ପ୍ରବାସୀଙ୍କୁ ନେଇ ଆଜି ଓଡ଼ିଶା ଅଭିମୁଖେ ଛାଡ଼ିବ ୩ ଟ୍ରେନ୍: ଗୁଜରାଟରୁ ୨, କେରଳରୁ ଗୋଟିଏ

ଭୁବନେଶ୍ଵର/ଏର୍ଣ୍ଣାକୁଲମ୍ (ବ୍ୟୁରୋ):  ବିଭିନ୍ନ ରାଜ୍ୟରେ ଅଟକିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ବିଭିନ୍ନ ରାଜ୍ୟକୁ ଆରମ୍ଭ ହୋଇଛି ଟ୍ରେନ୍ ଚଳାଚଳ । ଗତକାଲି ଦୁଇଟି ଟ୍ରେନରେ ଓଡ଼ିଶା ଓ ଝାଡ଼ଖଣ୍ଡ ଅଭିମୁଖେ ଅନ୍ୟରାଜ୍ୟରୁ ଆସିଥିବାବେଳେ ୩ଟି ଟ୍ରେନ୍ ଓଡ଼ିଶା ଅଭିମୁଖେ ଆସୁଥିବା ସୂଚନା ମିଳିଛି । ଦୁଇଟି ଟ୍ରେନ୍ ଗୁଜରାଟର ସୁରତରୁ ଆସୁଥିବାବେଳେ ଆଉ ଗୋଟିଏ ଟ୍ରେନ୍ କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ଆସିବ ବୋଲି ଜଣାପଡ଼ିଛି । ସୁରତରୁ ଆସୁଥିବା ଦୁଇ ଟ୍ରେନ୍ ବ୍ରହ୍ମପୁର ଆସିବ ଓ ଏଣ୍ଣାକୁଲମରୁ ଆସୁଥିବା ଟ୍ରେନ୍ ଭୁବନେଶ୍ଵରରେ ପହଞ୍ଚିବ ।  ବ୍ରହ୍ମପୁରକୁ ଆସିବାକୁ ଥିବା ଟ୍ରେନ ଆଜି ଦିନ ୪ଟାରେ ସୁରତ୍ ଛାଡ଼ିବ  ସୁରତରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁର ପୂର୍ବରୁ ଜଗନ୍ନାଥପୁର ଷ୍ଟେସନରେ ଅଟକାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିବା ସୂଚନା ମିଳିଛି । ଏହି ଅଞ୍ଚଳରୁ ବହୁ ଶ୍ରମିକ ଏହି ଟ୍ରେନଯୋଗେ ଫେରୁଥିବା ଦୃଷ୍ଟିରୁ ସେମାନଙ୍କ କ୍ବାରେଣ୍ଟାଇନକୁ ଦୃଷ୍ଟିରେ ରଖି ଏପରି ଅନୁରୋଧ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ  ଏର୍ଣ୍ଣାକୁଲମରୁ ଆସୁଥିବା ଟ୍ରେନ୍ ଭୁବନେଶ୍ଵର ଅଭିମୁଖେ ରାତି ୧୦ଟାରେ ଛାଡ଼ିବ ବୋଲି ସୂଚନା ମିଳିଛି । କେରଳ ପୁଲିସ ମହାନିର୍ଦେଶକ ଲୋକନାଥ ବେହେରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଷ୍ଟେସନ ଛାଡ଼ିବା ପୂର୍ବରୁ ଟ୍ରେନ୍ ଗୁଡ଼ିକୁ ବିଶୋଧନ କରାଯିବା ସହ ଶ୍ରମିକଙ୍କ ସ୍କ୍ରିନିଂ କରାଯାଇଛି ଏବଂ ସେମାନଙ୍କ ଯାତ୍ରା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Comments are closed.