ଆଜିଠାରୁ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଆଜିଠାରୁ ଦୈନିକ ଯାତ୍ରା ଆରମ୍ଭ କରିବ। ବୁଧବାର ସକାଳ ୧୦ଟା ସମୟରେ ଏହି ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଓଡ଼ିଶା ପରିସୀମା ମଧ୍ୟରେ ଏହି ଟ୍ରେନ୍ କେବଳ ବାଲେଶ୍ବରରେ ରହଣି କରିବ। ସମଗ୍ର ଦେଶରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଳ୍ଲୀ ମଧ୍ୟରେ ଚଳାଚଳ କରିବ। ଏହି ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ବର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନଂ-୧ରୁ ଯାତ୍ରା ଆରମ୍ଭ କରିବ। ଏଥିରେ ଏସି ପ୍ରଥମ ଶ୍ରେଣୀ, ଦ୍ବିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ କୋଚ୍ ରହିଛି। ସମ୍ପୂର୍ଣ୍ଣ ଟ୍ରେନ୍ ବାତାନୁକୂଳିତ ହୋଇଥିବାବେଳେ ଯାତ୍ରୀ ଭଡ଼ା କିନ୍ତୁ ଏକ୍ସପ୍ରେସ୍ ସହ ସମାନ ରଖାଯାଇଛି। ଗତକାଲି ଅପରାହ୍ନ ୪ଟା ସମୟରେ ଆଇଆରସିଟିସି ୱେବ୍‌ସାଇଟ୍‌ ଏବଂ ମୋବାଇଲ୍‌ ଅାପ୍‌ ଜରିଆରେ ଟିକଟ ବୁକିଂ ଆରମ୍ଭ ହୋଇଥିଲା; କିନ୍ତୁ ଏକ ଘଣ୍ଟା ମଧ୍ୟରେ ଏହି ଉଭୟ ପଟୁ ଟ୍ରେନ୍‌ର ସମସ୍ତ ଟିକଟ ବୁକିଂ ଶେଷ ହୋଇଯାଇଥିଲା। ବୁଧବାରଠାରୁ ସାତଦିନ ପର୍ଯ୍ୟନ୍ତ ଯାତ୍ରାର ସମସ୍ତ ଟିକଟ ଶେଷ ହୋଇଯାଇଛି। ଫଳରେ ବହୁ ସଂଖ୍ୟକ ଯାତ୍ରୀ ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ଅଧିକ କୋଚ୍ ସଂଯୋଗ ପାଇଁ ରେଳବାଇ ଯୋଜନା ରଖିଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନି। ଉକ୍ତ ସ୍ବତନ୍ତ୍ର ଟ୍ରେନ୍ ବାଲେଶ୍ବର ସମେତ ହିଜିଳି (ଖଡ଼ଗପୁର), ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଂସନ୍ ଓ କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନ୍‌ରେ ରହଣି କରିବ। ଟ୍ରେନ୍ ଯାତ୍ରା ପାଇଁ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କର ରେଳବାଇ ପକ୍ଷରୁ ମେଡିକାଲ ସ୍କ୍ରିନିଂ ଓ ଟିକଟ ଯାଞ୍ଚ କରାଯିବ। ଏଥିପାଇଁ ଯାତ୍ରା ଆରମ୍ଭ ସମୟର ୯୦ ମିନିଟ୍‌ ପୂର୍ବରୁ ରେଳ ଷ୍ଟେସନ୍‌ରେ ପହଞ୍ଚିବା ପାଇଁ କୁହାଯାଇଛି। କେବଳ କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶର ଅନୁମତି ମିଳିବ। ସମ୍ପୂର୍ଣ୍ଣ ଷ୍ଟେସନ୍‌ ଓ ସ୍ବତନ୍ତ୍ର ଟ୍ରେନ୍‌କୁ ବିଶୋଧନ କରାଯାଇ ଥିବାବେଳେ ସାମାଜିକ ଦୂରତା ରକ୍ଷା ଲାଗି ବ୍ୟବସ୍ଥା ହୋଇଛି।

Comments are closed.