ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍‍, ରେଳ କର୍ତ୍ତୃପକ୍ଷଙ୍କ ଅସ୍ବୀକାର

0

ପୁରୀ: ଓଡ଼ିଶାରେ ପୁଣି ଥରେ ବଗିକୁ ଛାଡ଼ି ଇଞ୍ଜିନ ଚାଲିଯିବା ଘଟଣା ଘଟିଛି। ଆଜି ପୁରୀ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଗତ ଏପ୍ରିଲ୍‍ ୭ ତାରିଖରେ ଟିଟିଲାଗଡ଼ ରେଳଷ୍ଟେସନ୍‍ରେ ଘଟିଥିଲା ଏଭଳି ଏକ ଅଘଟଣ। ଅପରପକ୍ଷରେ ଏହି ଘଟଣାକୁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।
ଆଜି ସକାଳ ୮ଟା ବେଳେ ପୁରୀ ଷ୍ଟେସନ୍‍ରୁ ପୁରୀ-କଟକ ପାସେଞ୍ଜର ଟ୍ରେନ୍‍ ଛାଡ଼ିଥିଲା। କିନ୍ତୁ ଭୁଲବଶତଃ ଶେଷର ତିନିଟି ବଗିକୁ ଛାଡ଼ି ଇଞ୍ଜିନ ଚାଲିଯାଇଥିଲା। ମାଳତିପାଟପୁରଠାରେ ପହଞ୍ଚିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ତା ପରେ ଇଞ୍ଜିନ ପୁଣି ପଛକୁ ଫେରିଥିଲା। ବାକି ବଗି ସହିତ ସଂଯୋଗ ହେବା ପରେ ୮ଟା ୨୨ମିନିଟ୍‍ରେ ପୁଣି ଥରେ ସବୁ ବଗିକୁ ନେଇ ଟ୍ରେନ୍‍ ଷ୍ଟେସନ୍‍ ଛାଡ଼ିଥିଲା।

ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ପୂର୍ବତଟ ରେଳବାଇ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଇଞ୍ଜିନ୍‌ଠାରୁ ଚତୁର୍ଥ ସ୍ଥାନରେ ଥିବା ବଗିରେ କିଛି ତ୍ରୁଟି ରହିଥିଲା। ତେଣୁ ମରାମତି ପାଇଁ ସେହି ବଗିକୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ବଗିକୁ ଅଲଗା କରିବା ପାଇଁ ପ୍ରଥମ ତିନି ବଗି ଇଞ୍ଜିନ ବାହାର କରିବାକୁ ପଡ଼ିଥିଲା। କେବଳ ଚତୁର୍ଥ ବଗିକୁ ଛାଡ଼ି ପୁଣି ତିନି ବଗିକୁ ଯୋଡ଼ି ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। ପ୍ନତି ବଗି ସହିତ ପରସ୍ପରର ସଂଯୋଗ ରହିଥିବାରୁ ତିନି ବଗିକୁ ଛାଡ଼ି ଇଞ୍ଜିନ ଚାଲି ଯିବା ସମ୍ଭବ ନୁହେଁ। କେତେକ ଗଣମାଧ୍ୟମରେ ଏହି ପ୍ରସଙ୍ଗ​‌ରେ ବିଭ୍ରାନ୍ତିକର ଖବର ପ୍ରକାଶ ପାଇଛି।
ଏହାପୂର୍ବରୁ ଏପ୍ରିଲ୍‍ ୭ ତାରିଖରେ ଟିଟିଲାଗଡ଼ ରେଳଷ୍ଟେସନ୍‍ରେ ଅହମ୍ମଦାବାଦରୁ ପୁରୀ ଆସୁଥିବା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‍କୁ ଛାଡ଼ି ଇଞ୍ଜିନ ଚାଲିଯାଇଥିଲା। ବିନା ଇଞ୍ଜିନ୍‍ରେ ବଗିଗୁଡ଼ିକ ପ୍ରାୟ ୧୩ କିମି ଯିବା ପରେ ଅଟକିଥିଲା। ଏହାପରେ ଇଞ୍ଜିନ ସହିତ ବଗିକୁ ଯୋଡ଼ା ଯାଇଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ତଦନ୍ତ ପରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।
ଆଜିର ଘଟଣା ପରେ ପୁଣି ଜନ ଅସନ୍ତୋଷ ଦେଖାଦେଇଛି। ରେଳ ବିଭାଗର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

Leave A Reply