ରେଳ ରହଣି ବେଳେ ଦୁର୍ଘଟଣାରେ ମଧ୍ୟ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

0

ନୂଆଦିଲ୍ଲୀ: ଟ୍ରେନ୍‍ ଯାତ୍ରା ବେଳେ ଘଟୁଥିବା ଦୁର୍ଘଟଣା ସମେତ ଟ୍ରେନ୍‍ ରହଣି ବେଳେ ଘଟୁଥିବା ଦୁର୍ଘଟଣା କ୍ଷେତ୍ରରେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ। ଅନେକ ସମୟରେ ଟ୍ରେନ୍‍ରୁ ଓହ୍ଲାଇବା କିମ୍ବା ଚଢ଼ିବା ବେଳେ ଅସାବଧାନତା ବଶତଃ ଦୁର୍ଘଟଣା ଘଟିଥାଏ। ସେହିପରି ଟ୍ରେନ୍‍ ଆସିବା ପୂର୍ବରୁ କିମ୍ବା ଯିବା ପରେ ଯାତ୍ରୀମାନେ ଶୀଘ୍ରତା କରିବାକୁ ଯାଇ ଦୁର୍ଘଟଣା ଘଟେ। ଦୈବାତ୍‍ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଶୁଣାଯାଏ। ଏହାକୁ ଲୋକଙ୍କ ଅସାବଧାନତା କିମ୍ବା ଦାୟିତ୍ୱହୀନତା କହି ରେଳବାଇ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇପାରିବେ ନାହିଁ। ବୁଧବାର ଏହି ମର୍ମରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ରେଳବାଇ ଆଇନ୍‍ ୧୯୮୯ର ଧାରା ୧୨ ୪କ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଟ୍ରେନ୍‍ ସାମ୍ନାକୁ ଆସି ଆତ୍ମହତ୍ୟା କରନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ ବେଳେ ଆହତ ହୁଅନ୍ତି, ଅସାବଧାନତାବଶତଃ ରେଳ ଧାରଣାରେ ଦୁର୍ଘଟଣାରେ ଆହତ ହୁଅନ୍ତି ତେବେ ରେଳବାଇ କର୍ତ୍ତୃପକ୍ଷ କୌଣସି କ୍ଷତିପୂରଣ ଦେବେ ନାହିଁ। ଏ ସମ୍ପର୍କିତ ମାମଲାରେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟ ହାଇକୋର୍ଟ ଭିନ୍ନ ଭିନ୍ନ ରାୟ ଦେଇଥିଲେ। ରେଳବାଇ ଆଇନ୍‍ ୧୯୮୯ର ଉପରୋକ୍ତ ଧାରାର ସପକ୍ଷରେ କେତେକ ହାଇକୋର୍ଟ ରାୟ ଦେଇଥିବା ବେଳେ ଆଉ କେତେକ ହାଇକୋର୍ଟ ଯାତ୍ରୀ ବା ମୃତାହତଙ୍କ ପରିବାର ସପକ୍ଷରେ ମତ ଦେଇଥିଲେ। କିନ୍ତୁ ସେ ସବୁ ବିବାଦ ଓ ବିଭ୍ରାନ୍ତିକୁ ଦୂର କରିବାକୁ ଯାଇ ଜଷ୍ଟିସ୍‍ ଏ କେ ଗୋୟଲ୍‍ ଓ ଜଷ୍ଟିସ୍‍ ଆର ଏଫ୍‍ ନରିମାନ୍‍ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

Leave A Reply