ଦ୍ଵୈତନଗରୀ ଭୁବନେଶ୍ୱର-କଟକରେ ଗଡିଲା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଦ୍ଵୈତନଗରୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ସୁବିଧା ଦୃଷ୍ଟିରୁ ଆଜିଠାରୁ ଦ୍ଵୈତନଗରୀରେ ଭୁବନେଶ୍ୱର ଓ କଟକ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାଧାରଣ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ।

ମିଳିଥିବା ସୂଚନା ଅନୁସାରେ ୦୮୪୬୦ ନମ୍ବର ଭୁବନେଶ୍ୱର-କଟକ ଜନସାଧାରଣ ଟ୍ରେନ ଦିନ ୧ଟା ୩୦ମି ଭୁବନେଶ୍ୱର ଠାରୁ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ ଅପରାହ୍ନ ୨ଟା ୩୦ମିରେ କଟକରେ ପହଞ୍ଚିଛି। ଅପରାହ୍ନ ୨ଟା ୪୦ମିରେ କଟକ ଛାଡି ଭୁବନେଶ୍ୱର ଫେରିଛି। ଫେରିବା ମାର୍ଗରେ ଏହି ଟ୍ରେନ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱରରେ ଅପରାହ୍ନ ୫ଟା ୨୦ମିରେ ପହଞ୍ଚିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନରେ ରହଣି କରିବ। କଟକରୁ ଭୁବନେଶ୍ବର ଫେରିବା ସମୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନରେ ରହଣି କରିବ। ଏହି ଟ୍ରେନ୍ ଚାଲିବା ଫଳରେ ଭୁବନେଶ୍ୱର, କଟକ, ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲାର କିଛି ଅଞ୍ଚଳର ଯାତ୍ରୀ ଉପକୃତ ହୋଇପାରିବେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.