ୍ରମିକ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ଯଦି ରେଳଭଡ଼ା ବହନ କରୁ ନ ଥିବେ ସେପରି କ୍ଷେତ୍ରରେ ଶ୍ରମିକଙ୍କ ଗାଡ଼ିଭଡ଼ା ରାଜ୍ୟ ସରକାର ଦେବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ଟ୍ରେନ୍ ଭଡ଼ାକୁ ନେଇ ଯାବତୀୟ ବିଭ୍ରାନ୍ତି ସୃଷ୍ଟି ହୋଇଛି । କେତେକ କ୍ଷେତ୍ରରେ ଏହାକୁ ନେଇ ରାଜନୀତି ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଘରଫେରନ୍ତା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଆଗଭର ହୋଇଛନ୍ତି । ଶ୍ରମିକଙ୍କ ଏହି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।

ତେବେ ଏହି ଅର୍ଥ ସେମାନଙ୍କୁ ସଙ୍ଗରୋଧ ନିମନ୍ତେ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶିରୁ ଭରଣା କରାଯିବ । ରାଜ୍ୟ ସରକାର ପ୍ରବାସୀମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି ଓ କ୍ବାରେଣ୍ଟାଇନ ଶେଷରେ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବାକୁ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଶ୍ରମିକଙ୍କୁ ପ୍ରଦାନ କରିଥିବା ଅର୍ଥ ଏହି ରାଶିରୁ କଟାଯିବ ବୋଲି ସୂଚନା ମିଳିଛି ।

Comments are closed.